ପିପିଲି ଉପନିର୍ବାଚନ : ପ୍ରଚାର ମଇଦାନରେ ବଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ
ପୁରୀ : ପିପିଲି ଉପନିର୍ବାଚନ ଲାଗି ସୋମବାର ଠୁ ଆରମ୍ଭ ହେବ ବିଧିବଦ୍ଧ ପ୍ରଚାର । ସାନି ପ୍ରଚାର ଲାଗି ବିଜେଡି ବିଜେପି ଓ କଂଗ୍ରେସ ନିଜ ନିଜ ଷ୍ଟାର ପ୍ରଚାରକ ତାଲିକା ପୁଣି ଥରେ ଘୋଷଣା କରି ସାରିଛନ୍ତି । କୋଭିଡ କଟକଣା ଭିତରେ ହେବାକୁ ଥିବା ସାନି ପ୍ରଚାରରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିରୁ ତିନି କେନ୍ଦ୍ରମନ୍ତ୍ରୀ ଓ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କ ନାଁ ରହିଛି । ବଡ ବଡ ଶୋଭାଯାତ୍ରା ନକରି ଏଥର ଛୋଟ ଛୋଟ ସଭା ଓ ଡୋର ଟୁ ଡୋର କ୍ୟାମ୍ପେନ ଉପରେ ଯୋର ଦେଇଛନ୍ତି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ । ଏହି ପରିପ୍ରେକ୍ଷୀରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ମଧ୍ୟ ତାଙ୍କ ପ୍ରଚାର ଆରମ୍ଭ କରିଛନ୍ତି । ପିପିଲି ଦାଣ୍ଡ ମୁକୁନ୍ଦପୁର ଗୋପାଳ ଜିଉ ମନ୍ଦିରରେ ପ୍ରଥମେ ପୂଜାର୍ଚ୍ଚନା କରିବା ପରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଆଶ୍ରିତ ପଟ୍ଟନାୟକ । ବିଜେପି ପ୍ରାର୍ଥୀ ଆଶ୍ରିତ ପିପିଲି ଦାଣ୍ଡ ମୁକୁନ୍ଦପୁର, ତେଇଶିପୁର, ଜେନାପୁର ପଞ୍ଚାୟତରେ ଭୋଟରମାନଙ୍କୁ ଭେଟି ଭୋଟ୍ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ଏହି ଉପନିର୍ବାଚନରେ ଭୋଟର ବିଜେପିକୁ ବହୁମତ ଦେଇ ନିର୍ବାଚିତ କରିବେ ବୋଲି ବିଜେପି ଆଶାବାଦୀ ଅଛି ବୋଲି ଆଶ୍ରିତ ପଟ୍ଟନାୟକ କହିଛନ୍ତି ।
ସୂଚନ ଯେ, ସେପ୍ଟେମ୍ଵର ୩୦ରେ ଉପ ନିର୍ବାଚନ, ଅକ୍ଟୋବର ୩ରେ ଗଣତି । ତିନି ତିନିଥର ତାରିଖ ଘୋଷଣା ପରେ ସ୍ଥଗିତ ରହିଥିବା ଉପନିର୍ବାଚନ ଲାଗି ସେପ୍ଟେମ୍ବର ୪ ତାରିଖରେ ଚତୁର୍ଥ ଥର ପାଇଁ ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିଶନ । ତାରିଖ ଘୋଷଣା ପରେ ଲାଗୁ ହୋଇଥିଲା ଆଚରଣବିଧି । ପିପିଲି ମୈଦାନରେ ୧୦ ପ୍ରାର୍ଥୀ ଥିବାବେଳେ ପ୍ରମୁଖ ୩ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଭିତରେ ହେବ ଫାଇଟ୍ । ଆଜିଠାରୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଇଣ୍ଡୋର ମିଟିଂରେ ସର୍ବାଧିକ ୨ ଶହ ଲୋକ, ଆଉଟଡୋର୍ ମିଟିଂରେ ସର୍ବାଧିକ ୫ ଶହ ଲୋକଙ୍କୁ ଏକାଠି ହେବାର ଅନୁମତି ମିଳିଛି । ସେହିପରି ଷ୍ଟାର କ୍ୟାମ୍ପେନରଙ୍କ ଆଉଟ୍ ଡୋର୍ ମିଟିଂରେ ସର୍ବାଧିକ ହଜାରେ ଲୋକ ଏକାଠି ହୋଇପାରିବେ । ଅତି ବେଶୀରେ ୨୦ ଜଣ ଷ୍ଟାର କ୍ୟାମ୍ପେନରଙ୍କୁ ପ୍ରଚାର ପାଇଁ ଅନୁମତି ମିଳିବ। ସର୍ବାଧିକ ୫ ଜଣଙ୍କୁ ନେଇ ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ କରିପାରିବେ ପ୍ରାର୍ଥୀ । ପ୍ରଚାରରେ ବାଇକ୍ ରାଲି ଓ ରୋଡ୍ ସୋ’କୁ ଅନୁମତି ମିଳିନାହିଁ । ନିର୍ବାଚନ ପରିଚାଳନାରେ ସାମିଲ ସମସ୍ତ କର୍ମଚାରୀ ଡବଲ ଡୋଜ୍ କରୋନା ଟିକା ନେଇଥିବା ବାଧ୍ୟତାମୂଳକ ।
