ଆଜିଠୁ ଭୁବନେଶ୍ୱରରେ ଖୋଲିବ ପାର୍କ, ମଲ୍ ଓ ହଲ୍
- ରେଷ୍ଟୁରାଣ୍ଟରେ ବସି ଖାଇହେବ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ପ୍ରକୋପ କମୁଥିବାରୁ ଅନଲକ ପ୍ରକ୍ରିୟା ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଅଗଷ୍ଟ ଗାଇଡ୍ ଲାଇନ ଆସିଛି । ଏଥିରେ ସୋମବାରଠୁ ରାଜଧାନୀ ଭୁବନେଶ୍ୱରରେ ପାର୍କ, ମଲ ଏବଂ ସିନେମା ହଲ ଖୋଲିବ । ସେହିପରି ରେଷ୍ଟୁରାଣ୍ଟରେ ବସି ଖାଇପାରିବେ ଗ୍ରାହକ । ସେହିପରି ଏସବୁକୁ ପୂର୍ବରୁ ସାନିଟାଇଜ୍ ମଧ୍ୟ କରାଯାଇଛି ।
ଭିଡ଼ ଏଡ଼ାଇବାକୁ ମଲ ଗୁଡିକରେ ଫୁଟ୍ କାଉଣ୍ଟ ମେସିନ୍ ଲଗାଯାଇଛି । ଫଳରେ ମଲକୁ କେତେ ଲୋକ ପଶିଲେ, କେତେ ବାହାରିଲେ ଜଣାପଡ଼ିବ । ଟିକା ନେଇନଥିଲେ ମଲ୍ ଭିତରକୁ ଏଣ୍ଟ୍ରି ନାହିଁ । ସେହିପରି ରାଜଧାନୀର ବଭିନ୍ନ ପାର୍କ ଗୁଡିକ ମଧ୍ୟ ଖୋଲିବା ପୂର୍ବରୁ ସଫେଇ କରାଯାଇଛି। ତେବେ ବ୍ୟାଟେରୀ ଚାଳିତ ଗାଡି ଏବଂ ବୋଟିଂ ପାଇଁ ଅନୁମତି ନାହିଁ। ସେହିଭଳି ୫୦ ପ୍ରତିଶତ କ୍ଷମତାରେ ଖୋଲିବ ରେଷ୍ଟୁରାଣ୍ଟ ଏବଂ ହଲ୍ । ପାର୍ସଲ ନନେଇ ହୋଟେଲରେ ବସି ଏଥର ବିଭିନ୍ନ ଖାଦ୍ୟର ମଜା ନେଇପାରିବେ ରାଜଧାନୀବାସୀ । ଭିଡ କଟକଣା ଭିତରେ ଶିକ୍ଷାନୁଷ୍ଠାନ ସହ କୋଚିଂ ସେଣ୍ଟରର ତାଲା ଫିଟିଛି । ଅଗଷ୍ଟ ୫ରୁ ହଲ୍ ଖୋଲିବା ପାଇଁ ଯୋଜନା ହୋଇଥିବାବେଳେ ଇଭନିଂ ଏବଂ ନାଇଟ୍ ସୋ ରହିବନାହିଁ ବୋଲି ଜଣାପଡିଛି । ଟିକାକରଣ ପ୍ରମାଣ ପତ୍ର ଯାଞ୍ଚ ସହ ମାସ୍କ୍, ସାନିଟାଇଜେସନ୍, ସାମାଜିକ ଦୂରତା ଅନୁପାଳନ ଉପରେ ଗୁରୁତ୍ବ ଦିଆଯାଉଥିବା କହିଛନ୍ତି ରେଷ୍ଟୁରାଣ୍ଟ୍ ବ୍ୟବସାୟୀ।
