ପେଗାସସ ସ୍ପାଇୱେୟାର ବିବାଦ ! ଜୁନ୍ ୨୮ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କହିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଇସ୍ରାଏଲର ଏନଏସ୍ଓ ତିଆରି କରିଥିବା ପେଗାସସ ସ୍ପାଇୱେୟାରକୁ ନେଇ ବିବାଦ ମଧ୍ୟରେ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ପେଗାସସ୍ କେଳେଙ୍କାରୀ ଘଟଣାର ତଦନ୍ତ କରୁଥିବା ‘ଜଷ୍ଟିସ୍ ରବୀନ୍ଦ୍ରନ୍ କମିଟି’କୁ ଆଜି ସୁପ୍ରିମ୍ କୋର୍ଟ ଅଧିକ ସମୟ ଦେଇଛନ୍ତି। ତଦନ୍ତ ରିପୋର୍ଟ ଦାଖଲ କରିବା ଲାଗି ଉକ୍ତ କମିଟି ଆଉ କିଛି ସମୟ ଚାହିଁଥିଲେ। ସୁପ୍ରିମ୍ କୋର୍ଟ ସେମାନଙ୍କ ଅନୁରୋଧ ରକ୍ଷା କରି ଜୁନ୍ ୨୮ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବା ଲାଗି କହିଛନ୍ତି।
ଭାରତର ପ୍ରଧାନ ବିଚାରପତି ଏନ୍. ଭି. ରମନା କହିଲେ ଯେ, ‘ଡିଭାଇସ୍’ଗୁଡ଼ିକୁ ପରୀକ୍ଷା କରିବା ଲାଗି କମିଟି ତା’ର ନିଜସ୍ବ ସଫ୍ଟୱେର୍ ପ୍ରସ୍ତୁତ କରିଛି ଏବଂ ସରକାରୀ ଏଜେନ୍ସିମାନଙ୍କ ଠାରୁ ମଧ୍ୟ ମତ ଓ ମନ୍ତବ୍ୟ ପାଇଛନ୍ତି। ଏଥିରେ ଗୋଟିଏ କଥା ହେଉଛି ଅନୁସନ୍ଧାନ ସମ୍ବନ୍ଧୀୟ। ତାହା ହେଉଛି ପେଗାସସ୍ ସଫ୍ଟ୍ୱେର୍ ବ୍ୟବହାର ପ୍ରତି ଡିଜିଟାଲ୍ ଫୋରେନ୍ସିକ୍ ଦିଗରୁ ତଦନ୍ତ କରିବା। ଦ୍ବିତୀୟ କଥାଟି ହେଉଛି ‘ସାଇବର୍ ସିକ୍ୟୁରିଟି’ ସମ୍ବନ୍ଧୀୟ ସୁପାରିସ। ତଦନ୍ତର ପ୍ରଥମାଂଶଟି ବୈଷୟିକ କମିଟିକୁ ଆସୁଥିବା ବେଳେ ଦ୍ବିତୀୟାଂଶଟି ବିଚାରପତିଙ୍କ ନେତୃତ୍ବାଧୀନ ୩ ସଦସ୍ୟବିଶିଷ୍ଟ କମିଟିକୁ ଆସୁଛି। ପେଗାସସ୍ ମାମଲାର ତଦନ୍ତ କରୁଥିବା ବୈଷୟିକ କମିଟି କହୁଛି ଯେ, ପେଗାସସ୍ ପାଇଁ ବିକଶିତ ଡିଭାଇସ୍ର ପରୀକ୍ଷା ନିମନ୍ତେ ‘ଏସ୍ଓପି’ ଚୂଡ଼ାନ୍ତ କରିବା ପ୍ରକ୍ରିୟା ଚାଲିଛି। ମେ ଶେଷ ସୁଦ୍ଧା ତାହା ସମ୍ପନ୍ନ ହେବ।
ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବରରେ ସୁପ୍ରିମକୋର୍ଟ ପେଗାସସ ସ୍ପାଇୱେୟାର ବିବାଦର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ କୋର୍ଟ ଗୋଟିଏ କମିଟି ବା ପ୍ୟାନେଲ ଗଠନ କରିଥିଲେ। ସୁପ୍ରିମକୋର୍ଟରେ ହୋଇଥିବା ଆବେଦନରେ କୁହାଯାଇଥିଲା ଯେ ଆମ୍ନେଷ୍ଟି ଇଣ୍ଟରନ୍ୟାଶନାଲ ପକ୍ଷରୁ ହୋଇଥିବା