ପୁଂଚରେ ଜଣେ ପାକିସ୍ଥାନୀ ଅନୁପ୍ରବେଶକାରୀ ମୃତ୍ୟୁ, ଅନ୍ୟ ଦୁଇଜଣ ଜଙ୍ଗଲକୁ କଲେ ପଳାୟନ
ପୁଂଚ : ପୁଂଚ ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ସେନାର ଯବାନମାନେ ଅନୁପ୍ରବେଶକାରୀକୁ ଉଚିତ ଜବାବ ଦେଇଛନ୍ତି । ସୁରକ୍ଷାବଳମାନେ ଜଣେ ପାକିସ୍ଥାନୀ ଅନୁପ୍ରବେଶକାରୀକୁ ହତ୍ୟା କରିଛନ୍ତି । ସେନାର ଅଧିକାରୀ କହିଛନ୍ତି ଯେ, ସାହପୁର ସେକ୍ଟରର ନିୟନ୍ତ୍ରଣ ରେଖା ନିକଟରେ ଶନିବାର ମଧ୍ୟରାତ୍ରିରେ ସେନାର ଯବାନମାନେ ତିନି ଜଣ ଅନୁପ୍ରବେଶକାରୀଙ୍କୁ ଭାରତର ସୀମାରେ ପ୍ରବେଶ କରିବାର ଦେଖିଥିଲେ । ଏହା ପରେ ଯବାନମାନେ ଏହାକୁ ରୋକିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ନ ମାନି ଆଗକୁ ବଢ଼ିଥିଲେ । ଏହା ପରେ ଯବାନମାନେ ଗୁଳି କରିବା ଆରମ୍ଭ କରିଦେଇଥିଲେ । ଯେଉଁଥିରେ ଜଣେ ପାକିସ୍ଥାନୀ ଅନୁପ୍ରବେଶ କାରୀର ମୃତ୍ୟୁ ଘଟିଛି । ଅନ୍ୟ ଦୁଇଜଣ ଅନୁପ୍ରବେଶକାରୀ ଜଙ୍ଗଲ ଆଡ଼କୁ ପଳାଇଥିଲେ । ଯବାନମାନେ ସେହି ଅଂଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି । ଖବର ଲେଖା ପର୍ଯ୍ୟନ୍ତ ସେହି ସ୍ଥାନରେ ତଲାସୀ ଅଭିଯାନ ଜାରି ରହିଥିଲା ।
