ଖୋଲିଲା କୁଲଡ଼ିହା ଅଭୟାରଣ୍ୟ, ନୀଳଗାଈ ମୁଖ୍ୟ ଆକର୍ଷଣ
ନୀଳଗିରି : ଖୋଲିଲା କୁଲଡ଼ିହା ଅଭୟାରଣ୍ୟ । ଆଜି ଠାରୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଅଭୟାରଣ୍ୟ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିଛି।
କୋଭିଡ କଟକଣା ପାଇଁ ଗତବର୍ଷ କୁଳଡିହା ଖୋଲି ପାରିନଥିବା ବେଳେ ଚଳିତ ବର୍ଷ କଟକଣା କୋହଳ ପାଇଁ ଅଭୟାରଣ୍ୟ ଖୋଲିଛି । ଯଦ୍ୱାରା ପର୍ଯ୍ୟଟକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।
ଏଥର କୁଲଡ଼ିହାକୁ ଆସିଥିବା ନୀଳଗାଈ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିବ। ସେହିପରି ଗୋହିରାଭୋଳଠାରେ ନେଚର୍ସ କ୍ୟାମ୍ପରେ ରାତ୍ରି ରହଣି ପାଇଁ ତମ୍ବୁ ଘରର ଵ୍ୟଵସ୍ଥା କରାଯାଇ ଥିବା ବେଳେ ମୋଟର ବୋଟିଂର ଵ୍ୟଵସ୍ଥା କରାଯାଇଛି। ତେବେ ପ୍ରଥମ ପର୍ଯ୍ୟଟକ ଭାବେ ପଶ୍ଚିମବଙ୍ଗ ହାୱାଡା ଅଞ୍ଚଳରୁ ଦମ୍ପତ୍ତି ଅନନ୍ତ କୁମାର ବାନାର୍ଜୀ ଓ ଲକ୍ଷ୍ମୀଶ୍ରୀ ବାନାର୍ଜୀ ଆସି ଟିକେଟ କାଟି କୁଳଡିହା ଅଭୟାରଣ୍ୟ ଯାଇଛନ୍ତି। ପ୍ରତ୍ୟେକ ବ୍ୟକ୍ତି ପିଛା ୪୦ ଟଙ୍କା, ଚାରିଚକିଆ ଯାନ ପିଛା ୧୦୦ ଟଙ୍କା ଓ କ୍ୟାମେରା ପାଇଁ ୫୦ ଟଙ୍କା ପୈଠ କରିବାକୁ ପଡିବ। ଚଳିତ ବର୍ଷ କୋଭିଡ କଟକଣା ନ ଥିବା ବେଳେ ପାଗ ବି ଭଲ ରହିଛି। ତେଣୁ ଏଥର ପୂର୍ବ ତୁଳନାରେ ବହୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିବେ ବୋଲି ଆଶା ରଖିଛନ୍ତି କୁଲଡ଼ିହା ଅଭୟାରଣ୍ୟ କର୍ତ୍ତୃପକ୍ଷ ।
ବାଲେଶ୍ଵର ଜିଲା ନୀଳଗିରି ଅଞ୍ଚଳରେ ଅବସ୍ଥିତ କୁଲଡ଼ିହା ଅଭୟାରଣ୍ୟରେ ଭାରି ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟ। ୨୭୨.୭୫ ବର୍ଗ କିଲୋମିଟର ପରିଧି ବିଶିଷ୍ଟ କୁଲଡିହା ଅଭୟାରଣ୍ୟରେ ରହିଛି ଝରଣା ସମେତ ଆହୁରି ଅନେକ ସୌନ୍ଦର୍ଯ୍ୟ ରହିଛି। ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ସମେତ ଦେଶୀ ଓ ବିଦେଶୀ ପ୍ରଜାତିର ପକ୍ଷୀ ମଧ୍ୟ ଦେଖିବାକୁ ମିଳିଥାଏ। ଚଳିତ ବର୍ଷ ନୀଳଗାଈ ମୁଖ୍ୟ ଆକର୍ଷଣ ପାଲଟିବ। ପ୍ରଥମଥର ପାଇଁ ଏହା କୂଳଡିହା ଭିତରେ ଦେଖିବାକୁ ମିଳିଛି। ହାତୀ, ହରିଣ, ସମ୍ବର, ଗୟଳ, ଝିଙ୍କ, ଭାଲୁ, ବେଲୋରା ମୂଷା, ମାଙ୍କଡ଼, ଠେକୁଆ, ବାରହା ସମେତ ବହୁ ପ୍ରଜାତିର ଜୀବଜନ୍ତୁ ଦେଖିବାର ମଜା ଉଠାଇଥାନ୍ତି ପର୍ଯ୍ୟଟକ। ସେହିପରି ଗୋହିରାଭୋଳ ଠାରେ ଥିବା ନେଚର୍ସ କ୍ୟାମ୍ପରେ ଥିବା ତମ୍ବୁ ଘରେ ପର୍ଯ୍ୟଟକମାନଙ୍କ ପାଇଁ ରାତ୍ରି ରହଣୀର ବ୍ୟବସ୍ଥା କରାଯାଇଛି । ଖାଲି ସେତିକ ନୁହେଁ ପର୍ଯ୍ୟଟକ ଝରଣାକୁ ହାତୀ ପାଣି ପିଇବାକୁ ଆସିବା ଓ ଜଳ କ୍ରୀଡା କରିବାର ନିଆରା ମଜା ଉଠାଇଥାନ୍ତି। ଋଷିଆ ନିକଟ ଝରଣା ଓ ଡ୍ୟାମରେ ବୋଟିଂର ମଜା ପର୍ଯ୍ୟଟକ ନେଇଥାନ୍ତି ।
