ଜୋରଦାର ହେବ ନକ୍ସଲ ବିରୋଧି ଅଭିଯାନ : ଲାଲଗଡ଼ରେ କାର୍ଯ୍ୟକାରୀ ହେବ ଅପରେସନ ଅଲ ଆଉଟ
ନୂଆଦିଲ୍ଲୀ: ଲାଲ ଗଡ଼ରେ ଜୋରଦାର ହେବ ନକ୍ସଲ ବିରୋଧି ଅପରେସନ। ଦେଶର ମାଓ ପ୍ରଭାବିତ ଛତିଶଗଡ, ମହାରାଷ୍ଟ୍ର, ତେଲେଙ୍ଗାନା, ଓଡିଶା ଭଳି ରାଜ୍ୟର ଘଞ୍ଚ ଜଙ୍ଗଲରେ ଲୁଚି ରହିଥିବା ଟପ୍ ନକ୍ସଲ କମାଣ୍ଡର୍ସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏକ ଫରୱାର୍ଡ ଅପରେଟିଭ୍ ବେସ୍ ପ୍ରସ୍ତୁତ କରୁଛି ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ। ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ଏପର୍ଯ୍ୟନ୍ତ ୩୦ ଫରୱାର୍ଡ ଅପରେଟିଂ ବେସ୍ ପ୍ରସ୍ତୁତ କରିସାରିଛି ଏବଂ ଆସନ୍ତା ବର୍ଷ ସୁଦ୍ଧା ଏପରି ଆଉ ୨୫ଟି ନୂତନ ବେସ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଛି।
ଗୃହ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ନକ୍ସଲ ପ୍ରଭାବିତ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାରେ ରହିଥିବା ଶୂନ୍ୟସ୍ଥାନ ପୂରଣ ପାଇଁ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ସିଆରପିଏଫ କ୍ୟାମ୍ପ ଗଠନ କରାଯାଉଛି। ଗତ ବର୍ଷ ଏବଂ ଚଳିତ ବର୍ଷ ନକ୍ସଲ ଉପଦ୍ରୁତ ଅଞ୍ଚଳରେ ମୋଟ ୩୦ ଫରୱାର୍ଡ ଅପରେଟିଂ ବେସ୍ ସ୍ଥାପନ କରାଯାଇଛି। ଯାହା ଛତିଶଗଡର ବିଜାପୁର ଜିଲ୍ଲାର ପାମେଡ, ତରରେମ, ଗଲଗମ, ଧର୍ମାବରମ, ଦିଲୀପ ପୋଷ୍ଟ, ସୁକମା ଜିଲ୍ଲାର କାମରଗୁଡା଼ ମିନପ୍ପା, ମୁକରମ ନାଲା, ଏଲରମାଗଡୁ, ବସ୍ତର ଅଞ୍ଚଳର ଭଦ୍ରୀମୌ ଅଞ୍ଚଳରେ ରହିଛି।
ଆଗାମୀ ଦିନରେ ଛତିଶଗଡରେ ୧୦, ଝାଡଖଣ୍ଡରେ ୬, ଓଡିଶାରେ ୧, ମହାରାଷ୍ଟ୍ରରେ ୭ ଏବଂ ତେଲେଙ୍ଗାନାରେ ଗୋଟିଏ ଫରୱାର୍ଡ ଅପରେଟିଂ ବେସ ସ୍ଥାପନ କରାଯିବ ବୋଲି ଗୃହ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ। କାଶ୍ମୀର ଘାଟିରେ ଆତଙ୍କବାଦୀଙ୍କ ବିରୁଦ୍ଧରେ ଜାରି ରହିଥିବା ଅପରେସନ ଅଲ ଆଉଟ ଆଧାରରେ ବର୍ତ୍ତମାନ ନକ୍ସଲ ଦମନ ଅଭିଯାନକୁ କାର୍ଯ୍ୟକାରୀ କରିବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି। ଛତିଶଗଡ, ଝାଡଖଣ୍ଡ, ଓଡିଶା ପ୍ରଭୃତି ରାଜ୍ୟରେ ସକ୍ରିୟ ରହିଥିବା ୫୦ ଜଣ ନକ୍ସଲ କମାଣ୍ଡରଙ୍କ ତାଲିକା ସୁରକ୍ଷା ଏଜେନ୍ସି ପ୍ରସ୍ତୁତ କରିଛି। ଏହି ତାଲିକାରେ ୧୦ ଜଣ ମହିଳା ନକ୍ସଲ କମାଣ୍ଡର ମଧ୍ୟ ସାମିଲ ଅଛନ୍ତି।
