ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ୮ ଗୁରୁତର
ଜଳେଶ୍ୱର : ଜଳେଶ୍ୱର ୬୦ ନମ୍ବର ଜାତୀୟ ରାଜପଥ ଆମ୍ବଳିଅଠା ବାଇପାସ୍ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ୮ ଗୁରୁତର । ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ଯାଉଥିଲା ବସ୍ । ୮ ଗୁରୁତରଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଉ କିଛି ଆହତ ହୋଇଥିବା ଜଣାପଡିଛି । ଖବରପାଇ ଘଟଣାସ୍ଥଳରେ ଜଳେଶ୍ୱର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଯେ, ଗତ ଗୁରୁବାର ସନ୍ଧ୍ୟାରେ ପ୍ରଧାନ ନାମକ ଏକ ଘରୋଇ ବସ (ନଂ. ଓଡି୫ଓ୍ବାଇ-୦୦୧୫) ଭୁବନେଶ୍ଵରରୁ କୋଲକାତା ଅଭିମୁଖେ ବାହାରିଥିଲା। ବସରେ ୩୩ ଯାତ୍ରୀଙ୍କ ସହ ଚାଳକ ଓ ବସ୍ କର୍ମଚାରୀଙ୍କୁ ମିଶାଇ ମୋଟ ୩୭ ଜଣ ରହିଥିଲେ। ତେବେ ରାତି ପ୍ରାୟ ୨ ଟା ୪୫ ମିନିଟ ସମୟରେ ଆମ୍ବିଳିଅଠା ବ୍ରିଜ-ଲକ୍ଷ୍ମଣନାଥ ମଝିରେ ଥିବା (ବ୍ରିଜ ଠାରୁ ୨୦୦ ମିଟର ଆଗକୁ)ଏକ ହମ୍ପସ ଥିବାରୁ ବସର ଚାଳକ ବ୍ରେକ ମାରି ଗାଡ଼ିର ବେଗ କମାଇଥିଲେ। ଏହି ସମୟରେ ପାରାଦୀପରୁ କୋଲକାତା ଅଭିମୁଖେ ଯାଉଥିବା ଏକ ମାଲ ବୋଝେଇ ଟ୍ରକ (ନଂ. ଓଡି୨୧ଜେ-୮୩୪୭) ବସକୁ ପଛରୁ ଧକ୍କା ଦେଇଥିଲା। ଫଳରେ ବସଟି ଚାଳକଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯିବା ସହ ୫୦ ମିଟର ଆଗକୁ ଗଡ଼ି ଯାଇଥିଲା। ଏହାପରେ ରାସ୍ତା ପାର୍ଶ୍ବରେ ଥିବା ପ୍ରୋଟେକସନ ବାଡ଼କୁ ଭାଙ୍ଗି ଏକ ଗଛରେ ବାଡ଼େଇ ଯିବା ସହ ରାସ୍ତା ପାର୍ଶ୍ବକୁ ଓଲଟି ପଡ଼ିଥିଲା। ପରେ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ କୋଲକାତା ଅଭିମୁଖେ ଯାଉଥିବା ଅନ୍ୟ ଏକ ବସରେ ପଠାଇ ଦିଆଯାଇଛି। ତେବେ ବସ୍ ର କଣ୍ଡକ୍ଟରଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ କଟକ ପଠାଯାଇଛି।
