ପେଗାସସ୍ ମାମଲା, ତଥ୍ୟ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ପେଗାସସ୍ ସ୍ପାଇୱେୟାର ମାମଲରେ ତଥ୍ୟ ମାଗିଲେ ସୁପ୍ରିମକୋର୍ଟ । ଯେଉଁମାନଙ୍କ ଫୋନ୍ ହ୍ୟାକ୍ ହୋଇଥିବା ନେଇ ସନ୍ଦେହ ରହିଛି, ସେମାନଙ୍କ ଫୋନ୍ ଯାଂଚ ପାଇଁ ସୁପ୍ରିମକୋର୍ଟ ପକ୍ଷରୁ ତିଆରି ହୋଇଥିବା ଟେକ୍ନିକ୍ କମିଟି ତଥ୍ୟ ମାଗିଛି । ଆସନ୍ତା ୭ ତାରିଖ ଭିତରେ ତଥ୍ୟ ଦେବାକୁ କମିଟି ପକ୍ଷରୁ ସାର୍ବଜନୀନ ନୋଟିସ୍ ଜାରି କରି କୁହାଯାଇଛି । ଫୋନ୍ର ଯାଂଚ ପାଇଁ ପ୍ରସ୍ତୁତ ଥିବା ମଧ୍ୟ କମିଟି କହିଛନ୍ତି ।
ନ୍ୟୁଜ ପୋର୍ଟାଲ ‘ଦ ୱାୟର’ର ରିପୋର୍ଟ ମୁତାବକ, ଭାରତରେ ୧୪୨ରୁ ଅଧିକ ଲୋକଙ୍କୁ ଇସ୍ରାଏଲ୍ର ସଫ୍ଟୱେଆର ପେଗାସସ ଜରିଆରେ ଟାର୍ଗେଟ କରାଯାଇଥିଲା । ରିପୋର୍ଟରେ କୁହାଯାଥିଲା, ଆମ୍ନାଷ୍ଟେ ଇଂଟରନ୍ୟାସନାଲ୍ର ସିକ୍ୟୁରିଟି ଲ୍ୟାବ ଦ୍ୱାରା କେତେକ ସେଲଫୋନର ଫୋରେନସିକ୍ ଯାଂଚରୁ ଗୁଇନ୍ଦାଗିରି ହୋଇଥିବା ନେଇ ଜଣାପଡିଛି । ଯେଉଁ ଲୋକଙ୍କ କଥିତ ରୂପେ ଗୁଇନ୍ଦାଗିରି ହୋଇଥିଲା, ସେହି ତାଲିକାରେ କଂଗ୍ରେସ ନେତା ରାହୁଲ ଗାନ୍ଧି, ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର, ଦୁଇଜଣ ବର୍ତମାନର କେନ୍ଦ୍ର ମନ୍ତ୍ରୀ, ପୂର୍ବତନ ନିର୍ବାଚନ କମିଶନର, ସୁପ୍ରିମକୋର୍ଟର ଦୁଇଜଣ ରେଜିଷ୍ଟ୍ରାର, ପୂର୍ବତନ ବିଚାରପତିଙ୍କ ପୁରୁଣା ନମ୍ବର, ପୂର୍ବତନ ଆଟର୍ଣ୍ଣି ଜେନେରାଲଙ୍କ ନିକଟ ସମ୍ପର୍କୀୟ ଓ ୪୦ ଜଣ ସାମ୍ବାଦିକ ସାମିଲ ଅଛନ୍ତି । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ପେଗାସସର ହ୍ୟାକିଂ ଟାର୍ଗେଟରେ ଭାରତର ୩୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତିଙ୍କ ନାଁ ରହିଛି ।
ପେଗାସସ୍ ମାଲିକ ଏନଏସଓ ଗ୍ରୁପ୍ କହିଥିଲା ଯେ, ସେ କେବଳ ସରକାର ଏବଂ ସରକାରୀ ଏଜେନ୍ସି ସହିତ ବ୍ୟବସାୟ କରେ । ଏହି ପ୍ରସଙ୍ଗରେ ସଂସଦରେ ସରକାର ଏକ ବିବୃତି ଦିଆଯାଇ ଥିଲା । ତେବେ ସଂସଦର କୌଣସି ଗୃହରେ ଏହି ପ୍ରସଙ୍ଗରେ ଆଲୋଚନା କରାଯାଇ ନଥିଲା, ପରେ ଏହାକୁ ନେଇ ବିରୋଧୀ ପ୍ରବଳ ହଙ୍ଗାମା କରିଥିଲେ । ହେଲେ ସରକାର ଏହାକୁ ଏକ ଗୁରୁତ୍ୱହୀନ ପ୍ରସଙ୍ଗ କହି ଆଲୋଚନାକୁ ଏଡ଼ାଇ ଚାଲିଥିଲେ ।
