ସୁବର୍ଣ୍ଣରେଖାରେ ଅତିକ୍ରମ କଲା ପିକ୍ ଫ୍ଲଡ୍, ଆକଳନ ଠାରୁ କମ୍ ରହିଛି ଜଳସ୍ତର : ଜଳସମ୍ପଦ ଯନ୍ତ୍ରୀ
ଜଳସ୍ତରର ତଦାରଖ କଲେ ସେଣ୍ଟ୍ରାଲ ୱାଟର କମିଶନ
୨, ୩ଦିନ ପର୍ଯ୍ୟନ୍ତ ତଳିଆ ଅଞ୍ଚଳରେ ରହିପାରେ ବନ୍ୟା ସ୍ଥିତି
ବାଲେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱର ରାଜଘାଟ ସ୍ଥିତ ସୂବର୍ଣ୍ଣରେଖା ନଦୀରେ ଧିରେ ଧିର କମୁଛି ଜଳସ୍ତର । ସୁବର୍ଣ୍ଣରେଖାରେ ପିକ୍ ଫ୍ଲଡ୍ ଅତିକ୍ରମ କରିସାରିଛି । ଆକଳନ ଠାରୁ ନଦୀର ଜଳସ୍ତର କମ୍ ରହିଛି । ସେପଟେ ଝାଡଖଣ୍ଡରେ ବର୍ଷା କମୁଥିବାରୁ ଗାଲୁଡିହ ଡ୍ୟାମର ଗେଟ୍ ବନ୍ଦ ହେଉଛି । ଧିରେ ଧିରେ ଆସିବ ସ୍ଥିତିରେ ସୁଧାର । ମାତ୍ର ଆଉ ୨ ରୁ ୩ ପର୍ଯ୍ୟନ୍ତ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ରହିବ ବୋଲି ଜଳସମ୍ପଦ ଯନ୍ତ୍ରୀ ସୂଚନା ଦେଇଛନ୍ତି ।
ରାଜଘାଟରେ ଜଳସ୍ତର ୧୧.୮୮ମିଟର ଉପରେ ପ୍ରବାହିତ ହେଉଛି । ତଥାପି ଟଳିନି ବିପଦ । ବିପଦ ସଙ୍କେତ ୯ ଫୁଟ ୪୫ମିଟର ଥିବାବେଳେ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି ବନ୍ୟାଜଳ । ବନ୍ୟା ଆଶଙ୍କାରେ ବାଲିଆପାଳର ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ବାଲିଆପାଳ ଓ ଭୋଗରାଇ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତଳିଆ ଅଞ୍ଚଳରୁ ୪୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଆହୁରି ୧୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ ବୋଲି ସୂଚନା ରହିଛି ।
ସେହିପରି ରାଜଘାଟରେ ସେଣ୍ଟ୍ରାଲ ୱାଟର କମିଶନଙ୍କ ଟିମ୍ ପହଞ୍ଚି ଜଳସ୍ତରର ତଦାରଖ କରିଛନ୍ତି । ନଦୀବନ୍ଧର ଦୁର୍ବଳ ସ୍ଥାନଗୁଡିକ ଉପରେ ନଜର ରଖିଛନ୍ତି ସ୍ୱତନ୍ତ୍ର ଟିମ୍ । ବନ୍ୟା ମୁକାବିଲା ପାଇଁ ୫ଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି । ଏମାନେ ବନ୍ୟା ମୁକାବିଲା, ଉଦ୍ଧାର କାର୍ଯ୍ୟ ଓ ରିଲିଫ୍ କାମରେ ତହସିଲଦାର, ବିଡିଓ ଏବଂ ଅନ୍ୟ ଅଧିକାରୀଙ୍କୁ ସହଯୋଗ କରିବେ । ବାଲେଶ୍ୱର ଜିଲ୍ଲାର ୪ଟି ବ୍ଲକରେ ୮୦ଟି ବାତ୍ୟା ଆଶ୍ରୟସ୍ଥଳୀ ସହ ବନ୍ୟା ଅଞ୍ଚଳରେ ଥିବା ସମସ୍ତ ସ୍କୁଲ ଗୁଡିକୁ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
