ଡିଆରଡ଼ିଓ ତଥ୍ୟ ଲିକରେ ପାକିସ୍ତାନୀ ଲିଙ୍କ ! ଏବେବି କିଛି ଲୋକଙ୍କ ସହ ଚାଟିଙ୍ଗ କରୁଛନ୍ତି ରହସ୍ୟମୟୀ ଯୁବତୀ
- ପ୍ରକ୍ସି ଆଇପି ଜରିଆରେ ଲୋକେସନ ଲୁଚାଉଥିଲେ ରହସ୍ୟମୟୀ
- ଅଧିକ ତଥ୍ୟ ମିଳିଲେ ଇଣ୍ଟରପୋଲର ସହାୟତା ନେବୁ : କ୍ରାଇମବ୍ରାଞ୍ଚ ଏଡିଜି
ଭୁବନେଶ୍ୱର : ବାଲେଶ୍ୱର ଜିଲା ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ମାମଲାରେ ସମ୍ପୃକ୍ତ ରହସ୍ୟମୟୀ ଯୁବତୀଙ୍କ ସମ୍ପର୍କରେ ମିଳିଲା ବଡ ତଥ୍ୟ । ଏହି ଗୁପ୍ତଚରୀ ମାମଲାରେ ଯୁବତୀଙ୍କ ଫେସ୍ବୁକ୍ ଆକାଉଣ୍ଟରୁ ପାକିସ୍ତାନ ଲିଙ୍କ୍ ଥିବା ନେଇ ଜଣାପଡିଛି । ପାକିସ୍ତାନରେ ରହି ଆକାଉଣ୍ଟ ଚଳାଉଥିଲେ । ଏବେ ପରିଚୟ ଖୋଜ ଚାଲିଛି । ଆବଶ୍ୟକ ହେଲେ ଅଭିଯୁକ୍ତମାନଙ୍କୁ ଆଉଥରେ ରିମାଣ୍ଡରେ ନିଆଯିବ । ଅଭିଯୁକ୍ତମାନେ ଅଧିକାଂଶ ଚାଟିଙ୍ଗ ଡିଲିଟ କରିଥିବା ବେଳେ କିଛି ଚାଟିଙ୍ଗ ମିଳିଛି । ଆଉ କିଛି ଅଧିକ ତଥ୍ୟ ମିଳିଲେ ଇଣ୍ଟରପୋଲର ସହାୟତା ନେବୁ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ସେହିପରି ଏବେବି କିଛି ଲୋକଙ୍କ ସହ ଚାଟିଙ୍ଗ କରୁଛନ୍ତି ରହସ୍ୟମୟୀ ଯୁବତୀ । ରହସ୍ୟମୟୀଙ୍କର ଥିବା ୭ଟି ଫେସବୁକ୍ ଆକାଉଣ୍ଟ ଥିବା ବେଳେ ଏବେ ତାଙ୍କର ଏକାଧିକରୁ କିଛି ଆକାଉଣ୍ଟ ଆକ୍ଟିଭ୍ ରହିଥିବା ଜଣାପଡିଛି । ଆକ୍ଟିଭ୍ ଥିବା ଆକାଉଣ୍ଟରୁ ସେ ଏବେବି ଚାଟିଙ୍ଗ ଜାରି ରଖିଛନ୍ତି । କିଛି ଲୋକଙ୍କ ସହ ଚାଟିଙ୍ଗ କରୁଥିବା ନଜରକୁ ଆସିଛି ।
ରହସ୍ୟମୟୀଙ୍କ ୪ଟି ଫେସ୍ବୁକ୍ ଆକାଉଣ୍ଟ ପାକିସ୍ତାନରୁ ଅପରେଟ୍ ହେଉଥିଲା। ୪ଟିରୁ ୩ଟି ଇସଲାମାବାଦ ଓ ଗୋଟିଏ ରାୱଲପିଣ୍ଡିରୁ ଅପରେଟ୍ ହେଉଥିଲା। ତେବେ ପ୍ରକ୍ସି ଆଇପି ଜରିଆରେ ରହସ୍ୟମୟୀ ଲୋକେସନ ଲୁଚାଉଥିଲେ। ପାକିସ୍ତାନରୁ ଅପରେଟ କରୁଥିଲେ ବି ବ୍ରିଟେନ ଆଇପି ଦର୍ଶାଉଥିଲେ। ଏହି ମାମଲାରେ ପାକିସ୍ତାନ ଲିଙ୍କ୍ ମିଳିଥିବା ନେଇ କ୍ରାଇମବ୍ରାଞ୍ଚ ଏଡିଜି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।