ଏହି ତାଲିକାରେ ନକ୍ସଲ କମାଣ୍ଡର ହିଡମା ମଧ୍ୟ ସାମିଲ ରହିଛି। ଯିଏ ଚଳିତ ବର୍ଶ ବିଜାପୁର ଠାରେ ସୁରକ୍ଷା ବଳ ଉପରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିଲା। ଏ ଘଟଣାରେ ୨୩ ଜଣ ଯବାନ ସହିଦ ହୋଇଥିଲେ। ଏହା ବ୍ୟତୀତ ଦକ୍ଷିଣ ବସ୍ତର ଡିଭିଜନାଲ କମାଣ୍ଡର ରଘୁ, ସୁକମା, ନାଗେଶ ଏବଂ ପିଏଲଜିଏ ବାଟାଲିୟନ-୧ ଗୋଷ୍ଠୀର ଶ୍ରୀଧର ପ୍ରମୁଖ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ନକ୍ସଲଙ୍କ ପିଏଲଜିଏ ବାଟାଲିୟନ-୧ ବିଜାପୁର ଠାରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିଲା। ଏହା ବ୍ୟତୀତ ମହିଳା ନକ୍ସଲ କମାଣ୍ଡର ତାଲିକାରେ ନାଗମଣି, ଭୀମ, ସୁଜାତା, ଜୈମିତି ଏବଂ ରୀନା ପ୍ରମୁଖ ସାମିଲ ଅଛନ୍ତି।
ନିକଟରେ ଗତ ରବିବାର ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲା ଠାରେ ସି୬୦ କମାଣ୍ଡୋ ୟୁନିଟ ପକ୍ଷରୁ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ଟଳିପଡିଥିଲେ ୨୬ ନକ୍ସଲ। ମୃତକ ନକ୍ସଲଙ୍କ ମଧ୍ୟରେ ଦୁର୍ଦ୍ଦାନ୍ତ ନକ୍ସଲ ମିଲିନ୍ଦ ତେଲତୁମ୍ବଡେ ସାମିଲ ରହିଥିଲା। ସେ ପ୍ରାୟ ୩ ଦଶନ୍ଧି ଧରି ନକ୍ସଲ କାର୍ଯ୍ୟକଳାପରେ ଜଡିତ ଥିଲେ। ମୃତକ ନକ୍ସଲ ମିଲିନ୍ଦ ତେଲତୁମ୍ବଡେଙ୍କ ମୁଣ୍ଡରେ ୫୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ସେ ସିପିଆଇ କେନ୍ଦ୍ରୀୟ କମିଟିର ସଦସ୍ୟ ଥିଲେ। ଏଲଗାର ପରିଷଦ ମାମଲାରେ ସେ ଫେରାର ଥିଲା। ଏହି ମାମଲାରେ ତାଙ୍କ ଆନନ୍ଦ ତେଲତୁମ୍ବଡେଙ୍କୁ ଗିରଫ କରାଯାଇଛି। ଗତ ୨୦୧୧ ବର୍ଶରେ ତାଙ୍କ ପତ୍ନୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଜାମ୍ବୁଲଖେଡା ବିସ୍ଫୋରଣରେ ମିଲିନ୍ଦ ତେଲତୁମ୍ବଡେ ଜଣେ ଅଭିଯୁକ୍ତ ଥିଲା।
ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଛତିଶଗଡ ଠାରେ ଏମଏମସି ଗୋରିଲା ଜୋନ୍ ମିଲିନ୍ଦ ତେଲତୁମ୍ବଡେ ଦ୍ୱାରା ଗଠନ କରାଯାଇଥିଲା | ସେ ଏହାର ଆଞ୍ଚଳିକ ମୁଖ୍ୟ ଥିଲେ। ସହରାଞ୍ଚଳରେ ପଛୁଆ ଯୁବକଙ୍କୁ ନକ୍ସଲ ଗୋଷ୍ଠୀରେ ସାମିଲ କରାଇବାରେ ତା’ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଏପରିରି ସହରାଞ୍ଚଳରେ ନକ୍ସଲ ଆଦର୍ଶ ପ୍ରଚାର କରାଇବାରେ ସେ ଭୂମିକା ଗ୍ରହଣ କରିଥିଲା। ନକ୍ସଲ ସଙ୍ଗଠନରେ ସାମିଲ ହୋଇଥିବା ଲୋକଙ୍କୁ ତାଲିମ ଦେବା ଏବଂ ଅପରେସନ୍ ଯୋଜନାକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ତେଲତୁମ୍ବଡେ ଉପରେ ନ୍ୟସ୍ତ ଥିଲା। ଗତ ଦଶନ୍ଧି ମଧ୍ୟରେ ମିଲିନ୍ଦ ଟେଲତୁମ୍ବଡେ ପୋଲିସ ବିରୋଧରେ ଅନେକ ଅପରେସନ୍ କରିଥିଲେ।
