ଓଡ଼ିଆ ଝିଅ ବନିତାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର
ନୂଆଦିଲ୍ଲୀ /ନବରଙ୍ଗପୁର : ନବରଙ୍ଗପୁର ଜିଲାର ବନିତା ଦାସ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର ପାଇଛନ୍ତି । ଉମରକୋଟ ବାସିନ୍ଦା ବନିତାଙ୍କୁ ଜାତୀୟ ବାଳିକା ଦିବସ ଅବସରରେ ସମ୍ମାନଜନକ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲରେ ବନିତାଙ୍କ ସହ କଥା ହୋଇଛନ୍ତି । ପୁରସ୍କାର ସ୍ୱରୂପ ବନିତାଙ୍କୁ ୧ ଲକ୍ଷ ଟଙ୍କା ଓ ଇ-ପ୍ରମାଣପତ୍ର ପ୍ରଦାନ କରାଯାଇଛି । ମଧ୍ୟପ୍ରଦେଶ ଅମରକଂଟକ ଜବାହର ନବୋଦୟ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ରୀ ହେଉଛନ୍ତି ବନିତା ଦାସ । ତାଙ୍କ ପିତା ଜଣେ ଶିକ୍ଷକ । ଇନୋଭେସନ ଦିଗରେ ସଫଳତା ପାଇଁ ବନିତାଙ୍କୁ ମିଳିଛି ପୁରସ୍କାର ।
ପିଏମ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ପ୍ରେସ ରିଲିଜ ଅନୁସାରେ ବର୍ଷ ୨୦୨୧ ଓ ୨୦୨୨ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାଙ୍କୁ ବ୍ଲକଚେନ ଟେକ୍ନୋଲୋଜି ମାଧ୍ୟମରେ ଇ- ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଏହି ଟେକ୍ନୋଲୋଜି ପ୍ରଥମ ଥର ପାଇଁ ବ୍ୟବହୃତ ହେଉଛି । ଏହା ସହ ପୁରସ୍କାର ସ୍ୱରୂପ ୧ ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରାଯିବ । ବିଭିନ୍ନ କ୍ଷେତ୍ରରେ କିଛି ସ୍ୱତନ୍ତ୍ର କରିଥିବା ପିଲାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ସେମାନଙ୍କ ସଫଳତାକୁ ସମ୍ମାନ ଦେବା ପାଇଁ ଏହି ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନର ଲକ୍ଷ୍ୟ । ୫ ବର୍ଷରୁ ୧୮ ବର୍ଷର ପିଲାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ବିଶେଷ କରି କିଛି ନୂଆ କରିବା, ସାମାଜିକ ସେବା, କ୍ରୀଡା, କଳା ସଂସ୍କୃତି ଏବଂ ସାହସିକତା ଭଳି ୬ଟି ବର୍ଗରେ ଛାତ୍ରଛାତ୍ରୀମାନେ ସେମାନଙ୍କ ସଫଳତା ଆଧାରରେ ମନୋନୀତ ହୋଇଛନ୍ତି । ଚଳିତ ବର୍ଷ ଦେଶର କୋଣ ଅନୁକୋଣରୁ ବାଲ ଶକ୍ତି ପୁରସ୍କାର ପାଇଁ ବିଭିନ୍ନ ବର୍ଗର ୨୯ ଜଣ ପିଲାଙ୍କୁ ଚୟନ କରାଯାଇଛି । ଏହି ପୁରସ୍କାର ରାଷ୍ଟ୍ରପତିଙ୍କ ଦ୍ୱାରା ଦିଆଯାଇଥାଏ । ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ପୁରସ୍କାର ବିଜେତାଙ୍କ ସହ କଥା ହୁଅନ୍ତି । ପିଲାମାନେ ସେମାନଙ୍କ ପିତାମାତାଙ୍କ ସହ ଜିଲ୍ଲାପାଳ ପ୍ରଶାସନଙ୍କ ସମେତ ନିଜ ନିଜ ଜିଲ୍ଲାରୁ ଆଭାସି ମାଧ୍ୟମରେ ଉପସ୍ଥିତ ରହିଥିଲେ ।
