ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମୁତୟନ ହେଲେ ୨୨୫ପ୍ଲାଟୁନ ଫୋର୍ସ
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ବୁଧବାର ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ମତଦାନ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ମଙ୍ଗଳବାର ଅପରାହ୍ନ ସୁଦ୍ଧା ସମସ୍ତ ବୁଥରେ ପହଞ୍ଚିବେ ପୋଲିଂ ପାର୍ଟି । ଏଥିପାଇଁ ପୋଲିଂ ଅଧିକାରୀଙ୍କୁ ମତଦାନ ହେବାକୁ ଥିବା ବୁଥରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚିହ୍ନଟ ହୋଇଥିବା ତଥ୍ୟ ଅନୁସାରେ ୨୨୩୭୯ଟି ବୁଥ୍ ମଧ୍ୟରୁ ୩୩୫୭ଟି ସମ୍ବେଦନଶୀଳ ରହିଛି । ତେଣୁ ବୁଥ୍ର ସୁରକ୍ଷା ଦାୟିତ୍ୱରେ ପାଖାପାଖି ୨୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ମୋଟ ୭୨୬ ଜିଲାପରିଷଦ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ଅଛନ୍ତି । ସେହିପରି ମତଦାନ ଲାଗି ପରିଚୟ ପତ୍ର ବାଧ୍ୟତାମୂଳକ କରଯାଇଛି । ଭୋଟର ଆଇ କାର୍ଡ ନଥିଲେ ମଧ୍ୟ ଅନ୍ୟ ୧୩ଟି ପରିଚୟ ପତ୍ର ଦେଖାଇ ଭୋଟ ଦେଇପାରିବେ । ବୁଥ୍କୁ ଯିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଭୋଟ ଦାନ କେନ୍ଦ୍ରରେ କୋଭିଡ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହା ସହ ସମସ୍ତ ଭୋଟରମାନଙ୍କୁ କରୋନା କଟକଣା ମାନି ଶୃଙ୍ଖଳାର ସହ ମତଦାନ କରିବାକୁ କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।
