ରାଜ୍ୟରେ ବଢ଼ିପାରେ ଆଂଶିକ ଲକଡାଉନ!
- କୋଭିଡ ସ୍ଥିତି ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
- ଅଧିକ କରୋନା ସଂକ୍ରମିତ ଜିଲାରେ ନିୟମ କଡ଼ାକଡ଼ି ଲାଗି ନିର୍ଦ୍ଦେଶ
- ଟିକାକରଣ ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଗୁରୁତ୍ୱ
ଭୁବନେଶ୍ୱର : ରାଜ୍ୟରେ ଆଉ ଦିନକ ପରେ ସରିବ ଲାଗୁଥିବା ଆଂଶିକ ଲକଡାଉନ ଅବଧି । କରୋନା ଭାଇରସ ସଂକ୍ରମଣର ୨ୟ ଲହରରେ ସାମାନ୍ୟ ସୁଧାର ଆସିଛି । ଏହାରି ମଧ୍ୟରେ ଆଂଶିକ ଲକଡାଉନ ଆହୁରି ଆଗକୁ ବଢ଼ିପାରେ ବୋଲି ସଂକେତ ମିଳିଛି । ବିଶେଷ କରି ସଂକ୍ରମଣ ହାର ଅଧିକ ଥିବା ଜିଲାଗୁଡ଼ିକରେ ନିୟମ କଡ଼ାକଡ଼ି ହେବ ।
ରାଜ୍ୟରେ କୋଭିଡ ସ୍ଥିତି ନେଇ ମଙ୍ଗଳବାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯେଉଁଠି ଟିଆରପି ୫ ପ୍ରତିଶତରୁ ଅଧିକ ରହିଛି, ସେହିଠରେ ଲୋକେ ଅଧିକ ସତର୍କ ରୁହନ୍ତୁ । ଘରକୁ ଘର ବୁଲି ସର୍ଭେକୁ ଆହୁରି ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ଟିକାକରଣ ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି । ୧୭ଟି ଜିଲ୍ଲାରେ ଆଂଶିକ ଲକ୍ଡାଉନରେ ପରେ ବି ମଧ୍ୟ ସଂକ୍ରମଣ ବଢ଼ିଛି । ଉପକୂଳ ଓ ଉତ୍ତର ଓଡ଼ିଶାରେ ସଂକ୍ରମଣ ଅଧିକ ରହୁଛି । ତେଣୁ ଏସବୁ ଜିଲ୍ଲା ଗୁଡ଼ିକ ଉପରେ ସରକାରଙ୍କର ଅଧିକ ଫୋକସ ରହିଛି । ଜୁଲାଇ ୧୫ ତାରିଖ ବେଳକୁ ସ୍ଥିତିରେ ଉନ୍ନତି ଆସିପାରେ ବୋଲି ଆଶା କରୁଛନ୍ତି ।
