ଥଇଥାନ ନକରି ବସ୍ତି ଉଚ୍ଛେଦକୁ ବିରୋଧ
କଟକ : ନିକଟରେ ମହାନଗର ନିଗମ ପକ୍ଷରୁ ପେଟ୍ଟାନାଳ ବସ୍ତି, କାଠଯୋଡି ବିହାର ବସ୍ତି, ଧବଳେଶ୍ୱର ଗଡାବସ୍ତି ପୋତାପୋଖରୀ ଅଂଚଳ ସମେତ ଅନ୍ୟ କେତେକ ସ୍ଥାନରେ ଉଚ୍ଛେଦ ପାଇଁ ଘୋଷଣା ହୋଇଛି । ପେଟାନାଳ ସୌନ୍ଦର୍ଯ୍ୟକରଣ ଉଦ୍ଦେଶ୍ୟରେ ମଙ୍ଗଳାବସ୍ତି ଉଚ୍ଛେଦ ପାଇଁ ଘୋଷଣା ହୋଇଛି । ଫଳରେ ଯିଏ ପ୍ରକୃତ ବସ୍ତିବାସିନ୍ଦା ସେହି ବସ୍ତିଗୁଡିକରେ ରହୁଛନ୍ତି ସେମାନେ ବାସଚ୍ୟୁତ ଓ କର୍ମଚ୍ୟୁତ ହେବାର ଆଶଙ୍କାରେ ଆତଙ୍କିତ ହୋଇପଡିଛନ୍ତି । ଏହାର ପ୍ରତିବାଦରେ ବସ୍ତି ବାସିନ୍ଦାମାନଙ୍କ ଆଇନ ସମ୍ମତ ଥଇଥାନ ଦାବିରେ ବସ୍ତିବାସିନ୍ଦାଙ୍କ ମିଳିତ ମଂଚ ପକ୍ଷରୁ କଟକ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ କରାଯାଇ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ବସ୍ତିବାସିନ୍ଦାଙ୍କ ପାଇଁ ୨୦୧୭ ମସିହାରେ ସରକାର ଆଇନ ସମ୍ମତ ଥଇଥାନ ପାଇଁ ଆଇନ କରିଛନ୍ତି । ମହାନଗର ନିଗମ ଅଧିନସ୍ଥ ବସ୍ତିଗୁଡିକୁ ଆଇନ ଅନୁମୋଦିତ ଭାବେ ଥଇଥାନ ନକରି ଉଚ୍ଛେଦ କରିବା ବସ୍ତିବାସିନ୍ଦାମାନଙ୍କ ପ୍ରତି ଅନ୍ୟାୟ ଓ ଅବିଚାର ହେବ । ଉଦାହରଣ ସ୍ୱରୂପ ବିଡାନାସୀ ମୁଣ୍ଡାସାହି ବସ୍ତିବାସିନ୍ଦାଙ୍କୁ ଜବରଦସ୍ତ ଉଚ୍ଛେଦ କରାଯାଇଛି । ପ୍ରଶାସନ ଦୃଷ୍ଟି ନଦେବାରୁ ସେମାନେ ଅତି ଦୟନୀୟ ଅବସ୍ଥାରେ ରାସ୍ତା କଡରେ ଜରି ଟାଙ୍କି ରହିଛନ୍ତି । ଏହା ବନ୍ଦ କରିବାପାଇଁ ଦାବି କରିବା ସହ ବସ୍ତିବାସିନ୍ଦାଙ୍କୁ ମହାନଗର ନିଗମ ଆଇନ ୨୦୧୭ ଅନୁଯାୟୀ କର୍ମସ୍ଥଳରେ ଥଇଥାନ କରିବା, ପିଲାମାନଙ୍କ ପାଠପଢା ବ୍ୟାହତ ନହେବା, ବସ୍ତିବାସିନ୍ଦାଙ୍କୁ ଥଇଥାନ କରି ପଟ୍ଟା ଦେବାଭଳି ମୌଳିକ ଅଧିକାର ଗୁଡିକ ସୁନିଶ୍ଚିତ କରିବା ଓ ଉଚ୍ଛେଦ ବିଡାନାସୀ ମୁଣ୍ଡାସାହି ବସ୍ତିବାସିନ୍ଦାଙ୍କକୁ ଅବିଳମ୍ବେ ଥଇଥାନ କରିବାକୁ ମଂଚ ପକ୍ଷରୁ ଦାବି କରାଯାଇଥିଲା । ବସ୍ତିବାସନ୍ଦାଙ୍କ ମିଳିତ ମଂଚ ଆବାହକ ଖଗେଶ୍ୱର ସେଠୀ, ଶ୍ରମିକ ନେତା ରାଜକିଶୋର ମଲ୍ଲିକ, ବସ୍ତି ନେତା ଦିପକ ଦାସ, ସ୍ୱାଧିନୀ ବେହେରା, ନୟନା ନାୟକ, ସସ୍ମିତା ମହାନ୍ତି, ବସନ୍ତ ନାୟକ, ଏନ୍ ରାଜୁ, ସୁକାନ୍ତ ନାୟକ, ସିପ୍ରା ମହାନ୍ତି, ରିନା ମଲ୍ଲିକ, ହିମାଂଶୁ ସାହୁ, ଧନି ସାହୁ, ଆରତୀ ମହାପାତ୍ର, ଗିତା ନାୟକ, ସାଗରିକା ସିଂ ପ୍ରମୁଖ ନେତୃତ୍ୱ ନେଇଥିଲେ । ଆନ୍ଦୋଳନକୁ ସଂମର୍ଥନ ଦେଇ ମହାନଗର ନାଗରିକ ମଂଚର ଆବାହକ ଚିତ୍ତରଂଜନ ମହାନ୍ତି, ବିଶିଷ୍ଟ ଆଇନଜୀବୀ ସୁକାନ୍ତ ନାୟକ ବିକ୍ଷୋଭ ସ୍ଥଳରେ ବକ୍ତବ୍ୟ ରଖିଥିଲେ ।
