ଆରମ୍ଭ ହେଲା ଯୁକ୍ତ୨ ପ୍ରାକ୍ଟିକାଲ୍ ପରୀକ୍ଷା, ହଲରେ ସିସି କ୍ୟାମେରା ବାଧ୍ୟତାମୂଳକ
Final examination for student in a university
ଭୁବନେଶ୍ବର : ଆରମ୍ଭ ହେଲା ଯୁକ୍ତ୨ ପ୍ରାକ୍ଟିକାଲ୍ ପରୀକ୍ଷା । ଏହି ପରୀକ୍ଷା ଆସନ୍ତା ୧୦ ତାରିଖରେ ସରିବ । ପରୀକ୍ଷା ହଲରେ ସିସି କ୍ୟାମେରା ବାଧ୍ୟତାମୂଳକ କରାଯାଇଥିବା ବେଳେ ଦୁଇଟି ସିଟିଂରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପ୍ରଥମ ସିଟିଂ ୧୦ଟାରୁ ଆରମ୍ଭ ହୋଇ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱିତୀୟ ସିଟିଂ ୨ ଟାରୁ ଆରମ୍ଭ ହୋଇ ୫ଟା ପର୍ଯ୍ୟନ୍ତ ଚାଲିବ ।
ଚଳିତବର୍ଷ ୩,୩୮,୭୪୭ ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେଥିରୁ କଳାରେ ୨,୧୯,୧୧୦ ଥିବାବେଳେ ବିଜ୍ଞାନରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫,୧୧୦ ଜଣ ରହିଛନ୍ତି । ସବୁ ପ୍ରାକ୍ଟିକାଲ ରୁମରେ ସିସି କ୍ୟାମେରା ବାଧ୍ୟତାମୂଳକ କରାଯାଇଛି । ପ୍ରାକ୍ଟିକାଲ ପରୀକ୍ଷା ଶେଷ ହେବା ପରେ ଫେବୃଆରୀ ୧୭ତାରିଖ ସୁଦ୍ଧା ପ୍ରାକ୍ଟିକାଲ ଉତ୍ତରଖାତା ଏବଂ ମାର୍କ ସିଏଚ୍ଏସ୍ରେ ଦାଖଲ ହେବ।
ପରୀକ୍ଷାର୍ଥୀମାନେ ବୁଧବାର ସକାଳ ୯ଟା ୩୦ରୁ ଲ୍ୟାବ୍ ମଧ୍ୟକୁ ପ୍ରବେଶ କରିଛନ୍ତି । ବିଜ୍ଞାନ ଷ୍ଟ୍ରିମ୍ରେ ପଦାର୍ଥବିଜ୍ଞାନ, ଉଭିଦ ବିଜ୍ଞାନ, ଜୀବ ବିଜ୍ଞାନ, ବିଜ୍ଞାନ, ରସାୟନ ଇନଫରମେସନ୍ ଟେକ୍ନୋଲୋଜି, ଟୁରିଜିମ୍ ହସ୍ପିଟାଲିଟି ଏବଂ ରିଟେଲ ପରୀକ୍ଷା ହେବ। ସେହିପରି ବାଣିଜ୍ୟ ଷ୍ଟ୍ରିମ୍ରେ ଆକାଉଣ୍ଟାସି, ବିଏମ୍ସ୍, କଷ୍ଟ ଆକାଉଣ୍ଟିଂରେ ପରୀକ୍ଷା ହେବ । କଳାରେ ନୃତତ୍ୱ, ମନସ୍ତତ୍ଵ, ଓ ଗ୍ରାଫି, ଇଣ୍ଡିଆନ୍ ମ୍ୟୁଜିକ୍, ଏଜୁକେସନ ଭଳି ବିଷୟର ପ୍ରାକ୍ଟିକାଲ ପରୀକ୍ଷା କରାଯିବ ।
ସୂଚନା ଯେ, ଆସନ୍ତା ମାର୍ଚ୍ଚ ପହିଲାରୁ ରାଜ୍ୟରେ ଯୁକ୍ତ୨ ଥିଓରି ପରୀକ୍ଷା ଆରମ୍ଭ ହେବ । ଏପ୍ରିଲ ମାସ ୫ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ।
