ଟିଭି ବିତର୍କରେ ନରେନ୍ଦ୍ର ମୋଦୀଙ୍କ ସହ ସାମିଲ ହେବାକୁ ଚାହୁଁଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ
ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ମଧ୍ୟରେ ଥିବା ମତଭେଦକୁ ଦୂର କରିବା ପାଇଁ ଚାହୁଁଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଅନେକ ସମୟରେ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରୁଥିବା ବେଳେ ଇମ୍ରାନ ଖାନ ଏବେ ନିଜର ଇଚ୍ଛା ଜାହିର କରି ପୁଣି ଚର୍ଚ୍ଚାରେ । ଏକ ଟିଭି ବିତର୍କରେ ସାମିଲ ହୋଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବିତର୍କ କରିବାକୁ ପସନ୍ଦ କରିବେ ବୋଲି କହିଛନ୍ତି ।
ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ଟିଭିରେ ନରେନ୍ଦ୍ର ମୋଦୀଙ୍କ ସହ ବିତର୍କ କରିବାକୁ ମୁଁ ପସନ୍ଦ କରିବି । ଯଦି ବିତର୍କ ମାଧ୍ୟମରେ ମତଭେଦର ସମାଧାନ ହୋଇପାରିବ ତେବେ ଦୁଇ ଦେଶର ଲୋକଙ୍କ ପାଇଁ ଏହା ଲାଭଦାୟକ ହେବ । ୭୫ ବର୍ଷ ପୂର୍ବେ ସ୍ୱାଧୀନତା ହାସଲ କରିବା ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତ ସମ୍ପର୍କ ରହିଆସିଛି ଏବଂ ସେହି ଦିନଠାରୁ ଏହି ଦୁଇ ଦେଶ ତିନୋଟି ଯୁଦ୍ଧ ଲଢ଼ି ସାରିଛନ୍ତି । ଏବେ ବି ଦୁଇ ଦେଶ ମଧ୍ୟରେ ସାମରିକ ଉତେଜନା ଜାରିି ରହିଛି । ତେବେ ଇମ୍ରାନଙ୍କ ଏଭଳି ଇଚ୍ଛା ଉପରେ ଭାରତ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିିୟା ରଖିନାହିଁ । ତେବେ ଏହା ପୂର୍ବରୁ ମଧ୍ୟ ପାକିସ୍ତାନ ଶାନ୍ତି ଆଲୋଚନା କଥା କହିଥିବା ବେଳେ ଭାରତ ପାକିସ୍ତାନକୁ ସ୍ପଷ୍ଟ କରି ଦେଇଥିଲା ଯେ ଆତଙ୍କବାଦ ଏବଂ ଶାନ୍ତି ପ୍ରତିଷ୍ଠା କାମ ଏହା ସାଙ୍ଗରେ ହୋଇପାରିବ ନାହିଁ । ଶାନ୍ତି ପ୍ରତିଷ୍ଠା ପୂର୍ବରୁ ଆତଙ୍କବାଦୀ ଗୋଷ୍ଠୀ ଉପରେ କଟକଣା ଲଗାଇବା ଏବଂ ଆତଙ୍କବାଦୀଙ୍କୁ ଦଣ୍ଡ ଦେବା ପାଇଁ ଭାରତ ଦାବି କରିଥିଲା । ଏଥିସହ ଭାରତ ଦାବି କରିଥିଲା ଯେ ଜାତିସଂଘ ଦ୍ୱାରା ଯେଉଁସବୁ ସଂଗଠନକୁ ଆତଙ୍କବାଦୀ ସଂଗଠନ ଘୋଷଣା କରାଯାଇଛି ଓ ଯେଉଁମାନଙ୍କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ବୋଲି କୁହାଯାଇଛି ସେମାନଙ୍କ ଉପରେ ପାକିସ୍ତାନ ପ୍ରଥମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ।
