ପେଗାସସ ମାମଲା : ତିନି ସଦସ୍ୟ ବିଶିଷ୍ଟ କମିଟି ଗଠନ କଲେ ସର୍ବୋଚ୍ଚ ନ୍ୟାୟାଳୟ
ନୂଆଦିଲ୍ଲୀ: ସରକାରଙ୍କ ଦ୍ୱାରା ପେଗାସସ ସଫ୍ଟୱେର ବ୍ୟବହାର କରାଯାଇ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ଗୁଇନ୍ଦାଗିରି ଅଭିଯୋଗ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ତିନି ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଛନ୍ତି । ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଆର ଭି ରବିନ୍ଦ୍ରନ୍ ଏହି କମିଟିର ନେତୃତ୍ୱ ନେବେ । କମିଟିର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଆଲୋକ ଜୋଷୀ ଏବଂ ସନ୍ଦୀପ ଓବେରଇଙ୍କୁ ନିଆଯାଇଛି । ପେଗାସସ ଗୁଇନ୍ଦାଗିରି ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିରୀକ୍ଷଣରେ ତଦନ୍ତ କରାଯିବାକୁ ଆଗତ ଏକାଧିକ ଯାଚିକା ଉପରେ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ନିଷ୍ପତି ନେଇଛନ୍ତ । ସୁପ୍ରିମକୋର୍ଟ ର ପ୍ରଧାନ ବିଚାରପତି ଜଷ୍ଟିସ ଏନ୍ଭି ରମନାଙ୍କ ନେତୃତ୍ୱରେ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ ବୁଧବାର ଦିନ ଏହି କମିଟିକୁ ପେଗାସସ ଗୁଇନ୍ଦାଗିରି ସମ୍ପର୍କରେ ଆସିଥିବା ଅଭିଯୋଗଗୁଡିକର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ତାଙ୍କ ରିପୋର୍ଟ ସର୍ବୋଚ୍ଚ ନ୍ୟାୟାଳୟ ନିକଟରେ ରଖିବାକୁ କହିଛନ୍ତି । ମାମଲାର ପରବର୍ତୀ ଶୁଣାଣି ଆଠ ସପ୍ତାହ ପରେ ଆରମ୍ଭ ହେବ । ପେଗାସସ ଗୁଇନ୍ଦାଗିରି ବିବାଦରେ କଣ ମିଛ କୁହାଯାଉଛି ଏବଂ ଏହା ପଛରେ ପ୍ରକୃତ ସତ କଣ ତାହା ତଦନ୍ତ କରିବାକୁ କମିଟିକୁ କୁହାଯାଇଛି । ଏଥିସହିତ ଗୋପନୀୟତା ଅଧିକାର ଉଲ୍ଲଂଘନ ବିଷୟର ମଧ୍ୟ ତଦନ୍ତ କରାଯିବା ଆବଶ୍ୟକ । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଭାରତୀୟଙ୍କ ଉପରେ ସତର୍କ ଦୃଷ୍ଟି ରଖିବା କ୍ଷେତ୍ରରେ ବିଦେଶୀ ସଂସ୍ଥାର ସଂପୃକ୍ତିକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ପେଗାସସ ଗୁଇନ୍ଦାଗିରି ଅଭିଯୋଗକୁ ନେଇ କେନ୍ଦ୍ର ପକ୍ଷରୁ ନିର୍ଦ୍ଦିଷ୍ଟ ଭାବରେ କିଛି ମନା କରାଯାଇ ନଥିବାରୁ ଆବେଦନ କାରୀଙ୍କ ଯାଚିକାଗୁଡିକୁ ଗ୍ରହଣ କରିବା ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ । ସେଥିପାଇଁ ଏହି ବିଶେଷଜ୍ଞ କମିଟି ନିଯୁକ୍ତ କରାଯାଉଛି, ଯିଏ ଏହି ଅଭିଯୋଗର ତଦନ୍ତ କରିବେ ଏବଂ କମିଟିର କାର୍ଯ୍ୟକୁ ସୁପ୍ରିମକୋର୍ଟ ନିରୀକ୍ଷଣ କରିବେ ।
