ବାପା ମା’ଙ୍କ ଖାତା ଖାଲି କରୁଛି ପିଲାଙ୍କ ଅନଲାଇନ ଗେମିଂ, ସ୍ବାସ୍ଥ୍ୟ ପ୍ରତି ବଢୁଛି ବିପଦ
ସମୟ ବଦଳିବା ସହିତ ଏବେ ଅନଲାଇନ ଗେମିଂ ପ୍ରତି ପିଲାମାନଙ୍କର ରୁଚି ବଢ଼ିବାରେ ଲାଗିଛି। କିନ୍ତୁ ଅନଲାଇନ ଗେମିଂର ଏହି ନିଶା ଏବେ କେତେ ବିପଦପୂର୍ଣ୍ଣ ହେବାରେ ଲାଗିଛି, ଏହାର ଅନ୍ଦାଜ ଲଗାଇବା ମୁସ୍କିଲ। ମହାମାରୀ ସମୟରେ ଏବେ ଅନଲାଇନ ପାଠପଢ଼ା ଓ ୱାର୍କ ଫ୍ରମ ହୋମର ପ୍ରଚଳନ ବେଶ ବଢ଼ି ଯାଇଛି। ଏପରିସ୍ଥଳେ ପିତାମାତାଙ୍କ ଇଲେକ୍ଟ୍ରୋନିକ୍ସ ଉପକରଣ ପିଲାଙ୍କ ହାତରେ ପଡ଼ିବା ବହୁତ ସହଜ ହୋଇଯାଇଛି। ପିଲାମାନେ ମୋବାଇଲ କିମ୍ବା ଭିଡ଼ିଓ ଗେମ ଖେଳିବାରେ ଆଗ୍ରହ ପ୍ରକାଶ କରୁଛନ୍ତି। ପିଲାଙ୍କ ଏହି ଅନଲାଇନ ଗେମିଂ ନିଶା ପିଲା ଓ ମା’ ବାପାଙ୍କ ପାଇଁ ବିପଦପୂର୍ଣ୍ଣ ହେବାରେ ଲାଗିଛି।
ବ୍ୟାଙ୍କ ବାଲାନ୍ସ ଉଡ଼ି ଯାଉଛି :
ଉତ୍ତର ପ୍ରଦେଶର ଝାନସୀର ଜଣେ ମହିଳାଙ୍କୁ ଦୁଇ ମାସରେ ୭ ଲକ୍ଷ ଟଙ୍କା ହରାଇବାକୁ ପଡ଼ିଛି। ଏହି ରାଶି ତାଙ୍କ ବ୍ୟାକ ଆକାଉଣ୍ଟରୁ କଟି ଯାଇଛି। ସାଇବର ସେଲ ଯାଞ୍ଚରେ ଜଣାପଡ଼ିଥିଲା ଯେ ଉକ୍ତ ମହିଳାଙ୍କ ୧୨ ବର୍ଷର ପୁଅ ଗେମ ଅପଡେଟ କରିବା ନିମନ୍ତେ ଗେମରେ ବ୍ୟବହାର ହେଉଥିବା ଅସ୍ତ୍ରଶସ୍ତ୍ର କିଣି ଦେଇଥିଲେ। ସେହିପରି ଝାନସୀର ଲଳିତପୁରର ଜଣେ ଠିକାଦାରଙ୍କ ପୁଅର ଅନଲାଇନ ଗେମ ଖେଳିବା ଏଭଳି ନିଶା ହୋଇଯାଇଥିଲା ଯେ ସେ ଷ୍ଟେଜ ପରେ ଷ୍ଟେଜ ପାର କରି ଗେମରେ ବ୍ୟବହାର ହେଉଥିବା ହତିଆର ଓ ୫ଜୀ ମୋବାଇଲ କିଣି ଦେଇଥିଲେ। ଏହି ସମୟରେ ତାଙ୍କ ପିତାଙ୍କ ଖାତାରୁ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ଉଡ଼ି ଯାଇଥିଲା। ଛତିଶଗଡ଼ର କାଙ୍କେରରେ ଥିବା ଜଣେ ମହିଳା ତିନି ମାସରେ ୩ ଲକ୍ଷ ୨୨ ହଜାର ଟଙ୍କା ହରାଇଥିଲେ। ଏଫଆଇଆର ଦାଏର ହେବା ପରେ ଜଣାପଡ଼ିଥିଲା ଯେ ମହିଳାଙ୍କ ପୁଅ ଗେମ ଲେବଲକୁ ଅପଗ୍ରେଡ କରିବା ପାଇଁ ଟଙ୍କା ହରାଇଛନ୍ତି। ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ ଅନଲାଇନ ଗେମ ଖେଳିବା ନିଶାରେ ଜଣେ ୧୩ ବର୍ଷର ନାବାଳକ ନିଜ ପିତାଙ୍କ ଖାତାରୁ ୭ ଲକ୍ଷ ଟଙ୍କା ଉଡ଼ାଇ ଦେଇଥିଲେ। ଉକ୍ତ ନାବାଳକ ପିତାଙ୍କ ଡେବିଟ କାର୍ଡ ମାଧ୍ୟମରେ ଶପିଂ ଆପରୁ କିଛି ଉପହାର ଭାଉଚର ଗୁଗଲ ପ୍ଲେ ପାଇଁ କିଣିଥିଲେ। ଏହିପରି ଭାବେ ସେ ୩ରୁ ୪ ମାସ ଭିତରେ ସାତ ଲକ୍ଷ ଟଙ୍କାର ଗିଫ୍ଟ ଭାଉଚର କିଣି ଦେଇଥିଲେ।
