ଶିକାର ପାଇଁ ବିଛାଯାଇଥିବା ତାର ସଂସ୍ପର୍ଶରେ ଆସି ଜଣେ ମୃତ
ରିଆମାଳ : ରିଆମାଳ ଥାନା ତାରଙ୍ଗ ପଞ୍ଚାୟତ ଅନ୍ତର୍ଗତ ନିଶାବିରା ଗ୍ରାମ ପତ୍ରା ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ତାର ବିଛାଯାଇଥିଲା। ଏହି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାକୁ ଲୁଚାଇବା ପାଇଁ ଉକ୍ତ ବିଦ୍ୟୁତ୍ ତାର ନେଇ ଯାଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ କାଠ ଖୁଣ୍ଟି ଓ ବୋତଲ୍ ପଡ଼ି ରହିଛି। ଏହି ଘଟଣାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି। ମୃତକ ଜଣକ ହେଲେ ଉକ୍ତ ଗ୍ରାମର ଦେବ ସାହୁ (୫୦)।
ସୋମବାର ରାତି ୯ଟାରେ ଘଟଣା ଘଟିଥିବା ବେଳେ ସକାଳୁ କିଛି ଲୋକ ଶୌଚ ପାଇଁ ଯାଇଥିବା ବେଳେ ଶବକୁ ଦେଖି ପୁଲିସକୁ ଜଣାଇଥିଲେ। ମୃତକ ଦେବ ସୋମବାର ରାତିରେ ଘରୁ ଆସି ଆଉ ଫେରି ନଥିଲେ। ଏନେଇ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ। ସକାଳୁ ଖବର ପାଇ ଘଟଣାସ୍ଥଳକୁ ଆସି ତାଙ୍କ ମୃତ ଦେହ ଦେଖିଥିଲେ। ରିଆମାଳ ପୁଲିସ ଖବର ପାଇ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରିଛି। ତେବେ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି।
