କୁଲଗାମରେ ଗୁଳି ବିନିମୟ, ଜଣେ ଆତଙ୍କୀ ମୃତ
ଶ୍ରୀନଗର : ଜମ୍ମୁ କାଶ୍ମୀରରେ ସୁରକ୍ଷାବାହିନୀଙ୍କୁ ପୁଣି ଏକ ସଫଳତା । ମଙ୍ଗଳବାର କୁଲଗାମରେ ହୋଇଥିବା ଗୁଳି ବିନିମୟରେ ଜଣେ ଆତଙ୍କୀ ମୃତ । ସେହିପରି ସ୍ଥାନୀୟ ଅଞ୍ଚଳରୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି । ଏନେଇ ଟ୍ବିଟ କରି ସୂଚନା ଦେଇଛି କାଶ୍ମୀର ଜୋନ ପୋଲିସ ।
କୁଲଗାମ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ପାଇଥଲା ସୁରକ୍ଷାବାହିନୀ । ଏହା ପରେ ସିଆରପିଏଫ, ସୁରକ୍ଷାବାହିନୀ ଓ ପୋଲିସଙ୍କ ମିଳିତ ଅପରେସନ ଆରମ୍ଭ ହୋଇଥିଲା । ଜଣେ ଆତଙ୍କୀକୁ ମାତ ଦେବାରେ ସଫଳ ହୋଇଛି ସୁରକ୍ଷାବାହିନୀ । ମୃତ ଆତଙ୍କୀର ପରିଚୟ ମିଳି ପାରିନାହିଁ । ସୂଚନା ଯେ, ଗତ ସୋମବାର ଘାଟିରେ ଆତଙ୍କୀ ସଂଗଠନ ଲସ୍କର-ଏ-ତାଇବା (ଏଲଇଟି) ଟପ୍ କମାଣ୍ଡର ସମେତ ୨ ଆତଙ୍କୀ ସଫା କରିଥିଲା ସୁରକ୍ଷାବାହିନୀ । ସଫଳତାର ୨୪ ଘଣ୍ଟା ପରେ ଆଉ ଏକ ସଫଳତା ପାଇଛି ସୁରକ୍ଷାବାହିନୀ । ବର୍ଷର ପ୍ରଥମ ଦିନ ଅର୍ଥାତ ଜାନୁଆରୀ ୧ରେ କୁପୱାଡାରେ ଜଣେ ଆତଙ୍କୀକୁ ମାରି ଗଡାଇ ଥିଲା ସୁରକ୍ଷାବାହିନୀ ।
