ଆଇପିଏଲ ଉଦଘାଟନୀ ମ୍ୟାଚ : ୬ ଉଇକେଟରେ ଜିତିଲା କେକେଆର
ମୁମ୍ବାଇ : ଆରମ୍ଭ ହେଲା ଆଇପିଏଲ ମହାସମର। ପ୍ରଥମ ମ୍ୟାଚ୍ରେ ମୁହାଁମୁହିଁ ହେଲେ ଡିଫେଣ୍ଡି ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ରନର୍ସଅପ୍ କୋଲକାତା ନାଇଟ୍ ରାଇଡର୍ସ (କେକେଆର)। ଏଥିରେ ଧୋନୀଙ୍କ ଦମଦାର ବ୍ୟାଟିଂ ବଳରେ ପ୍ରଥମେ ବ୍ୟାଟିଂ କରି ସିଏସକେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୩୧ ରନ କରିଥିଲା । ଏହାର ଜବାବରେ କେକେଆର ୧୮.୩ ଓଭରରେ ୪ ଉଇକେଟ ହରାଏ ୧୩୩ ରନ ସଂଗ୍ରହ କରି ଉଦଘାଟନୀ ମ୍ୟାଚକୁ ୬ ଉଇକେଟରେ ଜିତି ନେଇଛି ।
ଆଇପିଏଲର ୨୦୨୨ ପ୍ରଥମ ମ୍ୟାଚ୍ରେ ବିଜୟ ହାସଲ କରିଛି କୋଲକାତା ନାଇଟ୍ ରାଇଡର୍ସ। ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ଡିଫେଣ୍ଡିଂ ଚେନ୍ନାଇ ସୁପର କିଙ୍ଗ୍ସକୁ ୬ ଓ୍ଵିକେଟ୍ରେ ହରାଇ ଆଇପିଏଲର ୧୫ତମ ସିଜିନରେ ବିଜୟରୁ ନିଜର ଅଭିଯାନ ଆରମ୍ଭ କରି କୋଲକାତା ନାଇଟ୍ ରାଇଡର୍ସ। ଏଥିସହ ମହେନ୍ଦ୍ର ସିଂହ ଧୋନୀଙ୍କ ଅର୍ଦ୍ଧଶତକୀୟ ଇନିଂସ ବୃଥା ହୋଇଛି। ଅନ୍ୟପଟେ ଅଧିନାୟକ ଭାବେ ରବୀନ୍ଦ୍ର ଜାଡେଜା ପ୍ରଥମେ ମ୍ୟାଚ୍ରେ ପରାଜିତ ହୋଇଛନ୍ତି। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ମହେନ୍ଦ୍ର ସିଂହ ଧୋନୀଙ୍କ ଅପରାଜିତ ୫୦ ରନ, ରବୀନ୍ଦ୍ର ଜାଡେଜାଙ୍କ ଅପରାଜିତ ୨୬ ଏବଂ ରବିନ ଉଥପ୍ପାଙ୍କ ୨୮ ରନ ବଳରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୩୧ ରନ କରିଥିଲା। ଜବାବରେ କୋଲକାତା ୧୮.୩ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଦଳ ପକ୍ଷରୁ ଆଜିଙ୍କ୍ୟ ରାହାଣେ ୪୪ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ତାଙ୍କ ବ୍ୟତୀତ ସାମ ବିଲିଙ୍ଗ୍ସ ୨୫ ରନ କରିଥିବା ବେଳେ ଅଧିନାୟକ ଶ୍ରେୟସ ଆୟର ୨୦ ରନରେ ଅପରାଜିତ ଅଛନ୍ତି।
