ବାଲେଶ୍ୱର ଜିଲା କଂଗ୍ରେସ ପକ୍ଷରୁ ଗାନ୍ଧୀ ମୂର୍ତ୍ତି ଆଗରେ ଶାନ୍ତିପୂର୍ଣ୍ଣ ଗଣ ଧାରଣା
ବାଲେଶ୍ୱର : ମୋଦି ସରକାର ଗଣତନ୍ତ୍ର ବିଧି ବ୍ୟାନ୍ ବ୍ୟବସ୍ଥାକୁ ହତ୍ୟା କରି ଚାଲିଛନ୍ତି । ବିରୋଧୀ ଦଳର ନେତାମାନଙ୍କୁ ସଂସଦ ଭିତରେ ଓ ବାହାରେ ନିଜ ମତ ବ୍ୟକ୍ତ କରିବାକୁ ସୁଯୋଗ ଦେଉନାହାନ୍ତି । ଏହାର ପ୍ରତିବାଦ କରି ଦେଶ ବ୍ୟାପୀ ଆଜି କଂଗ୍ରେସ ଦଳ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା ।

ଆଜି ବାଲେଶ୍ୱର ଜିଲା କଂଗ୍ରେସ ସଭାପତି ସଞ୍ଜୀବ ଗିରିଙ୍କ ନେତୃତ୍ୱରେ ଦଳର କର୍ମକର୍ତ୍ତାମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଧାରଣା ଦେଇଥିଲେ । ଏହି ଅବସରରେ ଜିଲା ସଭାପତି ଶ୍ରୀ ଗିରି କହିଥିଲେ କି ରାହୁଲ ଗାନ୍ଧୀ ଗୁଜୁରାଟର ଏକ ସଭାରେ ସବୁ ଚୋରଙ୍କ ସାଙ୍ଗିଆ କାହିଁକି ମୋଦି ଅଟେ? ଏଭଳି ପ୍ରତିକ୍ରିୟା ଉପରେ ଅଦାଲତ ଦଣ୍ଡ ଦେବା କିଛି ବଡ଼ କଥା ନୁହେଁ, ମାତ୍ର ଯେଉଁ ପ୍ରଧାନମନ୍ତ୍ରୀ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ମମତା ବାନାର୍ଜୀଙ୍କୁ ଅତି ଖରାପ ଭାଷାରେ କଟାକ୍ଷ କରିଚାଲିଛନ୍ତି ସେ କଣ ସଭ୍ୟ ଅଟନ୍ତି? ଅଦାନୀଙ୍କ କମ୍ପାନୀରେ ଭାଜପାର କେଉଁ ନେତା ୨୦ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିଛନ୍ତି ଓ କେଉଁ ଚାଇନିଜ କମ୍ପାନୀ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନରେ ଅର୍ଥ ବିନିଯୋଗ କରିଛନ୍ତି ତାର ହିସାବ ମୋଦି ସରକାର ସଂସଦରେ ଉପସ୍ଥାପନ କରନ୍ତୁ । ଏ ସବୁ ପ୍ରଶ୍ନ ରାହୁଲ ଗାନ୍ଧୀ ଉଠାଇ ଥିବାରୁ ତାଙ୍କୁ ମୋଦି ବାରମ୍ବାର ଅଡୁଆରେ ପକାଇବାକୁ ଉଦ୍ୟମ କରୁଛନ୍ତି । ଏହି ଧାରଣାରେ ପିସିସି ସମ୍ପାଦକ ଅର୍ଚ୍ଚନା ନନ୍ଦୀ, ଜିଲା କଂଗ୍ରେସ ଉପ-ସଭାପତି କୃଷ୍ଣ ଗୋପଳ ପଣ୍ଡା ଓ ଗୋପୀନାଥ ପଢ଼ୀ, ସଦର ବ୍ଲକ କଂଗ୍ରେସ ସଭାପତି ଜୟକୃଷ୍ଣ ବେହେରା, ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞା ପାରମିତା ମହାନ୍ତି, ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଛାତ୍ର ସଭାପତି ଗୌତମ ସାହୁ, ଯୁବ ନେତା ସରୋଜ ଲେଙ୍କା, ଜିଲା କଂଗ୍ରେସ ସାଧାରଣ ସମ୍ପାଦକ ଦେବଦତ୍ତ ଦାସ, ପ୍ରତିମା ପଣ୍ଡା, ସ୍ମାରକ ଦାଶ, ଜୀବନ ମହାପାତ୍ର, ଜଗବନ୍ଧୁ ଜେନା, ଆଲୋକ ମାଝୀ, ବିନିତା ସାହୁ, ନବ ପ୍ରସାଦ ଭୂୟାଁ ପ୍ରମୁଖ ସାମିଲ ହୋଇଥିଲେ । ଆସନ୍ତା ୨୭ ତାରିଖରେ ଦଳ ପକ୍ଷରୁ ସହରରେ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହେବ ।
