ଆମ ରୋଷେଇ – ଖୁଆ ଚିକେନ୍
ଚିକେନ୍କୁ ନେଇ ପ୍ରସ୍ତୁତ ଅନେକ ଖାଦ୍ୟ ସାମଗ୍ରୀ ଆପଣ ଖାଇଥିବେ। କିନ୍ତୁ କେବେ ‘ଖୁଆ ଚିକେନ୍’ ଖାଇ ନ ଥଇବେ। ଆଜି ଆମେ ଆପଣଙ୍କୁ ଘରେ କିପରି ‘ଖୁଆ ଚିକେନ୍’ ପ୍ରସ୍ତୁତ କରିବେ, ସେ ସମ୍ପର୍କରେ ଟିପ୍ସ୍ ଦେବୁ।
ସାମଗ୍ରୀ :
ଚିକେନ୍, ଦହି, ଖୁଆ, ଶୁଖିଲା ଲଙ୍କା, ଧନିଆ ଏକ ଚାମଚ୍, ଘିଅ, ପାନମଧୁରୀ, ପିଆଜ, କଳା ଜିରା, ଲବଙ୍ଗ, ଡାଳଚିନି, କ୍ୟାପ୍ସିକମ୍, ଅଦା ରସୁଣ ବଟା ଓ ରସୁଣ।
ପ୍ରସ୍ତୁତି ପ୍ରଣାଳୀ :
ଚିକେନ୍ ପ୍ରସ୍ତୁତ କରିବା ପାଇଁ ପ୍ରଥମେ କଡ଼େଇରେ ତେଲ ଦେଇ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଶୁଖିଲା ଲଙ୍କା ପକାଇ ଫୁଟାନ୍ତୁ । ଏହାପରେ ସେଥିରେ ପାନମଧୁରୀ, ଧନିଆ ଓ କଳାଜିରା ପକାଇ ଅଳ୍ପ ସମୟ ପାଇଁ ଭାଜି ଦିଅନ୍ତୁ । ଏହାପରେ ଗ୍ୟାସ୍କୁ ବନ୍ଦ କରି ଭଜା ହୋଇଥିବା ଗୋଟା ମସଲାରେ ଚିମୁଟାଏ ଲୁଣ ପକାଇ କୁଟି ଦିଅନ୍ତୁ । ଚିକେନ୍କୁ ଭଲ କରି ଧୋଇ ଏକ ପାତ୍ରରେ ରଖନ୍ତୁ । ଆଗରୁ ତିଆରି ହୋଇଥିବା ଗୋଟା ମସଲା, ଦହି, ଖୁଆକୁ ଠିକ୍ ଭାବେ ମିଶାଇ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜ୍ରେ ରଖି ଦିଅନ୍ତୁ । ଏହା ମଧ୍ୟରେ କଡ଼େଇ ଗରମ କରି ସେଥିରେ ଘିଅ ପକାନ୍ତୁ। ଘିଅ ଗରମ ହେବା ପରେ ଗୋଟା ଡାଳଚିନି ପକାନ୍ତୁ। ସେଥିରେ ପିଆଜ ଦେଇ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ପିଆଜ କଷି ହୋଇଯିବା ପରେ ଅଦା–ରସୁଣ ବଟା, କଟା କ୍ୟାପସିକମ୍ ଓ ଗୋଟା ରସୁଣ କୋଲା ପକାଇ -୨ ରୁ ୩ ମିନିଟ୍ ଭାଜନ୍ତୁ। ଯେତେବେଳେ ମସଲାରୁ ତେଲ ଛାଡ଼ି ଆସିବ ସେତେବେଳେ ଗୋଳା ହୋଇ ରହିଥିବା ଚିକେନ୍କୁ ପକାଇ ଗୋଳାଇବେ। ଚିକେନକୁ ଦେଇ ୨ ରୁ ୫ ମିନିଟ୍ ପର୍ଯ୍ୟନ୍ତ କମ୍ ଗ୍ୟାସରେ ବସାନ୍ତୁ। ଏହାପରେ ଚିକେନ୍କୁ ଅଧଘଣ୍ଟା ପର୍ଯ୍ୟନ୍ତ କଷନ୍ତୁ। କଷା ହୋଇଯିବା ପରେ ପ୍ରସ୍ତୁତ ହୋଇଯିବ ‘ଖୁଆ ଚିକେନ୍’।
