ଆତ୍ମହତ୍ୟା କରୁଥିବା ଲୋକେ ଦୁର୍ବଳ ହୃଦୟର ନୁହନ୍ତି : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଯେଉଁମାନେ ଆତ୍ମହତ୍ୟା କରନ୍ତି ସେମାନେ ଦୁର୍ବଳ ହୃଦୟ ବୋଲି ବିବେଚନା କରାଯିବା ଉଚିତ୍ ନୁହେଁ। ପ୍ରତ୍ୟେକ ବ୍ୟକ୍ତି ନିଜର ଖରାପ ମାନସିକ ସ୍ୱାସ୍ଥ୍ୟ ସହିତ ଲଢ଼ନ୍ତି, ସମସ୍ତଙ୍କ ସମସ୍ୟାକୁ ଗୋଟିଏ ନିକିତିରେ ମାପଚୁପ କରି ଓଜନ କରିବା ଉଚିତ୍ ନୁହେଁ । ଆତ୍ମହତ୍ୟା ପାଇଁ ଉସୁକାଇବା ଏଫ୍ଆଇଆର୍ ବନ୍ଦ କରିବାକୁ କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କରି ସୁପ୍ରିମକୋର୍ଟ ଏହା କହିଛନ୍ତି। ସୂଚନାନୁସାରେ, କର୍ଣ୍ଣାଟକ ହାଇକୋର୍ଟ ଏହି ମାମଲାରେ ଅଭିଯୁକ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫଆଇଆରକୁ ଖାରଜ କରି କହିଥିଲେ ଯେ ‘ମୃତ ବ୍ୟକ୍ତି ଜଣକ ଡ୍ରାଇଭର ଥିଲେ, ସେ ସଡ଼କ ଦୁର୍ଘଟଣାରେ ଲୋକଙ୍କୁ ମୃତ୍ୟୁମୁଖରେ ପଡୁଥିବାର ମଧ୍ୟ ଦେଖିଥିବେ । ତାଙ୍କର ହୃଦୟ ଦୁର୍ବଳ ନଥିଲା । ସେ ନିଜ ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କ ସହିତ ମଧ୍ୟ କଥାବାର୍ତ୍ତା କରୁଥିଲେ । ଏଗୁଡ଼ିକ ହେଉଛି ଜଣେ ସାଧାରଣ ବ୍ୟକ୍ତିଙ୍କ ଆଚରଣ, କିଛି ଗମ୍ଭୀର ଚାପ ଦେଇ ଗତି କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ସେ ନଥିଲେ । ତେଣୁ ଏହି ମାମଲା ଜାରି ରଖିବା ନ୍ୟାୟ ପ୍ରତି ଏକ ଉପହାସ ସଦୃଶ ହେବ। ତେଣୁ ଏହି ମାମଲାକୁ ଖାରଜ କରିଦେବା ଉଚିତ ।
ଏହା ବିରୋଧରେ ହୋଇଥିବା ଆବେଦନକୁ ନେଇ ଜଷ୍ଟିସ୍ ଡି ଚନ୍ଦ୍ରଚୁଡ଼ ଏବଂ ଜଷ୍ଟିସ୍ ବି.ଭି ନାଗରତ୍ନାଙ୍କ ଖଣ୍ଡପୀଠ କହିଛନ୍ତି ଯେ ଶୁଣାଣି କରିବା ପରିବର୍ତ୍ତେ ହାଇକୋର୍ଟ ଅନୁମାନ ଅନୁଯାୟୀ କାର୍ଯ୍ୟ କରିଛନ୍ତି। ଏହି ଅଭିଯୋଗର ସତ୍ୟତା ଶୁଣାଣିରେ ଜଣାପଡିଥାନ୍ତା। କିନ୍ତୁ ତଦନ୍ତକୁ ବନ୍ଦ କରିଦିଆଯାଇଥିଲା । ସୁପ୍ରିମକୋର୍ଟ କହିଛନ୍ତି ଯେ ହାଇକୋର୍ଟ ଅନୁମାନ କରିଛନ୍ତି ଯେ ସାଧାରଣତ ମାନବୀୟ ଆଚରଣ କିପରି ହେବା ଉଚିତ ଏବଂ ଏହା କିପରି ହେବା ଉଚିତ ନୁହେଁ? ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିବା ବ୍ୟକ୍ତିଙ୍କୁ ‘ଦୁର୍ବଳ’ କୁହାଯାଇଛି । ତେବେ ବୈଜ୍ଞାନିକଙ୍କ ମତରେ ଜଣେ ବ୍ୟକ୍ତି କିପରି ମାନସିକ କିମ୍ବା ଶାରୀରିକ ସଙ୍କଟ ସହିତ ମୁକାବିଲା କରେ, ସେ କିପରି ପ୍ରେମ, ଦୁଃଖ, ସୁଖ ପ୍ରକାଶ କରେ, ଏଗୁଡ଼ିକ ମାନବ ମନର ବିଭିନ୍ନ ଦିଗ ସ୍ଥିର କରେ । ସମସ୍ତେ ଗୋଟିଏ ଛାଞ୍ଚରେ ଫିଟ୍ ହୋଇପାରିବେ ନାହିଁ । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଆତ୍ମହତ୍ୟା କରିଥିବା ବ୍ୟକ୍ତି ଦୁର୍ବଳ ହୃଦୟର ବୋଲି ଭାବିବା ଉଚିତ ନୁହେଁ । ସୂଚନା ଥାଉ କି କର୍ଣ୍ଣାଟକର ଜଣେ ସରକାରୀ ଅଧିକାରୀ ନିଜର କଳା ଟଙ୍କାକୁ ଧଳା ଟଙ୍କାରେ ପରିଣତ କରିବା ପାଇଁ ନିଜ ଡ୍ରାଇଭରଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରୁଥିଲେ । ଏଭଳି କରିବାକୁ ଆଇଭର ଜଣକ ମନା କରିବାରୁ ସେ ଡ୍ରାଇଭରଙ୍କୁ ହତ୍ୟା ଧମକ ଦେଇଥିଲେ । ଏହା ପରେ ପୀଡିତ ଜଣକ ୧୨ ପୃଷ୍ଠାର ଆତ୍ମହତ୍ୟା ନୋଟ ଲେଖି ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପାଇଁ ଅଧିକାରୀଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ ପରେ ଅଧିକାରୀ ଜାମିନ ପାଇଥିଲେ।
