ପିପିଲି ଉପ-ନିର୍ବାଚନ : ଭୋଟ୍ ଦେଲେ ୩ ପ୍ରମୁଖ ଦଳର ପ୍ରାର୍ଥୀ
ନିମାପଡା : ପିପିଲି ଉପନିର୍ବାଚନ ପାଇଁ ଗୁରୁବାର ମତଦାନ ଜାରି ରହିଛି । ସକାଳ ୭ଟାରୁ ବିଭିନ୍ନ ବୁଥରେ ଭୋଟିଂ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ମଧ୍ୟ ଭୋଟ୍ ଦେଇଛନ୍ତି । ପରିବାର ସହ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ମତଦାନ କରିଛନ୍ତି । ବୁଥ୍ ୫ରେ କଂଗ୍ରେସ ପ୍ରାର୍ଥୀ ବିଶ୍ବକେସନ ହରିଚନ୍ଦନ ମହାପାତ୍ର ମଧ୍ୟ ନିଜ ମତ ସାବ୍ୟସ୍ତ କରିଛନ୍ତି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ମତଦାନ କରିଛନ୍ତି ।
ସୂଚନା ଯେ, ଗତବର୍ଷ ଅକ୍ଟୋବର ମାସରେ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଆସନ ଖାଲି ପଡିଥିଲା । ତେଣୁ ଏଠାରେ ଉପ-ନିର୍ବାଚନ ଅନୁଷ୍ଠିତ ହେଉଛି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗୁରୁବାର ସକାଳ ୭ଟାରୁ ପିପିଲି ବିଧାନସଭା ଆସନ ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ମୋଟ ୨ ଲକ୍ଷ ୨୯ହଜାର ୯୯୮ ଭୋଟର ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। ପିପିଲିରେ ୧୯୯ ଏବଂ ଡେଲାଙ୍ଗ ବ୍ଲକ୍ରେ ୧୪୯ ମତଦାନ କେନ୍ଦ୍ରରେ ଏହି ମତଦାନ ହେଉଛି। ୧୨ଟି ମତଦାନ କେନ୍ଦ୍ରରେ ଭିଡିଓ ରେକର୍ଡିଂ କରାଯାଉଛି। ନିର୍ବାଚନ କମିସନଙ୍କ ନିର୍ଦେଶ ଅନୁଯାୟୀ ୨୦ଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି। ଭୋଟ ଗ୍ରହଣ କେନ୍ଦ୍ରରେ କୋଭିଡ୍ ଗାଇଡଲାଇନକୁ ବିଶେଷ ଗୁରୁତ୍ବ ଦିଆଯାଇଛି । ଯେଉଁମାନେ ଭୋଟ ଦେବାକୁ ଆସୁଛନ୍ତି ସେମାନଙ୍କର ଥର୍ମାଲ ସ୍କାନିଂ କରାଯିବା ସହ ସାନିଟାଇଜର, ଗ୍ଲୋବ୍ସ ଦିଆଯାଉଛି । ସାମାଜିକ ଦୂରତା ସହ ଭୋଟ ଦେଉଛନ୍ତି ଭୋଟର । ନିର୍ବାଚନରେ କରୋନା କଟକଣା କଡ଼ାକଡ଼ି ପାଳନ କରାଯାଉଥିବା ବେଳେ ଦିବ୍ୟାଙ୍ଗ ମତଦାତାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେହିପରି ଅତି ସମ୍ବେଦନଶୀଳ ବୁଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପିପିଲି ଓ ଡେଲାଙ୍ଗ ବ୍ଲକ୍ ର ୩୪୮ଟି ବୁଥ୍ ରେ ଏହି ମତଦାନ ଅନୁଷ୍ଠିତ ହେଉଛି । ଏଥିରୁ ୧୦୨ଟି ଅତି ସମ୍ବେଦନଶୀଳ ଥିବାବେଳେ ୭୩ଟି ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଛି । ୧୭୫ଟି ଯାକ ବୁଥରେ ୱେବ୍ କାଷ୍ଟିଂ ବ୍ୟବସ୍ଥା କରାଯାଇଛି। ୨୩ଟି ବୁଥରେ ମାଇକ୍ରୋ ପର୍ଯ୍ୟବେକ୍ଷକ ଅଛନ୍ତି । ୧୨ଟି ବୁଥରେ ଭିଡିଓ ଉତ୍ତୋଳନ କରାଯିବ। ୨୦ ଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି । ଭୋଟ ଗ୍ରହଣ ବେଳେ ଇଭିଏମ ମେସିନରେ ବୈଷୟିକ ତ୍ରୁଟି ଦେଖାଦେଲେ ତାକୁ ସଜାଡିବାକୁ ପାଇଁ ୮ ଜଣ ଇଞ୍ଜିନିୟର ଆଲର୍ଟ କରାଯାଇଛି। ପ୍ରାୟ ୭୦ ଟି ରିଜର୍ଭ ପୋଲିଂ ପାର୍ଟି ରଖାଯାଇଛି। ଯେଉଁମାନେ ଭୋଟ ଦେବାକୁ ଆସିବେ ତାପମାତ୍ର ଥର୍ମାଲ ସ୍କାନିଂରେ ମାପିବା ପରେ ଭୋଟ ଗ୍ରହଣ କେନ୍ଦ୍ରକୁ ଛଡାଯିବ। ଯେଉଁ ମାନଙ୍କ ତାପମାତ୍ର ଅଧିକ ଥିବ ସେମାନେ ଓ କୋଭିଡ ଆକ୍ରାନ୍ତ ମାନେ ଶେଷ ଘଣ୍ଟାରେ ଭୋଟ ଦେବେ। ଯେଉଁ ମାନଙ୍କର ଭୋଟ ପରିଚୟ ପତ୍ର ନଥିବ ସେମାନେ ଡ୍ରାଇଭିଂ ଲାଇସେନସ, ଅଧାର କାର୍ଡ, ପାନ କାର୍ଡ, ବ୍ୟାଙ୍କ ପାସବୂକ ଭଳି ୧୧ଟି ପରିଚୟ ପତ୍ର ଦେଖାଇ ଭୋଟ ଦେଇପାରିବେ।ଭୋଟ ଗ୍ରହଣ ପାଇଁ କେନ୍ଦ୍ର ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
