ଚାଇନା ନିର୍ମିତ ଅତ୍ୟାଧୁନିକ ଜେ-୧୦ସି ଯୁଦ୍ଧ ବିମାନ କିଣିଲା ପାକିସ୍ଥାନ
ଇସଲାମାଵାଦ : ଚାଇନା ନିର୍ମିତ ଅତ୍ୟାଧୁନିକ ଜେ-୧୦ସି ଯୁଦ୍ଧ ବିମାନ କିଣିଲା ପାକିସ୍ଥାନ | ନିଜ ବାୟୁସେନାକୁ ସୁଦୃଢ କରିବା ପାଇଁ ମିତ୍ର ରାଷ୍ଟ୍ର ଚାଇନା ଠାରୁ ପାକିସ୍ଥାନ ଏହି ବିମାନ କିଣିଛି | ଏହି ବିମାନକୁ ସାମିଲ କରିବା ନେଇ ପାକିସ୍ତାନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଯୋଗଦେଇ ପାକିସ୍ତାନବାସୀଙ୍କୁ ଉଦବୋଧନ ଦେଇଛନ୍ତି | ସେ କହିଛନ୍ତି, “ଦେଶରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଚାଲିଥିବା ପ୍ରୟାସ ଅତ୍ୟନ୍ତ ଦୁର୍ଭାଗ୍ୟଜନକ | ତେବେ ଏହାର ମୁକାବିଲା କରିବା ପାଇଁ ଆଜି ଆମ ପ୍ରତିରକ୍ଷା ବ୍ୟବସ୍ଥାରେ ବହୁତ ବଡ଼ ଯୁଦ୍ଧାସ୍ତ୍ରକୁ ସାମିଲ କରାଯାଇଛି | ଦୀର୍ଘ ୪୦ ବର୍ଷ ପରେ ପାକିସ୍ତାନ ବଧ ଉପଲବ୍ଧି ହାସଲ କରିଛି |” ପାକିସ୍ତାନ ବାୟୁସେନାକୁ ଆମେରିକା ଏଫ-୧୬ ଯୁଦ୍ଧ ବିମାନ ଦେଇଥିଲା |
ଏହାପରେ ଏବେ ଚାଇନା ପକ୍ଷରୁ ପାକିସ୍ତାନକୁ ଜେ-୧୦ସି ଯୁଦ୍ଧ ବିମାନ ମିଳିଛି | ଯୁଦ୍ଧ ବିମାନ ଦେଇଥିବାରୁ ଇମ୍ରାନ ଖାନ ଚାଇନାକୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି | ପୂର୍ବରୁ ଅତ୍ୟାଧୁକ ଯୁଦ୍ଧ ବିମାନ ପାଇଁ ବର୍ଷ ବର୍ଷ ଲାଗୁଥିଲେ ମଧ୍ୟ ଏବେ ୮ ମାସରେ ସବୁ କିଛି ଉପଲବ୍ଧ ହୋଇଥିବା ସେ କହିଛନ୍ତି | ସେ ଭାରତର ନାଁ ନେଇ ନିଜର ପାରିବା ପଣିଆକୁ ପ୍ରଶଂସା କରିଛନ୍ତି | ଇମ୍ରାନ ଖାନ କହିଛନ୍ତି, “ପାକିସ୍ତାନ ବିପକ୍ଷରେ କୌଣସି ପଦକ୍ଷେପ ନେବା ପୂର୍ବରୁ ଦେଶଗୁଡ଼ିକ ଦୁଇ ଥର ଚିନ୍ତା କରନ୍ତୁ | ଆମ ଦେଶର ସେନା ସବୁ ପ୍ରକାରର ବିପଦର ମୁକାବିଲା କରିବାକୁ ତାଲିମ ପ୍ରାପ୍ତ ଓ ସକ୍ଷମ |” ବୋଲି ସେ ନିଜ ଅଭିଭାଷଣରେ କହିଛନ୍ତି |