ଲ୍ୟାବ ଯାଞ୍ଚରେ ଅତିକମରେ ୧୪ ଜଣ ସାମାଜିକ କର୍ମୀ, ସାମ୍ବାଦିକ, ବିରୋଧୀ ଦଳ ନେତା ଓ ଅନ୍ୟ ଲୋକଙ୍କ ଫୋନକୁ ପେଗାସସ୍ ଦ୍ୱାରା ହ୍ୟାକ କରାଯାଇଥିବା ସ୍ପଷ୍ଟ ହୋଇଛି। ୨୦୧୭ ଜୁଲାଇ ମାସରେ ଭାରତର ଦୁଇ ଜଣ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ, ତିନି ଜଣ ବିରୋଧୀ ନେତା, ଜଣେ ସାମ୍ବିଧାନିକ କର୍ତ୍ତୃପକ୍ଷ, କେତେକ ବଛା ବଛା ସରକାରୀ ଅଫିସର, ବୈଜ୍ଞାନିକ, ୪୦ ଜଣ ସାମ୍ବାଦିକଙ୍କ ବିରୋଧରେ ପେଗାସସ୍ ଜରିଆରେ ଗୁଇନ୍ଦାଗିରି କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଏମାନଙ୍କ ବ୍ୟତୀତ ସରକାରଙ୍କ ଗୁପ୍ତ ନଜରରେ କିଛି ସାମାଜିକ କର୍ମୀ, ଆଇନଜୀବୀ ଓ ସୁପ୍ରିମକୋର୍ଟ ବିଚାରପତି ଥିବା ମଧ୍ୟ ରିପୋର୍ଟରେ କୁହାଯାଇଥିଲା। ଏହି ବ୍ୟକ୍ତିମାନଙ୍କ ଫୋନ୍ ତଥ୍ୟ ଖୋଳିତାଡ଼ି ବାହାର କରିବାର କୌଶଳ ହେଉଛି ପେଗାସସ୍।
ଏହା ଏମିତି ଏକ ସ୍ପାଇୱେୟାର ଯେ ଏହା ଲୋକମାନଙ୍କର ଫୋନ୍ ନମ୍ବର ପାଇଗଲେ ତା’ ଭିତରେ ଥିବା ସମସ୍ତ ତଥ୍ୟ ଚୋରେଇ ନେଇପାରିବ। ଫୋନ୍ରେ ହେଉଥିବା କଥାବାର୍ତ୍ତା, ହ୍ୱାଟ୍ସଆପ୍ ଚ୍ୟାଟ୍, ଫେସ୍ବୁକ୍ ଅପଡେଟ୍ ଆଦି ବହୁ ତଥ୍ୟ ଫୋନ୍ ବ୍ୟବହାରକାରୀଙ୍କ ଅଜ୍ଞାତସାରରେ ପେଗାସସ୍ ସ୍ପାଇୱେୟାର୍ ଚୋରି କରି ଏହାର କ୍ରେତାଙ୍କୁ ଜଣେଇଦେବ। ଏହିପରି ଭାବେ ପେଗାସସ୍ ବିଶ୍ୱର ବହୁ ଲୋକଙ୍କର ଫୋନ୍ ତଥ୍ୟ ହାସଲ କରିଥିବା ଆମ୍ନେଷ୍ଟି ଇଣ୍ଟରନ୍ୟାଶନାଲ ଓ ଫରବିଡିନ୍ ଷ୍ଟୋରିଜ୍ ଦାବି କରିଥିଲେ। ଏହି ଦୁଇ ସଂସ୍ଥା ସହିତ ଆଉ କେତେକ ସଂସ୍ଥା ମିଶି ପେଗାସସ୍ ପ୍ରକଳ୍ପ ନାମରେ କିଛି ବର୍ଷ ହେଲା ଏକ ଅନୁସନ୍ଧାନ ଚଳାଇଥିଲେ। ଏହି ଦୁଇ ସଂସ୍ଥା ସହ ସାମିଲ ଥିବା ଅନ୍ୟ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ହେଲେ ଆମେରିକାର ୱାଶିଂଟନ୍ ପୋଷ୍ଟ, ଇଂଲଣ୍ଡର ଦ ଗାର୍ଡ଼ିଆନ୍, ଫ୍ରାନ୍ସର ଲେ ମଣ୍ଡେ ଓ ଭାରତର ଦ ୱେୟାର। ଏହି ରିପୋର୍ଟ ପରେ ଭାରତରେ ହଇଚଇ ସୃଷ୍ଟି ହୋଇଥିଲା। ଶେଷରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ପେଗାସସକୁ ଭାରତ ସରକାର କିଣି ଲୋକଙ୍କ ବିରୋଧରେ ବ୍ୟବହାର କରୁଥିବା ବିରୋଧୀ ଅଭିଯୋଗ କରିଥିଲେ। କିନ୍ତୁ ସରକାର ଏହାକୁ ଖଣ୍ଡନ କରିଛନ୍ତି।