ଟସ୍ ହାରି ମୁମ୍ବାଇର ୱାଙ୍ଖଡେରେ ବ୍ୟାଟିଂ କରୁଥିବା ଚେନ୍ନାଇ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଖାତା ଖୋଲିବା ପୂର୍ବରୁ ଓପନର ଋତୁରାଜ ଗାଏକ୍ୱାଡ ପ୍ରଥମ ଓଭର୍ରେ ହିଁ ପ୍ୟାଭିଲିୟନ ଫେରିଥିଲେ। ଚେନ୍ନାଇର ନୂଆ ଓପନର ଡେଭୋନ କନୱେ(୩) ମଧ୍ୟ ବେଶୀ କିଛି କରି ପାରି ନଥିଲେ। ଉଭୟଙ୍କ ୱିକେଟ ଉମେଶ ଯାଦବ ନେଇଛନ୍ତି। ରବୀନ ଉଥାପ୍ପା ଭଲ ଲୟରେ ଥିଲେ ମଧ୍ୟ କେବଳ ୨୮ ରନ୍ କରିବାକୁ ସକ୍ଷମ ହୋଇଛନ୍ତି। ୨୧ ବଲରେ ସେ ୨ଟି ଛକା ଓ ୨ଟି ଚୌକା ବଳରେ ୨୮ ରନ୍ କରି ବରୁଣ ଚକ୍ରବର୍ତ୍ତୀଙ୍କ ବଲରେ ଆଉଟ ହୋଇଥିଲେ। ଅମ୍ବାତି ରାୟୁଡୁ ୧୭ ରନ୍ କରିଥିବା ବେଳେ ଜାଡେଜାଙ୍କ ସହ ତାଳମେଳ ଅଭାବରୁ ରନ ଆଉଟ ହୋଇ ଯାଇଥିଲେ। ଚେନ୍ନାଇ ପାଇଁ ପ୍ରଥମଥର ମ୍ୟାଚ୍ ଖେଳୁଥିବା ଶିବମ ଦୁବେ କେବଳ ୩ ରନ୍ କରିବାକୁ ସକ୍ଷମ ହୋଇଛନ୍ତି। ୧୧ ଓଭର ସୁଦ୍ଧା ଚେନ୍ନାଇ ୬୧ ରନ୍ରେ ୫ ୱିକେଟ ହରାଇ ସାଂଘାତିକ ସମସ୍ୟାରେ ପଡ଼ିଥିଲା। ଏହି ସମୟରେ ଅଧିନାୟକ ଜାଡେଜାଙ୍କ ସହ କ୍ରିଜରେ ଯୋଗଦେଇଥିଲେ ମିଷ୍ଟର ଫିନିଶର ମହେନ୍ଦ୍ର ସିଂହ ଧୋନି। ଉଭୟ ବଡ଼ ଶଟ ଖେଳିବାକୁ ଅକ୍ଷମ ହୋଇଥିଲେ ମଧ୍ୟ କେକେଆର ବୋଲରଙ୍କୁ ୱିକେଟ ନେବାକୁ କୌଣସି ସୁଯୋଗ ଦେଇ ନଥିଲେ। ବିଶେଷ କରି ଧୋନି ସିଙ୍ଗଲ ଉପରେ ବେଶୀ ନିର୍ଭର କରିଥିଲେ। ଶେଷ ଭାଗରେ ଧୋନି ଦ୍ରୁତ ଗତିରେ ରନ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ। ଏପରି କି ସେ ୧୮ତମ ଓଭର ବୋଲିଂ କରୁଥିବା ଆନ୍ଦ୍ରେ ରସେଲଙ୍କୁ ୩ଟି ଚୌକା ମାରି ନିଜର ଆକ୍ରମଣାତ୍ମକ ରୂପ ଦେଖାଇଥିଲେ। ୧୯ତମ ଓଭର୍ରେ ଧୋନି ଗୋଟିଏ ଛକା ଓ ଗୋଟିଏ ଚୌକା ମାରିଥିଲେ। ଏହି ଓଭର୍ରେ ଚେନ୍ନାଇ ୧୫ ରନ୍ ରନ ଆଦାୟ କରିଥିଲା। ଶେଷ ଓଭର୍ରେ ମଧ୍ୟ ଧୋନି ଜବରଦସ୍ତ ବ୍ୟାଟିଂ କରିଥିଲେ। ସେ କ୍ରମାଗତ ରସେଲଙ୍କୁ ୨ଟି ଚୌକର ମାରି ଚେନ୍ନାଇ ସ୍କୋରକୁ ୧୨୦ ପାର କରାଇଥିଲେ। ଏଥିସହ ଧୋନି ୩୮ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଶେଷ ବଲରେ ଜାଡେଜା ଗୋଟିଏ ବିଶାଳ ଛକା ମାରିବାରୁ ଚେନ୍ନାଇ ୧୩୧ ରନ୍ କରିବାକୁ ସକ୍ଷମ ହୋଇଛି। ଶେଷ ଯାଏ ଧୋନି ୫୦ ଓ ଜାଡେଜା ୨୮ ବଲରେ ୨୬ ରନ୍ କରି ଅପରାଜିତ ରହିଥିଲେ। ଧୋନି ତାଙ୍କ ଇନିଂସରେ ୭ ଚୌକା ଓ ଗୋଟିଏ ଛକା ମାରିଛନ୍ତି। ଅନ୍ୟପକ୍ଷରେ କୋଲକାତା ପକ୍ଷରୁ ଉମେଶ ଯାଦବ ସର୍ବାଧିକ ୨ଟି ୱିକେଟ ନେଇଥିବା ବେଳେ ରସେଲ ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।
