ପିପିଲି ଉପନିର୍ବାଚନ : ପୋଲିଂ ଅଫିସର୍ ଅସୁସ୍ଥ, ମେଡିକାଲରେ ଭର୍ତ୍ତି
ପୁରୀ : ପିପିଲି ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଏହି ସମୟରେ ଘୋରଡିଆ ମତଦାନ କେନ୍ଦ୍ରରେ ଜଣେ ପୋଲିଂ ଅଫିସର ଅସୁସ୍ଥ ହୋଇପଡିଥିବା ଜଣାପଡିଛି । ମତଦାନ କେନ୍ଦ୍ରରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଆସି ତାଙ୍କୁ ଚିକିତ୍ସା କରିଛନ୍ତି । ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଡେଲାଙ୍ଗ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ରକ୍ତଚାପ କମିଯିବାରୁ ସେ ଅସୁସ୍ଥ ହୋଇଥିବା ଜଣାପଡିଛି । ଭୋଟ୍ ଗ୍ରହଣ ସମୟରେ ପୋଲିଂ ଅଫିସର ଜଣଙ୍କ ବସିଥିବା ଅବସ୍ଥାରେ ପଡି ଯାଇଥିଲେ । ତାଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଥିବା ଜଣାପଡିଛି । ବାନ୍ତି ମଧ୍ୟ ହୋଇଥିବା ଜଣାପଡିଛି । ପୋଲିଂ ଅଫିସରଙ୍କ ଅସୁସ୍ଥତା ଯୋଗୁଁ ଭୋଟିଂ ବାଧାପ୍ରାପ୍ତ ହୋଇନାହିଁ । ମତଦାନ କେନ୍ଦ୍ରରେ ନିୟୋଜିତ ଥିବା ଅନ୍ୟ ପୋଲିଂ ଅଫିସରମାନେ ଭୋଟ୍ ଗ୍ରହଣ ଜାରି ରଖିଛନ୍ତି ।
