ପାକିସ୍ତାନ ସଂସଦରେ ନୂଆ ବିଲ୍ ପାସ୍ : ଏଣିକି ଦୁଷ୍କର୍ମକାରୀଙ୍କୁ ବନ୍ଧ୍ୟାକରଣ ଦଣ୍ଡ !
ଇସଲାମାବାଦ : ପାକିସ୍ତାନ ସଂସଦରେ ନୂଆ ବିଲ୍ ପାସ୍ ହୋଇଛି । ଏହା ଦ୍ବାରା ଏକାଧିକ ଦୁଷ୍କର୍ମ ମାମଲାରେ ଦୋଷୀକୁ ରାସାୟନିକ ଉପାୟରେ ବନ୍ଧ୍ୟାକରଣ କରାଯିବାର ଦଣ୍ଡ ଦିଆଯିବ। ଦେଶରେ ମହିଳା ଏବଂ ଝିଅମାନଙ୍କ ବିରୋଧରେ ଯୌନ ଅପରାଧ ବୃଦ୍ଧି ପାଇବା ଯୋଗୁଁ ପାକିସ୍ତାନରେ ଜନ ଅସନ୍ତୋଷ ତୀବ୍ର ହୋଇଛି। ଏହା ପରେ ସରକାର ଚାପରେ ପଡ଼ି ଏହି ବିଲ୍ ପାସ୍ କରିଛନ୍ତି। ପାକିସ୍ତାନ ସଂସଦର ମିଳିତ ଅଧିବେଶନରେ ଦୁଷ୍କର୍ମ ନିରୋଧୀ ଆଇନ ସହ ୩୩ ଟି ଅନ୍ୟ ବିଲ୍ ପାସ୍ ହୋଇଛି।
ନିକଟରେ ଯୌନ ଶୋଷଣ ନେଇ ଏକାଧିକ ମାମଲା ସାମ୍ନାକୁ ଆସିବା ପରେ ପାକିସ୍ତାନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଦେଶରେ ମହିଳା ଓ ଶିଶୁଙ୍କ ଉପରେ ଯୌନ ଶୋଷଣକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଦୁଷ୍କର୍ମ ବିରୋଧୀ ତଥା ଏଭଳି ଏକ କଠୋର ଆଇନ ସଂକ୍ରାନ୍ତରେ ଅଧ୍ୟାଦେଶ ଆସିବା ପରେ ବର୍ଷେ ପୂର୍ବରୁ ଏହା ଉପରେ ମୋହର ମାରିଥିଲେ ରାଷ୍ଟ୍ରପତି ଆରିଫ ଅଲଭି। ଏହା ପରେ ଏହି ଆଇନ୍ ସଂସଦରେ ପାରିତ ହୋତଛି। ଦୁଷ୍କର୍ମ ମାମଲାରେ ତ୍ୱରିତ ନ୍ୟାୟ ପାଇଁ ପାଇଁ ଗୁରୁତ୍ୱାରୋପ କରିବା ସହ ଦୋଷୀଙ୍କୁ ତୁରନ୍ତ ଦଣ୍ଡବିଧାନ ପାଇଁ ଆଇନରେ ଏଭଳି କଡ଼ା ବ୍ୟବସ୍ଥା କରାଯାଇଛି।
ରାସାୟନିକ ବନ୍ଧ୍ୟାକରଣ ପରେ ବ୍ୟକ୍ତି ଶାରୀରିକ ସମ୍ପର୍କ ରଖିବାରେ ଅସମର୍ଥ ହୋଇଯିବେ। ଏହି ବିଲକୁ ପାକିସ୍ତାନର କିଛି ସାଂସଦ ବିରୋଧ ମଧ୍ୟ କରିଛନ୍ତି। ଜମାତ-ଏ-ମୁସଲିମ୍ ସାଂସଦ ମୁସ୍ତାଫ ଅହମଦ ବିଲକୁ ବିରୋଧ କରିବା ସହ ଏହାକୁ ଅଣ-ଇସ୍ଲାମିକ୍ ଏବଂ ଶରିୟା ବିରୋଧୀ ବୋଲି କହିଛନ୍ତି। ଦୁଷ୍କର୍ମକାରୀକୁ ସର୍ବାସଧାରଣରେ ଫାଶୀ ଦେଇ ହେବ କିନ୍ତୁ ବନ୍ଧ୍ୟାକରଣ ନେଇ ଶରିୟାରେ ଉଲ୍ଲେଖ ନାହିଁ ବୋଲି ସେ କହିଛନ୍ତି। ରାସାୟନିକ ବନ୍ଧ୍ୟାକରଣ ମାଧ୍ୟମରେ ଏମିତି ଔଷଧ ଖାଇବାକୁ ଦିଆଯାଏ ଯେ ଶରୀରରେ ଯୌନ କ୍ଷମତା ହ୍ରାସ ପାଏ। ଦକ୍ଷିଣ କୋରିଆ, ଚେକ୍ ଗଣରାଜ୍ୟ ଏବଂ ଆମେରିକାର କିଛି ରାଜ୍ୟରେ ରାସାୟନିକ ବନ୍ଧ୍ୟାକରଣ ଆଇନ୍ ରହିଛି। କିନ୍ତୁ ସେପଟେ ପାକିସ୍ତାନରେ କେବଳ ୪ ପ୍ରତିଶତ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଦଣ୍ଡ ମିଳୁଛି ବୋଲି ଲୋକେ ଅଭିଯୋଗ କରିଛନ୍ତି।