ଜନସାଧାରଣଙ୍କ ଉପରେ ଅଯଥା ଗୁଇନ୍ଦାଗିରି ପାଇଁ ଅନୁମତି ମିଳିବ ନାହିଁ କହି ‘ପେଗସସ୍ କେଳେଙ୍କାରୀ’ ମାମଲାର ତଦନ୍ତ ନିମନ୍ତେ ସୁପ୍ରିମ୍କୋର୍ଟ ବିଶେଷଜ୍ଞ କମିଟି ଗଠନ କରିଛନ୍ତି । ଉପରୋକ୍ତ ବିଶେଷଜ୍ଞ କମିଟିର ନେତୃତ୍ୱ ନେବେ ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ଆର୍.ଭି. ରବୀନ୍ଦ୍ରନ୍ । ‘ପେଗସସ୍’ ମାମଲାର ଶୁଣାଣି ବେଳେ ଭାରତର ପ୍ରଧାନ ବିଚାରପତି କହିଲେ, ଏହି କମିଟିର ସଦସ୍ୟ ହେବା ପାଇଁ ଆମେ ଖ୍ୟାତନାମା ବିଶେଷଜ୍ଞମାନଙ୍କୁ ଚୟନ କରିଛୁ । ସେ ବିଶେଷଜ୍ଞମାନଙ୍କର ‘ସାଇବର୍ ସିକ୍ୟୁରିଟି’ ଏବଂ ‘ଫୋରେନ୍ସିକ୍’ ବିଦ୍ୟାରେ ଜ୍ଞାନ ଅଛି । ଏହି ତିନିଜଣିଆ ସଦସ୍ୟବିଶିଷ୍ଟ କମିଟିର ମୁଖ୍ୟ ହେବେ ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ଆର୍. ଭି. ରବୀନ୍ଦ୍ରନ୍ । ଏଥିରେ ଅନ୍ୟତମ ସଦସ୍ୟ ରହିବେ ଆଲୋକ ଯୋଶୀ । ୮ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ଲାଗି ସୁପ୍ରିମ୍କୋର୍ଟ ଉକ୍ତ କମିଟିକୁ କହିଛନ୍ତି । ତେଣୁ, ଏହି ମାମଲାର ତ୍ୱରିତ ତଦନ୍ତ କରିବା ଲାଗି କମିଟିକୁ ଅନୁରୋଧ କରାଯାଇଛି । ଅଦାଲତ ତତ୍ୱାବଧାନରେ ‘ପେଗାସସ୍ ସ୍ପାେଇୱର୍’ କେଳେଙ୍କାରୀର ତଦନ୍ତ ଦାବି କରି ଦାଖଲ ହୋଇଥିବା କିଛି ପିଟିସନ୍ର ଶୁଣାଣି କରି ସୁପ୍ରିମ୍କୋର୍ଟ ଏହି କମିଟି ଗଠନ କରିଛନ୍ତି । ପ୍ରଧାନ ବିଚାରପତି ଏନ୍. ଭି. ରମନା ଏବଂ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଏହି ଖଣ୍ଡପୀଠ ଏହି ମାମଲାରେ ତିନୋଟି ପୃଥକ୍ ପିଟିସନ୍ ଶୁଣାଣି କରିଥିଲେ । ସୂଚନାଯୋଗ୍ୟ, ଇଜ୍ରାଏଲୀୟ ‘ସ୍ପାେଇୱର୍୍ ପେଗସସ୍’ ବ୍ୟବହାର କରି କେତେକ ପ୍ରସିଦ୍ଧ ନାଗରିକ, ରାଜନୀତିଜ୍ଞ ଏବଂ ସାମ୍ବାଦିକମାନଙ୍କ ଉପରେ ‘କେନ୍ଦ୍ରୀୟ ଏଜେନ୍ସି’ ଗୁଇନ୍ଦାଗିରି କରିଥିବା କଥା ଅଭିଯୋଗ ଓ ପ୍ରଘଟ ହେବା ପରେ ସର୍ବସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଥିଲା ।
