ପରଲୋକରେ ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନ
ଭୁବନେଶ୍ୱର : ପରଲୋକରେ ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନ। ୯୩ ବର୍ଷ ବୟସରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ୧୯୯୦ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ ତ୍ରିଲୋଚନ । ଏହା ସହ ସେ୧୯୮୦ରେ ମେଘନାଦ ପୁରସ୍କାର, ୨୦୧୪ରେ କଳିଙ୍ଗ ପୁରସ୍କାର ଓ ୨୦୧୮ରେ କଳିଙ୍ଗ ରତ୍ନ ପୁରସ୍କାର ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ନିଜ ଜୀବନ କଳା ମଧ୍ୟରେ ସେ ତିନୋଟି ପୁସ୍ତକ ଯଥା ଦି ଫୋଟନ, କ୍ୱାଣ୍ଟମ୍ ମେକାନିକ୍ସ ଓ ଇଲେକ୍ଟ୍ରନ୍ କ୍ୟାପଚର୍ ବାଏ ପ୍ରୋଟନ ପାସିଂ ଥ୍ରୋ ହାଇଡ୍ରୋଜେନ ଲେଖିଛନ୍ତି ।
ପଦ୍ମଭୂଷଣ ତ୍ରିଲୋଚନ ୧୯୨୯ ମସିହା ଜାନୁଆରୀ ୩ ତାରିଖରେ ନୟାଗଡ ଜିଲାର ଘନସାଳିଆରେ ଜନ୍ମଗ୍ରହଣ କରିଥିଲେ । ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ପାଠ ପଢିବା ପରେ ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ପରେ ସେ ୟୁନିଭର୍ସିଟି ଅଫ୍ ଚିକାଗୋରେ ମଧ୍ୟ ଅଧ୍ୟୟନ କରିଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳର ପୂର୍ବତନ କୁଳପତି ଭାବେ ଦାୟିତ୍ୱ ତୁଲାଇଛନ୍ତି । ଆହୁରି ମଧ୍ୟ ସେ ଇନଷ୍ଟିଚ୍ୟୁଟ୍ ଅପ୍ ଫିଜିକ୍ସ ଭୁବନେଶ୍ୱରର ପ୍ରଥମ ନିର୍ଦ୍ଦେଶକ ଭାବେ ପଦ ସମ୍ଭାଳିଥିଲେ ।