ମାନସିକ ରୋଗ :
ଅନଲାଇନ ଗେମିଂର ଦ୍ବିତୀୟ ଓ ସବୁଠାରୁ ବଡ଼ ବିପଦ ହେଉଛି ପିଲାମାନେ ମାନସିକ ଭାବେ ରୋଗୀ ହେବାରେ ଲାଗିଛନ୍ତି। ପିଲାଙ୍କ ମାନସିକ ସମସ୍ୟା ଏଥିପାଇଁ ଦୁଇଗୁଣା ବଢ଼ି ଯାଇଛି। ଲଗାତର ଗେମ ଖେଳିବା ଫଳରେ ପିଲାଙ୍କଠାରେ ମୁଣ୍ଡବିନ୍ଧା, ଶରୀର ଯନ୍ତ୍ରଣା ଓ ଆଖିରେ ସମସ୍ୟା ଭଳି ରୋଗ ହେଉଥିବା ଅଭିଯୋଗ ହେଉଛି। ଖେଳିବା ପାଇଁ ଡିଭାଇସ ନ ମିଳିବା କାରଣରୁ ପିଲାମାନେ ହିଂସ୍ର ବି ହୋଇଯାଉଛନ୍ତି।
କିପରି ଏଥିରୁ ରକ୍ଷା କରିବେ :
ବେଳେବେଳେ ଅଭିଭାବକମାନେ କୌଣସି ଜରୁରୀ କାମରେ ବ୍ୟସ୍ତ ହୋଇଯାଆନ୍ତି। ପିଲାମାନେ ତାଙ୍କୁ ବାରମ୍ବାର ହଇରାଣ ନ କରନ୍ତୁ, ତେଣୁ ସେମାନଙ୍କୁ ନିଜ ମୋବାଇଲ ଦେଇ ବ୍ୟସ୍ତ ରଖାନ୍ତି। ଏହାଫଳରେ ପିଲାମାନେ ଅନଲାଇନରେ ଗେମ ଖେଳିବା ଓ ଭିଡ଼ିଓ ଦେଖିବାରେ ଲାଗୁଛନ୍ତି। ତେଣୁ ମା’ ବାପାମାନେ ପିଲାଙ୍କ ସମ୍ମୁଖରେ ଅଧିକ ମୋବାଇଲ ବ୍ୟବହାର କରନ୍ତୁ ନାହିଁ। ପିଲାଙ୍କୁ ଖେଳିବାକୁ ଦିଅନ୍ତୁ। ଏହାଦ୍ବାରା ସେମାନଙ୍କ ଶାରୀରିକ ଶକ୍ତି ବଢ଼ିବ ଓ ମୋବାଇଲରେ ଗେମ ଖେଳିବ ଅଭ୍ୟାସ ଛାଡ଼ିଯିବ। ପିଲାଙ୍କୁ ଏକୁଟିଆ ଛାଡ଼ନ୍ତୁନି। ସେମାନଙ୍କୁ ସମୟ ଦିଅନ୍ତୁ ଓ କଥା ହୁଅନ୍ତୁ। ପିଲାଙ୍କ କେଉଁ କାମରେ ଆଗ୍ରହ ଅଛି ଜାଣିବାକୁ ଚେଷ୍ଟା କରନ୍ତୁ। ସେହି ହିସାବରେ ସେମାନଙ୍କୁ ଜିନିଷ ଉପଲବ୍ଧ କରାନ୍ତୁ। ପିଲାଙ୍କୁ ବହି ପଢ଼ିବା ଓ ଆଉଟଡୋର ଗେମ ଖେଳିବାକୁ ପ୍ରୋତ୍ସାହିତ କରନ୍ତୁ। ଖାଲି ସମୟରେ ପିଲାଙ୍କୁ ଡ୍ୟାନ୍ସ ଓ ଅନ୍ୟ ଆକ୍ଟିଭିଟିରେ ବ୍ୟସ୍ତ ରଖନ୍ତୁ। ନିଜ ମୋବାଇଲର ପାସ ୱାର୍ଡ ବଦଳାନ୍ତୁ। ପ୍ଲେ ଷ୍ଟୋର ଭଳି ଆପରୁ ନିଜ ବ୍ୟାଙ୍କ ଆକାଉଣ୍ଟ ଅନଲିଙ୍କ କରାନ୍ତୁ। ସେମାନଙ୍କ ମୋବାଇଲ ଚେକ କରନ୍ତୁ। ପିଲାମାନେ କେଉଁ ଆପ ବ୍ୟବହାର କରୁଛନ୍ତି, ତାହା ଉପରେ ବି ଧ୍ୟାନ ରଖନ୍ତୁ।
