ଆଜି ଏହି ୨ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିିଂ ଜାରି
ଭୁବନେଶ୍ୱର : ସୁଦୃଶ ଲଘୁଚାପ କ୍ଷେତ୍ର ଗାଙ୍ଗୀୟ–ପଶ୍ଚିମବଙ୍ଗ ଉପତ୍ୟାକାର ପଶ୍ଚିମ ଭାଗ ଓ ତା’ର ପାର୍ଶ୍ୱବର୍ତୀ ଅଂଚଳରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଉତର ଓ ଦକ୍ଷିଣ ଓଡ଼ିଶାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ଗୁରୁବାର ସକାଳ ସାଢ଼େ ୮ଟା ଭିତରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବା ରହିଛି । ବର୍ଷା ଯୋଗୁ ତଳିଆ ଅଂଚଳର ବର୍ଷା ପାଣି ଜମି ରହିବ । ସୁବର୍ଣ୍ଣରେଖା ଅବବାହିକା ଅଂଚଳରେ ଜଳ ପତନ ବୃଦ୍ଧି ପାଇବ । ଏହି ସମୟ ମଧ୍ୟରେ ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ରେ ପ୍ରବଳ ବର୍ଷା ସମ୍ଭାବନା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଗୁରୁବାର ସକାଳ ସାଢ଼େ ୮ଟାରୁ ଶୁକ୍ରବାର ସକାଳ ସାଢ଼େ ୮ଟା ଭିତରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଫଳରେ ଏହି ଦୁଇଟି ଜିଲ୍ଲାର କିଛି ଅଞ୍ଚଳରେ ପାଣି ଜମି ଟ୍ରାଫିକ ସମସ୍ୟା ଦେଖାଦେଇପାରେ। ନଦୀରେ ଜଳ ସ୍ତରର (ସୁବର୍ଣ୍ଣରେଖା ବେସିନ)ବୃଦ୍ଧି ହୋଇପାରେ। ବନ୍ୟା ସୂଚନା ପାଇଁ କେନ୍ଦ୍ରୀୟ ଜଳ ଆୟୋଗ ୱେବସାଇଟ୍ ପରିଦର୍ଶନ କରି ପାରିବେ ଜିଲ୍ଲାବାସୀ। ଏଥିସହିତ ସେପ୍ଟେମ୍ବର ୨୯ରୁ ୩୦ ତାରିଖ ମଧ୍ୟରେ ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ ଓ ଢ଼େଙ୍କାନାଳ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୧ ତାରିଖ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ଉକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି।
