ଆଜି ଓଡ଼ିଶା ଆସିବ ଓମିସିଓର କିଟ୍, ସହଜରେ ଚିହ୍ନଟ ହେବ ଓମିକ୍ରନ ଭୂତାଣୁ
ଏଣିକି ଜିନମ ସିକ୍ୱେନ୍ସିଂର ଆବଶ୍ୟକତା ପଡ଼ିବନି
ଭୁବନେଶ୍ୱର: ଆଜି ଓଡ଼ିଶା ଆସିବ ଓମିସିଓର କିଟ୍ । ମେଡିକାଲ ଆଣ୍ଡ ଡାଇଗ୍ନୋଷ୍ଟିକ୍ସ ଲିମିଟେଡ (ଟାଟା ଏମଡି) ଦ୍ୱାରା ପ୍ରସ୍ତୁତ ଏହି କିଟର ପ୍ରଥମ ଅର୍ଡର ସୋମବାର ପହଂଚିବ । ଟାଟା ଏମଡି ଓଡ଼ିଶାକୁ ଏହି କିଟ ଦେବାକୁ ଥିବାବେଳେ ଏହାର ବ୍ୟବହାର ଫଳରେ ଆଉ ଜିନମ ସିକ୍ୱେନ୍ସିଂର ଆବଶ୍ୟକତା ପଡିବନି ।
କିଛି ଦିନ ତଳେ ଓମିକ୍ରନ ସହ ଲଢ଼ିବା ପାଇଁ ଟାଟା ପ୍ରସ୍ତୁତ କରିଥିବା ଟେଷ୍ଟିଂ କିଟ୍ ଓମିସିଓରକୁ ମଞ୍ଜୁରୀ ପ୍ରଦାନ କରିଥିଲା ଆଇସିଏମଆର । ଆଉ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଓମିସିଓର କିଟ କିଣିବା ପାଇଁ ଅର୍ଡର ଦେଇଥିଲା । ଓଡିଶା ଷ୍ଟେଟ ମେଡିକାଲ କର୍ପୋରେସନ ଲିମିଟେଡ (ଓଏସଏମସିଏଲ) ୫ଲକ୍ଷ ପରୀକ୍ଷା କିଟ୍ ପାଇଁ ପାଇଁ ଟାଟା ଏମଡିକୁ ଅର୍ଡର ଦେଇଥିଲା । ଏହି କିଟ ଆସିବା ଦ୍ୱାରା ସ୍ୱାସ୍ଥ୍ୟ ବିଭାଗକୁ ଲୋକଙ୍କ ନମୁନା ଜିନୋମ ସିକ୍ୟୁଏନ୍ସିଂ ପାଇଁ ପଠାଇବାକୁ ପଡ଼ିବ ନାହିଁ । ଏହି କିଟ୍ ଦ୍ୱାରା ଲୋକେ ଓମିକ୍ରନ ଆକ୍ରାନ୍ତ କି ନାହିଁ ଜଣାପଡ଼ିଯିବ । ଭାରତରେ ଓମିକ୍ରନ୍ ଭାରିଆଂଟକୁ ଚିହ୍ନଟ କରିବା ପାଇଁ ବ୍ୟବହୃତ ହେଉଥିବା କିଟ୍ ଆମେରିକାର ଥର୍ମୋ ଫିସର କମ୍ପାନି ବିକଶିତ କରିଛି । ଭାରିଆଂଟକୁ ଚିହ୍ନିବା ପାଇଁ ଏହା ଏସ ଜିନ୍ ଟାର୍ଗେଟ୍ ଫେଲିଓର ଷ୍ଟ୍ରୋଟେଜି (ଏସଜିଟିଏଫ) ପ୍ରକ୍ରିୟା ବ୍ୟବହାର କରୁଛି । ତେବେ ଆଇସିଏମଆର ଟାଟାର ଯେଉଁ କିଟକୁ ମଞ୍ଜୁରୀ ପ୍ରଦାନ କରିଛି, ତାହାର ସଂପୂର୍ଣ୍ଣ ନାମ ଟାଟା ଏମଡି ଚେକ୍ ଆରଟି-ପିସିଆର ଓମିସିଓର ରହିଛି ।
