ପିପିଲି ଉପନିର୍ବାଚନ : ଆଜି ମତଦାନ, ନେତା ବାଛିବେ ଜନତା
- ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷରୁ ଅଧିକ ଭୋଟର
- ୩ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ, ୨୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ
ପିପିଲି : ଆଜି ପିପିଲି ଉପନିର୍ବାଚନ ପାଇଁ ମତଦାନ । ଗୁରୁବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିପାରିବେ । ଭୋଟ୍ ଗ୍ରହଣ ପାଇଁ ରାଜ୍ୟର ଏହି ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୨୩ଟି ବୁଥରେ ମାଇକ୍ରୋ ଅବଜରଭର ରହିଥିବା ବେଳେ ୧୨ଟି ବୁଥରେ ଭିଡିଓଗ୍ରାଫି କରାଯିବ । ମତଦାନ ଜରିଆରେ ଜନସାଧାରଣ ପିପିଲି ପାଇଁ ବିଧାୟକ ବାଛିବେ। ନିର୍ବାଚନ ପାଇଁ ପୋଲିଂ ବୁଥରେ ପୋଲିଂ ପାର୍ଟି ପହଞ୍ଚି ସାରିଛନ୍ତି। ଇଭିଏମ ମେସିନ ସହ ଭୋଟ ଗ୍ରହଣ ପାଇଁ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତ କରି ରଖିଛନ୍ତି। ନେତା ବାଛିବେ ପିପିଲିର ୨ଲକ୍ଷ ୨୯ ହଜାର ଭୋଟର। ସକାଳ ୭ଟାରୁ ଆରମ୍ଭ ହେବ ମତଦାନ। ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ ୨୦ଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି।
ଏହା ପୂର୍ବରୁ ଜିଲାପାଳ ସବୁ ବ୍ୟବସ୍ଥାର ଯାଂଚ କରିଥିବା ବେଳେ ଆଇନ୍ ଶୃଙ୍ଖଳା ସ୍ଥିତି ନେଇ ପୁରୀ ଏସପି ସମୀକ୍ଷା କରିଛନ୍ତି । ଚିହ୍ନଟ ହୋଇଥିବା ୨୦୧ ସମ୍ବେଦନଶୀଳ ବୁଥ୍ ମଧ୍ୟରୁ ୧୭୫ ବୁଥରେ ୱେବ କାଷ୍ଟିଂ ହେବ । ସବୁ ବୁଥରେ ପ୍ରିଜାଇଡିଂ ଅଫିସର ଓ ବିଏଲଓ ପହଂଚି ଇଭିଏମ୍, ଭିଭିପାଟ୍ ଓ ନିର୍ବାଚନୀ ଦସ୍ତାବିଜର ଯାଂଚ କରିଛନ୍ତି । ଭୋର ୫ଟା ୩୦ରେ ସମସ୍ତ ରାଜନୈତିକ ଦଳର ଏଜେଂଟଙ୍କ ଆଗରେ ଇଭିଏମ୍, ଭିଭିପାଟ୍ ଖୋଲାଯାଇ ପ୍ରଥମେ ମକ୍ ଭୋଟିଂ ହେବ । ଚିହ୍ନଟ ହୋଇଥିବା ୨୦୧ ସମ୍ବେଦନଶୀଳ ବୁଥ୍ ମଧ୍ୟରୁ ୧୭୫ ବୁଥରେ ୱେବ କାଷ୍ଟିଂ ହେବ । ଭୋର ୫ଟା ୩୦ରେ ସମସ୍ତ ରାଜନୈତିକ ଦଳର ଏଜେଂଟଙ୍କ ଆଗରେ ଇଭିଏମ୍, ଭିଭିପାଟ୍ ଖୋଲାଯାଇ ପ୍ରଥମେ ମକ୍ ଭୋଟିଂ ହେବ । ସୁରକ୍ଷା ଦୃଷ୍ଟିରୁ ୧୦ଟି ସ୍ଥାନରେ ନାକାବନ୍ଦୀ ଓ ଚେକପୋଷ୍ଟ କରାଯାଇଛି । ଏଥିରେ ୩୦ ଜଣ ଏସଆଇ ଓ ଏଏସ୍ଆଇ ରାଙ୍କର ଅଫିସର ସହ ୩୦ ସେକ୍ସନ୍ ଫୋର୍ସ ନିୟୋଜିତ ହୋଇଛନ୍ତି । ପିପିଲି, ଡେଲାଙ୍ଗ, ବଳଙ୍ଗା ଓ ସତ୍ୟବାଦୀ ଥାନା ଅଂଚଳରେ ୬ ଜଣ ଏସ୍ଆଇ ଓ ଏଏସ୍ଆଇଙ୍କ ସହ ୧୫ ସେକ୍ସନ୍ ଫୋର୍ସକୁ ନେଇ କ୍ୟୁଆରଟି ଗଠନ ହୋଇଛି ।
