ଅଗଷ୍ଟ ୨ୟ ସପ୍ତାହରେ ଯୁକ୍ତ୨ ଫଳାଫଳ
- ୧୦ମ ପରୀକ୍ଷା ପ୍ରଦର୍ଶନକୁ ଆଧାର କରି ପରୀକ୍ଷା ଫଳ ପ୍ରକାଶନ
- ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫ୍ଲାଇନରେ ଆଉ ଥରେ ଦେଇପାରିବେ ପରୀକ୍ଷା
ଭୁବନେଶ୍ୱର : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ଫଳାଫଳ ଆସନ୍ତା ଅଗଷ୍ଟ ୨ୟ ସପ୍ତାହରେ ଆସିବ । କରୋନା ସଂକ୍ରମଣର ଭୟାବହତା ଯୋଗୁଁ ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷାର ଆୟୋଜନ ହୋଇ ପାରି ନଥିବାରୁ ମାଧ୍ୟମିକ ଶିକ୍ଷା ପରିଷଦ ୧୦ମ ପରୀକ୍ଷା ପ୍ରଦର୍ଶନକୁ ଆଧାର କରି ପରୀକ୍ଷା ଫଳ ପ୍ରକାଶନ କରିବ । ତେଣୁ ଛାତ୍ରଛାତ୍ରୀମାନେ ଦଶମ ଶ୍ରେଣୀ ପରୀକ୍ଷା ପ୍ରଦର୍ଶନ ଅନୁସାରେ ମାର୍କ ପାଇପାରିବେ । ଫଳାଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଆଉ ଥରେ ପରୀକ୍ଷା ଦେଇପାରିବେ । କରୋନା ସ୍ଥିତି ସୁଧୁରିବା ପରେ ଅଫ୍ଲାଇନ୍ ପରୀକ୍ଷା ହେବ । ଏଥି ପାଇଁ ସିଏଚଏସଇର ୱେବସାଇଟରେ ନିର୍ଦ୍ଧାରିତ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ । ଅନିୟମିତ ଛାତ୍ରଛାତ୍ରୀଙ୍କ ମାର୍କ ପୂର୍ବଥରର ସିଏଚଏସ୍ଇ ପରୀକ୍ଷାର ପ୍ରଦର୍ଶନ ଆଧାରରେ ପ୍ରସ୍ତୁତ ହେବ । ସେହିପରି ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ କମ୍ପୋନେଟ ପାଇଁ ଛାତ୍ରଛାତ୍ରୀଙ୍କ ଦଶମ ଶ୍ରେଣୀର ପ୍ରଦର୍ଶନ ଆଧାରରେ ମାର୍କ ଦିଆଯିବ ।
ଏହା ପୂର୍ବରୁ ଯୁକ୍ତ ୨ ମୂଲ୍ୟାୟନ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା। ଉଭୟ ରେଗୁରାଲ ଓ ଏକ୍ସରେଗୁରାଲ ପରୀକ୍ଷାର୍ଥୀଙ୍କ ପାଇଁ ସିଏଚଏସଇ ପକ୍ଷରୁ ୧୪ ଜଣିଆ କମିଟି ଗଠନ ହୋଇଥିଲା। ଏହି କମିଟିରେ ବିଶିଷ୍ଟ ଶିକ୍ଷାବିତ୍ଙ୍କୁ ସାମିଲ କରାଯାଇଥିଲା। କମିଟି ୧୦ ଦିନ ଭିତରେ ମୂଲ୍ୟାୟନ ଖସଡା ରିପୋର୍ଟ ପ୍ରଦାନ କରିବେ ବୋଲି କହିଥିଲେ। ଏହି କମିଟି ଦଶମ ପରୀକ୍ଷା ମାର୍କ ଆଧାରରେ ଯୁକ୍ତ ୧୨ ଦ୍ଵାଦଶ ପରୀକ୍ଷାର ମୂଲ୍ୟାୟନ କରାଯାଉ ବୋଲି ଉଚ୍ଚ ଶିକ୍ଷା ବିଭାଗକୁ ରିପୋର୍ଟ ଦେଇଥିଲେ। ରିପୋର୍ଟ ଉପରେ ଏବେ ମୋହର ମାରିଛି ଉଚ୍ଚ ଶିକ୍ଷା ବିଭାଗ। ଏହି କମିଟିରେ ପୂର୍ବତନ ବୋର୍ଡ ସଭାପତି ଡ. ସୁଶାନ୍ତ କୁମାର ଦାଶ, ରମାଦେବୀ ମହିଳା ହାଇୟର ସେକେଣ୍ଡାରୀ ସ୍କୁଲର ପ୍ରିନସିପାଲ ଡକ୍ଚର ମମତା ପତ୍ରୀ, ସିଏଚଏସଇ ଉପାଧ୍ୟକ୍ଷ ଡର ତୁଷାରକାନ୍ତି ତ୍ରିପାଠୀ ପ୍ରମୁଖ ସଦସ୍ୟ ଭାବେ ରହିଛନ୍ତି। ଉଚିତ୍ ସମୟରେ ଫଳାଫଳ ପ୍ରକାଶ ନେଇ ଉଦ୍ୟମ କରାଯିବ ଏବଂ ଏ ସଂପର୍କରେ ସମସ୍ତ ସୂଚନା ଛାତ୍ର-ଛାତ୍ରୀଙ୍କୁ ଜଣାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା। ସୂଚନା ଯେ, କରୋନା ଭାଇରସ ସଂକ୍ରମଣ ବୃଦ୍ଧି ଓ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନଙ୍କର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ୨୦୨୧ର ଯୁକ୍ତ ୨ ବାର୍ଷିକ ପରୀକ୍ଷାକୁ ରାଜ୍ୟ ସରକାର ବାତିଲ କରିଛନ୍ତି । କିନ୍ତୁ ଯୁକ୍ତ ୨ ପରୀକ୍ଷା ଫଳ ବାହାର କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି । ରାଜ୍ୟ ସରକାରଙ୍କ ଗତ ୫ ତାରିଖ ବିଜ୍ଞପ୍ତି ଅନୁସାରେ ଯୁକ୍ତ ୨ ପରୀକ୍ଷା ଫଳ କେଉଁ ଆଧାରରେ ବାହାର କରାଯିବ, ବିଶେଷଜ୍ଞ କମିଟି ସେହି ଦାୟିତ୍ୱ ନେଇଛନ୍ତି ।
