ଥମୁନି ଖେଳାଳିଙ୍କ ଆହତ ଘଟଣା, ଟି-୨୦ ବିଶ୍ୱକପରୁ ବାଦ ପଡିଲେ ଘାତକ କ୍ରିକେଟର
ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ ୨୦୨୨ର ବିଗୁଲ ବାଜି ସାରିଛି । ଟି-୨୦ ବିଶ୍ୱକପ ୨୦୨୨ର ପ୍ରଥମ ମ୍ୟାଚରେ ନାମିବିଆ ଶ୍ରୀଲଙ୍କା ଟିମକୁ ୫୫ ରନରେ ପରାସ୍ତ କରିଛି । ଏହା ଶ୍ରୀଲଙ୍କା ପାଇଁ ଯୋଗ୍ୟତା ପର୍ଯ୍ୟାୟ ରାସ୍ତାକୁ କଷ୍ଟକର କରିଦେଇଛି । ସେପଟେ ବର୍ତ୍ତମାନ ଶ୍ରୀଲଙ୍କାର ଦିଲଶନ ମଧୁଶଙ୍କା ଆହତ କାରଣରୁ ଟି-୨୦ ବିଶ୍ୱକପରୁ ବାଦ ପଡିଛନ୍ତି । ଏହି କାରଣରୁ ଦଳର ସମସ୍ୟା ଆହୁରି ବଢ଼ି ଯାଇଛି । ଦିଲଶାନଙ୍କ ସ୍ଥାନରେ ଜଣେ ଷ୍ଟାର ଖେଳାଳି ଦଳରେ ସୁଯୋଗ ପାଇଛନ୍ତି । ଟି-୨୦ ବିଶ୍ୱକପ ୨୦୨୨ରେ ଶ୍ରୀଲଙ୍କା ଦଳର ଆରମ୍ଭ ଆଦୌ ଭଲ ହୋଇ ନଥିଲା । ଟି-୨୦ ବିଶ୍ୱକପ ପାଇଁ ଦଳ ଆହତ ଦିଲଶାନ ମଧୁଶଙ୍କାଙ୍କ ସ୍ଥାନରେ ବିନୁରା ଫର୍ନାଣ୍ଡୋଙ୍କୁ ସାମିଲ କରିଛି ।
ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏକ ବୟାନରେ କହିଛି ଯେ, “ଆଇସିସି ପୁରୁଷ ଟି-20 ବିଶ୍ୱକପ୍ର ପ୍ରତିଯୋଗିତା ବୈଷୟିକ କମିଟି ଆହତ ଦ୍ରୁତ ବୋଲର ମଧୁଶଙ୍କାଙ୍କ ସ୍ଥାନରେ ଶ୍ରୀଲଙ୍କା ଦଳରେ ଫର୍ନାଣ୍ଡୋଙ୍କୁ ସାମିଲ କରିବାକୁ ଅନୁମୋଦନ କରିଛି ।” ଦିଲଶାନ ମଧୁସଙ୍କାଙ୍କୁ ଏକ ମାଂସପେଶୀ ଚାପ ସମସ୍ୟା ଆସିଯାଇଥିଲା, ଯେଉଁଥିପାଇଁ ତାଙ୍କୁ ଦଳରୁ ବାହାରକୁ ଯିବାକୁ ପଡ଼ିଲା । ତାଙ୍କ ସ୍ଥାନରେ ଶ୍ରୀଲଙ୍କା ଦଳରେ ବିନୁରା ଫର୍ନାଣ୍ଡୋଙ୍କୁ ସାମିଲ କରାଯାଇଛି, ଯିଏ ଏପର୍ଯ୍ୟନ୍ତ ୯ ଟି-୨୦ ଅନ୍ତର୍ଜାତୀୟ ଖେଳିଛନ୍ତି । ଯେଉଁଥିରେ ସେ ୧୦ ୱିକେଟ୍ ନେଇଛନ୍ତି ।