ପୁରୀ ଏସ୍ପି ଡକ୍ଟର କନୱର ବିଶାଲ ସିଂହଙ୍କ ତତ୍ତ୍ୱାବଧାନରେ ୩ଜଣ ଅତିରିକ୍ତ ଏସ୍ପି ସମଗ୍ର ନିର୍ବାଚନମଣ୍ଡଳୀକୁ ପରିଚାଳନା କରୁଛନ୍ତି। ନିର୍ବାଚନମଣ୍ଡଳୀକୁ ୩ ଭାଗରେ ବିଭକ୍ତ କରାଯାଇଥିବା ବେଳେ ବଳଙ୍ଗା ଥାନା ଓ ସତ୍ୟବାଦୀ ଥାନା ଅଞ୍ଚଳ ଦାୟିତ୍ୱରେ ଅତିରିକ୍ତ ଏସ୍ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ରହିଥିବା ବେଳେ ଡେଲାଙ୍ଗ ଥାନା ଅଞ୍ଚଳ ଦାୟିତ୍ୱରେ ଅତିରିକ୍ତ ଏସ୍ପି ମିହିର କୁମାର ପଣ୍ଡା ଓ ପିପିଲି ଥାନା ଅଞ୍ଚଳ ଦାୟିତ୍ୱରେ ଅତିରିକ୍ତ ଏସ୍ପି ପ୍ରଫୁଲ୍ଲ ଚନ୍ଦ୍ର ବଡଜେନା ରହିଛନ୍ତି। ଏହି ନିର୍ବାଚନମଣ୍ଡଳୀକୁ ୪ଟି ଜୋନ୍ରେ ବିଭକ୍ତ କରାଯାଇ ପ୍ରତି ଜୋନ୍ ଦାୟିତ୍ୱରେ ଜଣେ ଜଣେ ଡିଏସ୍ପି ପାହ୍ୟାର ଅଧିକାରୀଙ୍କୁ ରଖାଯାଇଛି। ସେହିପରି ସମଗ୍ର ନିର୍ବାଚନମଣ୍ଡଳୀକୁ ୧୧ଟି ସେକ୍ଟରରେ ବିଭକ୍ତ କରାଯାଇଥିବା ବେଳେ ପ୍ରତ୍ୟେକ ସେକ୍ଟରରେ ଜଣେ ଲେଖାଏଁ ଇନିସପେକ୍ଟର ପାହ୍ୟାର ଅଧିକାରୀଙ୍କୁ ଦାୟିତ୍ୱରେ ରଖାଯାଇଛି। ପ୍ରତ୍ୟେକ ପ୍ରାର୍ଥୀଙ୍କୁ ପୁଲିସ ପକ୍ଷରୁ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଯୋଗାଇ ଦିଆଯାଇଥିବା ସଂପର୍କରେ ଏସ୍ଡିପିଓ ଦେବଦତ୍ତ ବରାଳ ସୂଚନା ଦେଇଛନ୍ତି। ନିର୍ବାଚନମଣ୍ଡଳୀର ୨୦୧ଟି ସ୍ଥାନରେ ଥିବା ୩୪୮ଟି ମତଦାନ କେନ୍ଦ୍ରକୁ ଜଗିବା ପାଇଁ ୧୦ପ୍ଲାଟୁନ୍ ଫୋର୍ସଙ୍କୁ ନିୟୋଜିତ କରାଯାଇଥିବା ବେଳେ ୩୨ଟି ପୁଲିସ ମୋବାଇଲ ପାର୍ଟି ସମଗ୍ର ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ଅଛନ୍ତି। ନିର୍ବାଚନ ପାଇଁ ୩ କଂପାନୀ ଅର୍ଦ୍ଧସାମରିକ ବାହିନୀ (ବିଏସ୍ଏଫ୍ ଯବାନ) ଓ ମୋଟ୍ ୨୫ ପ୍ଲାଟୁନ୍ ଓଡିଶା ପୁଲିସ ଫୋର୍ସଙ୍କୁ ନିୟୋଜିତ କରାଯାଇଥିବା ସଂପର୍କରେ ପିପିଲି ଏସ୍ଡିପିଓ ଶ୍ରୀବରାଳ ସୂଚନା ଦେଇଛନ୍ତି। ପିପିଲି ଥାନା ଅଞ୍ଚଳରେ ଏହି ନିର୍ବାଚନମଣ୍ଡଳୀର ୨୧ଟି ପଞ୍ଚାୟତ ଓ ପିପିଲି ଏନ୍ଏସି ରହିଥିବା ବେଳେ ଡେଲାଙ୍ଗ ଥାନା ଅଞ୍ଚଳରେ ୧୯ଟି ପଞ୍ଚାୟତ, ସତ୍ୟବାଦୀ ଥାନା ଅଞ୍ଚଳରେ ୨ଟି ପଞ୍ଚାୟତ ଓ ବଳଙ୍ଗା ଥାନା ଅଞ୍ଚଳରେ ୪ଟି ପଞ୍ଚାୟତ ରହିଛି। ସମଗ୍ର ନିର୍ବାଚନମଣ୍ଡଳୀର ସମସ୍ତ ୧୦ଟି ପ୍ରବେଶପଥ ଠାରେ ପୁଲିସ ପକ୍ଷରୁ କଡା ଯାଞ୍ଚ ବ୍ୟବସ୍ଥା କରାଯାଉଛି।
