ସରିଲା ପଞ୍ଚାୟତ ନିର୍ବାଚନ : ଶେଷ ପର୍ଯ୍ୟାୟରେ ୭୦% ମତଦାନ, ୨୬ରୁ ଗଣତି
ଭୁବନେଶ୍ୱର : ବ୍ୟାପକ ହିଂସା ଓ ଗଣ୍ଡଗୋଳ ମଧ୍ୟରେ ସମସ୍ତ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ଶେଷ ହୋଇଛି । ରାଜ୍ୟର ମୋଟ ୨.୭୯ କୋଟି ଭୋଟର ୯୧୯୧୩ଟି ବୁଥ୍ ମାଧ୍ୟମରେ ୧ଲକ୍ଷ ୬ହଜାର ୩୫୩ଟି ବିଭିନ୍ନ ପଦବୀ ନିମନ୍ତେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ମତଦାନ ହାର ବେଶ୍ ଉତ୍ସାହଜନକ ରହିଛି । ପାଂଚ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ୧୬ରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୭.୨%, ଦ୍ୱିତୀୟ ପର୍ଯ୍ୟାୟରେ ୭୮.୩%, ତୃତୀୟ ପର୍ଯ୍ୟାୟରେ ୭୮.୬% ଓ ଚତୁର୍ଥ ପର୍ଯ୍ୟାୟରେ ୭୯% ମତଦାନ ରେକର୍ଡ କରାଯାଇଛି । ସେହିପରି ଶେଷ ପର୍ଯ୍ୟାୟରେ ୭୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ମାତ୍ର ଚଳିତ ପଂଚାୟତ ନିର୍ବାଚନରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯେଭଳି ହିଂସକାଣ୍ଡ, ବୁଥ ରିଗିଂ ଓ ଅନ୍ୟାନ୍ୟ କାରଣରୁ ନିର୍ବାଚନ ପ୍ରଭାବିତ ହୋଇଛି, ତାହା ଓଡ଼ିଶା ନିର୍ବାଚନ ଇତିହାସରେ ପୂର୍ବରୁ କେବେ ହୋଇନଥିଲା । ବର୍ତମାନ ଭୋଟ୍ ବାକ୍ସ ଗୁଡିକ ଷ୍ଟ୍ରଙ୍ଗ୍ ରୁମ୍ ରେ ରହିଥିବା ବେଳେ ଆସନ୍ତା ୨୬ ତାରିଖରୁ ୩ ଦିନ ପର୍ଯ୍ୟନ୍ତ ଭୋଟ୍ ଗଣତି ହେବ ।
ପ୍ରଥମ ଦୁଇଟି ପର୍ଯ୍ୟାୟରେ ହିଂସା ଓ ଅନ୍ୟାନ୍ୟ କାରଣରୁ ବାଧାପ୍ରାପ୍ତ ହୋଇଥିବା ବୁଥରେ ସାନି ମତଦାନ କାଲି ଶେଷ ହୋଇଥିବାବେଳେ ତୃତୀୟରୁ ପଂଚମ ପର୍ଯ୍ୟାୟରେ ହୋଇଥିବା ଗଣ୍ଡଗୋଳ ନିମନ୍ତେ ସାନି ମତଦାନ ଏପର୍ଯ୍ୟନ୍ତ ହୋଇନାହିଁ । ଗୁରୁବାର ଦିନ ପଂଚାୟତ ନିର୍ବାଚନର ପଂଚମ ପର୍ଯ୍ୟାୟ ଭୋଟ୍ ଶେଷ ହୋଇଛି । ଶେଷ ପର୍ଯ୍ୟାୟରେ ପ୍ରାୟ ୭୦ ପ୍ରତିଶତ ମତଦାନ ହୋଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । କିଛି ସ୍ଥାନରେ ବିଶୃଙ୍ଖଳା ପାଇଁ ଭୋଟ୍ ଗ୍ରହଣ ବାଧାପ୍ରାପ୍ତ ହୋଇଥିଲା । ସମ୍ପୃକ୍ତ ଜିଲ୍ଲାପାଳମାନଙ୍କ ଠାରୁ ଏସମ୍ପର୍କରେ ରିପୋର୍ଟ ମଗାଯାଇଛି । ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥରକ ପ୍ରଥମ ଥର ଲାଗି ମାଲକାନଗିରିର ମାଓ ଅଧ୍ୟୁଷିତ ସ୍ୱାଭିମାନ ଅଂଚଳରେ ମଧ୍ୟ ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଛି ମତଦାନ । ତେବେ କିଛି ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାରୁ ମତଦାନ ବାଧାପ୍ରାପ୍ତ ହୋଇଛି ।
ଏ ସଂକ୍ରାନ୍ତରେ ସଂପୃକ୍ତ ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ଆସିବା ପରେ ତାହାକୁ ଅନୁଧ୍ୟାନ କରି ପରବର୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ନିର୍ବାଚନ କମିଶନ । ତେବେ ପୁଲିସ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ସୁରୁଖୁରରେ ଭୋଟିଂ ପ୍ରକ୍ରିୟା ଶେଷ ହୋଇଛି ବୋଲି ନିର୍ବାଚନ କମିଶନ କହିଛନ୍ତି । ନବରଙ୍ଗପୁରରେ ଏହି ନିର୍ବାଚନ ପ୍ରକ୍ରିୟା ମଧ୍ୟରେ କାର୍ଯ୍ୟରତ ଥିବା ପୁଲିସ କର୍ମଚାରୀଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ହେତୁ ସମବେଦନା ପ୍ରକାଶ କରିଛନ୍ତି କମିଶନ । ଏଥିସହ ସଂପୃକ୍ତ ପୁଲିସ କର୍ମଚାରୀଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସମବେଦନାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି । ଶେଷ ପର୍ଯ୍ୟାୟରେ ୨୫ ଜିଲ୍ଲାରେ ୪୮ଟି ବ୍ଲକର ୧୩୧ ଜିଲ୍ଲାପରିଷଦ ଜୋନରେ ଭୋଟଗ୍ରହଣ ହୋଇଛି । ୯୭୫ ଗ୍ରାମ ପଂଚାୟତର ୧୩ ହଜାର ୫୧୪ ବୁଥରେ ମତଦାନ ହୋଇଛି । ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ୧୩ ହଜାର ୫୧୪ ବୁଥ ମଧ୍ୟରୁ ୨୦୨୭ଟି ବୁଥ ସମ୍ବେଦନଶୀଳଥିଲା । ଆସନ୍ତା ୨୬ ତାରିଖରୁ ସବୁ ବ୍ଲକରେ ଭୋଟ୍ ଗଣତି ଆରମ୍ଭ ହେବ । ଗଣତି ପ୍ରକ୍ରିୟା ତିନି ଦିନ ଧରି ଚାଲିବ ବୋଲି କମିଶନଙ୍କ ପକ୍ଷରୁ ସ୍ଥିରୀକୃତ ହୋଇଛି ।
