୪୦ ବର୍ଷ ଧରି ରହିଥିବା ୧୫ ଲକ୍ଷ ଆଫଗାନିସ୍ତାନୀଙ୍କୁ ନାଗରିକତା ଦେବାକୁ ମନା କରିଦେଲା ପାକିସ୍ତାନ
ଇସଲାମାବାଦ : ପ୍ରଥମେ ନିଜ ଦେଶ ଛାଡି ଅନ୍ୟ ଦେଶକୁ ଯିବା, ଆଉ ତାପରେ ସେହି ଅନ୍ୟଦେଶ ଯଦି ଆମକୁ ବହୁତ ବର୍ଷ ରହିଲା ପରେ ନିଜର ନ କରେ ତେବେ ସେହି ଯନ୍ତ୍ରଣା ଜୀବନକୁ ବହୁତ କଷ୍ଟଦିଏ। ତେବେ ଏମିତି ହିଁ ଏକ ଘଟଣା ଦେଖିବାକୁ ମିଳିଛି ପାକିସ୍ତାନରେ ଥିବା ଆଫଗାନିସ୍ତାନୀଙ୍କ ନିକଟରେ।
ଆଫଗାନିସ୍ତାନର ପାଖାପାଖି ୧୫ ଲକ୍ଷ ଲୋକ ବର୍ତ୍ତମାନ ପାକିସ୍ତାନରେ ଶରଣାର୍ଥୀ ଭାବରେ ରହୁଛନ୍ତି। ଅଶୀ ଦଶକରେ ପାଖାପାଖି ୧୦ ଲକ୍ଷ ଲୋକ ଆଫଗାନିସ୍ତାନକୁ ଛାଡି ପାକିସ୍ତାନକୁ ନିଜର କରିଥିଲେ। ତେବେ ପାଖାପାଖି ୪୦ ବର୍ଷ ପରେ ଏମାନଙ୍କର ସଂଖ୍ୟା ୧୦ ଲକ୍ଷରୁ ବଢି ୧୫ ଲକ୍ଷ ହୋଇଯାଇଛି। ଆଉ ବର୍ତ୍ତମାନ ଏହି ୧୫ ଲକ୍ଷ ଲୋକଙ୍କୁ ପାକ୍ ନାଗରିକତା ଦେବାକୁ ମନାକରିଦେଇଛି ପାକିସ୍ତାନ। ସୂଚନା ଯେ, ଅଶୀ ଦଶକରୁ ଆଫଗାନିସ୍ତାନ ଛାଡିବା ପରେ ଏହି ଲୋକମାନେ ପାକିସ୍ତାନରେ ଶରଣାର୍ଥୀ ଭାବରେ ବାସ କରୁଛନ୍ତି। ଗତ ୪୦ ବର୍ଷ ମଧ୍ୟରେ, ଏହି ପରିବାରର ପିଲାମାନେ ପାକିସ୍ତାନରେ ଜନ୍ମ ହୋଇଛନ୍ତି ଏବଂ ବଡ଼ ମଧ୍ୟ ହୋଇଛନ୍ତି। ତେବେ ଏହି ପିଲାମାନଙ୍କୁ ତଥାପି ପାକ୍ ନାଗରିକତା ମିଳୁନାହିଁ। ଯାହା ଏକ ଚିନ୍ତାର ବିଷୟ। ଯଦିଓ ପାକିସ୍ତାନରେ ଜନ୍ମିତ ଶିଶୁ ମାନଙ୍କର ପାକ୍ ନାଗରିକତ୍ୱ ପାଇବାର ଅଧିକାର ଅଛି, କିନ୍ତୁ ସ୍ଥାନୀୟ ନାଗରିକଙ୍କ ଚାପରେ ସରକାର ଆଫଗାନିସ୍ତାନ ପିଲାମାନଙ୍କୁ ନାଗରିକତା ଦିଅନ୍ତି ନାହିଁ।
