ରଜ ପାଇଁ ଓଟିଡିସିର ପିଠା ଅନ୍ ହ୍ୱିଲ୍ : ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରାତି ପାହିଲେ ପହିଲି ରଜ । ମାତ୍ର କରୋନା କଟକଣା ପାଇଁ ସବୁଠି ଖାଁ ଖାଁ ପରିବେଶ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ପାନ୍ଥନିବାସରେ ନିରାଡ଼ମ୍ବରରେ ଓଡିଶାର ଗଣପର୍ବ ରଜ ପାଳନ ହେବ । ରଜ ପାଇଁ ପାନ୍ଥନିବାସ ପରିସରକୁ ସଜାଯାଇଥିବା ବେଳେ ପ୍ରତିକାତ୍ମକ ଭାବେ ରଜଦୋଳି କରାଯାଇଛି । ଏହାସହ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ରହିଛି । ଅପରପକ୍ଷରେ ରଜରେ ରାଜଧାନୀରେ ଭୁବନେଶ୍ୱରରେ ଘରେ ଘରେ ପିଠା ପହଂଚାଇବା ପାଇଁ ‘ପିଠା ଅନ୍ ହ୍ୱିଲ୍‘ ବ୍ୟବସ୍ଥା କରାଯାଇଛି । ଏହି ଗାଡ଼ି ସାରା ସହର ବୁଲିବ । ୧୪ରୁ ୧୬ ତାରିଖ ଯାଏ ଏହି ଗାଡ଼ିରେ ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ମଧ୍ୟରେ ମାଷ୍ଟର କ୍ୟାଂଟିନ, ଖଣ୍ଡଗିରି, ସିଆରପି, ପଟିଆ, ଚନ୍ଦ୍ରଶେଖରପୁର ଓ ରୁପାଲି ଛକ ଆଦି ୬ଟି ସ୍ଥାନରେ ରଜ ପିଠା ମିଳିବ । ଭୁବନେଶ୍ୱର ସମେତ ସମ୍ବଲପୁରରେ ପିଠା ଅନ୍ ହ୍ୱିଲ୍, କଟକ ଓ ରାଉରକେଲାରେ ସ୍ୱତନ୍ତ୍ର କାଉଂଟର ଜରିଆରେ ଲୋକମାନଙ୍କୁ ରଜ ପିଠା ଯୋଗାଇବାର ବ୍ୟବସ୍ଥା କରିଛି ବୋଲି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି ।
ଅପରପକ୍ଷରେ ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ଓଡ଼ିଶା ପର୍ଯ୍ୟଟନ ନିଗମ ଏବଂ ମିଶନଶକ୍ତି ମା’ମାନଙ୍କ ସହଯୋଗରେ ‘ପିଠା ଅନ୍ ହ୍ୱିଲ୍’ କାର୍ଯ୍ୟକ୍ରମ ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ କୋଭିଡ ନିୟମ ମାନି ଘରେ ରହି ରଜ ପର୍ବ ପାଳନ କରିବାକୁ କହିଛନ୍ତି । ଏହି ଅବସରରେ ଓଟିଡିସି ପରିଚାଳନା ନିର୍ଦ୍ଦେଶକ ତଥା ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର. ଯାଦବ କହିଛନ୍ତି ଯେ, ମହାମାରୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ନିରାଡ଼ମ୍ବର ଭାବେ ରଜପର୍ବ ପାଳନ କରାଯାଉଛି । ପାନ୍ଥନିବାସରେ କେବଳ ପ୍ରତୀକାତ୍ମକ ଦୋଳି ରହିବ । କୌଣସି କାର୍ଯ୍ୟକ୍ରମ କରାଯିବ ନାହିଁ । ରାଜଧାନୀ ଭୁବନେଶ୍ୱରର ୬ଟି ସ୍ଥାନରେ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଏହି ପିଠା ମିଳିବ । ଭୁବନେଶ୍ୱରର ୬ଟି ଛକରେ ପାନ୍ଥନିବାସ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ‘ପିଠା ଅନ୍ ହ୍ୱିଲ୍’ ମାଧ୍ୟମରେ ଏହି ପିଠା ବିକ୍ରି କରାଯିବ । ଏଠାରେ ମଧ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ମାସ୍କ ଉପଲବ୍ଧ ହେବ । କେବଳ ଭୁବନେଶ୍ୱର ନୁହେଁ ସମ୍ବଲପୁର ପାନ୍ଥନିବାସ ପକ୍ଷରୁ ମଧ୍ୟ ଅନୁରୂପ ‘ପିଠା ଅନ ହ୍ୱିଲ୍’ ମାଧ୍ୟମରେ ସୁସ୍ୱାଦୁ ରଜ ପିଠା ବିକ୍ରି କରାଯିବ । ଏହି ପିଠା ବିକ୍ରି ନିମନ୍ତେ ସ୍ୱତନ୍ତ୍ର ମୋବାଇଲ ଫୋନ୍ ନମ୍ବର ଜାରି କରାଯାଇଛି । ଏହି ନମ୍ବର ଓଟିଡିସି ସୋସିଆଲ ମିଡିଆ ପେଜ୍ ରେ ମଧ୍ୟ ଉପଲବ୍ଧ ଅଛି । ଭୁବନେଶ୍ୱର, ସମ୍ବଲପୁର ଓ କଟକ ପାନ୍ଥନିବାସରେ ସ୍ୱତନ୍ତ୍ର କାଉଂଟର ଖୋଲା ଯାଇ ଏହି ପିଠା ବିକ୍ରି କରାଯିବ ବୋଲି ସେ କହିଛନ୍ତି ।
