ପେଟ୍ରୋଲ ୨୫ ପଇସା ଓ ଡିଜେଲ ୧୩ ପଇସା ପ୍ରତି ଲିଟରରେ ମହଂଗା
- ପେଟ୍ରୋଲ-ଡିଜେଲରେ ପୁଣି ମୂଲ୍ୟ ବୃଦ୍ଧି
- ଅଶୋଧିତ ତୈଳ ୩ ବର୍ଷର ଉଚ୍ଚରେ
ନୂଆଦିଲ୍ଲୀ : ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଳ୍ୟ ବୃଦ୍ଧି ଘରୋଇ ବଜାରକୁ ମଧ୍ୟ ପ୍ରଭାବିତ କରିଛି । ପବ୍ଲିକ ସେକ୍ଟର ତୈଳ ମାର୍କେଟିଂ କମ୍ପାନୀ ଗୁଡ଼କ ଗୋଟିଏ ଦିନ ପରେ ପୁଣି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି । ଏହି ବୃଦ୍ଧି ସହିତ ପେଟ୍ରୋଲ ଲିଟର ପିଛା ୨୫ ପଇସା ଏବଂ ଡିଜେଲ ଲିଟର ପିଛା ୧୩ ପଇସା ମହଂଗା ହୋଇଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬.୬୬ ଟଙ୍କା ଏବଂ ଲିଟର ପିଛା ୮୭.୪୧ ଟଙ୍କାରେ ବିକ୍ରି ହେଉଛି । ଇଣ୍ଡିଆନ ଅଏଲ ୱେବ୍ସାଇଟ୍ ଅନୁଯାୟୀ ଦେଶର ଅନ୍ୟ ମହାନଗରୀରେ ଯଥାକ୍ରମେ ମୁମ୍ବାଇ, ଚେନ୍ନାଇ ଏବଂ କଲିକତାରେ ପେଟ୍ରୋଲର ମୂଲ୍ୟ ୧୦୨.୮୨, ୯୭.୯୧ ଏବଂ ୯୬.୫୮ ଟଙ୍କାକୁ ବୃଦ୍ଧି ଘଟିଛି । ଏଥି ସହିତ ଡିଜେଲ ମଧ୍ୟ ଏହି ମହାନଗରୀ ଗୁଡ଼ିକରେ ଯଥାକ୍ରମେ ୯୪.୮୪, ୯୨.୦୪ ଏବଂ ୯୦.୨୫ ଟଙ୍କା ହୋଇଥିବା ବେଳେ ଗତ ୨୬ ଦିନରେ ଡିଜେଲ ଲିଟର ପିଛା ୬.୬୩ ଟଙ୍କା ହୋଇଛି ।
ସୂଚନାଯୋଗ୍ୟ ଯେ, କ୍ରମାଗତ ଚତୁର୍ଥ ସପ୍ତାହ ପାଇଁ ଅଶୋଧିତ ତୈଳର ଚାହିଦା ବୃଦ୍ଧି ପାଇଛି । ଏହି କାରଣରୁ ଏହାର ମୂଲ୍ୟ ବ୍ୟାରେଲ ପିଛା ୭୪ ଡଲାରୁ ବୃଦ୍ଧି ପାଇଛି, ଯାହା ୩ ବର୍ଷର ଉଚ୍ଚ ଅଟେ । ଏହା ପୂର୍ବରୁ ଜୁଲାଇ ୨୦୧୮ରେ ଏହା ବ୍ୟାରେଲ ପିଛା ୭୩ ଡଲାର ଅତିକ୍ରମ କରିଥିଲା । ବରେଂଟ ଅଶୋଧିତ ବ୍ୟାରେଲ ପିଛା ୭୩.୯୯ ଡଲାରରେ ଏବଂ ଡବ୍ଲୁଟିଆଇ ଅଶୋଧିତ ବ୍ୟାରେଲ ପିଛା ୭୨.୧୨ ଡଲାରରେ ବନ୍ଦ ହୋଇଥିଲା ।