ଫର୍ନାଣ୍ଡୋ ଶ୍ରୀଲଙ୍କାରୁ ଯାତ୍ରା କରି ଅଷ୍ଟ୍ରେଲିଆରେ ପହଞ୍ଚି ଦଳରେ ଯୋଗଦେବେ । କୌଣସି ଖେଳାଳିଙ୍କ ସ୍ଥାନରେ ଅନ୍ୟ ଖେଳାଳୀଙ୍କୁ ସାମିଲ କରାଇବାକୁ ହେଲେ ପ୍ରତିଯୋଗିତାର ବୈଷୟିକ କମିଟିର ଅନୁମୋଦନ ଆବଶ୍ୟକ ହୋଇଥାଏ । ଏଠାରେ କହି ରଖୁଛୁ ଯେ, ଏସିଆ କପ୍ ୨୦୨୨ରେ ଚମତ୍କାର ପ୍ରଦର୍ଶନ କରି ଶ୍ରୀଲଙ୍କା ଟାଇଟଲ୍ ଜିତିଥିଲା । ଏସିଆ କପରେ ଶ୍ରୀଲଙ୍କା ଭାରତ ଓ ପାକିସ୍ତାନ ଭଳି ବଡ଼ ଦଳକୁ ପରାସ୍ତ କରିଥିଲା । କିନ୍ତୁ ଟି-୨୦ ବିଶ୍ୱକପ ୨୦୨୨ର ପ୍ରଥମ ମ୍ୟାଚରେ ନାମିବିଆ ଭଳି ଏକ ଛୋଟ ଦଳଠାରୁ ମଧ୍ୟ ୫୫ ରନରେ ହାରିବାକୁ ପଡ଼ିଛି । ଆଗାମୀ ରାସ୍ତା ଶ୍ରୀଲଙ୍କା ଦଳ ପାଇଁ ବହୁତ କଷ୍ଟସାଧ୍ୟ ହୋଇପଡିଛି । ନାମିବିଆ ବିପକ୍ଷରେ ଦଳର କୌଣସି ବ୍ୟାଟ୍ସମ୍ୟାନ୍ ଦମଦାର୍ ପ୍ରଦର୍ଶନ କରିପାରିନଥିଲେ । ଏହି କାରଣରୁ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଭାରତୀୟ ଷ୍ଟାର କ୍ରିକେଟର ଜସପ୍ରୀତ ବୁମ୍ରା ଆହତ ଟି-୨୦ ବିଶ୍ୱକପରୁ ବାହାର ହୋଇଛନ୍ତି । ଆହତ କାରଣରୁ ପାକିସ୍ତାନର ଦ୍ରୁତ ବୋଲର ଶାହିନ୍ ଆଫ୍ରିଦି ମଧ୍ୟ ଟି-୨୦ ବିଶ୍ୱକପ ୨୦୨୨ରୁ ଆଉଟ୍ ହୋଇଛନ୍ତି । ଏଥି ସହିତ ଇଂଲଣ୍ଡର ଜୋଫ୍ରା ଆର୍ଚର ଓ ଜନି ବେୟାରଷ୍ଟୋ ଓ ଦକ୍ଷିଣ ଆଫ୍ରିକାର ଡୱେନ ପ୍ରିଟୋରିୟସ ମଧ୍ୟ ଆହତ କାରଣରୁ ଟି -୨୦ ବିଶ୍ୱକପରେ ଖେଳି ପାରିବେ ନାହିଁ । ସେହିପରି ବିଗତ ଦିନରେ ଆୟର୍ଲାଣ୍ଡ ଦଳକୁ ଜୋରଦାର ଝଟକା ଲାଗିଥିଲା । ଏହି ଟିମର ଜଣେ ଷ୍ଟାର୍ ଖେଳାଳି ଆହତ ହୋଇଛନ୍ତି । କ୍ରେଗ୍ ୟଙ୍ଗ୍ ଆହତ କାରଣରୁ ତାଙ୍କୁ ଟି-୨୦ ବିଶ୍ୱକପରୁ ବାଦ୍ ଦିଆଯାଇଛି । ସେ ଚିକିତ୍ସା ପାଇଁ ଆୟର୍ଲାଣ୍ଡକୁ ଫେରିବେ । ଆହତ କ୍ରେଗ ୟଙ୍ଗଙ୍କ ସ୍ଥାନରେ ୩୧ ବର୍ଷୀୟ ଗ୍ରାହମ ହୁମକୁ ସ୍ଥାନ ମିଳିଛି ।
