ରାହୁଲ ଗାନ୍ଧୀଙ୍କ ନାଁରେ ନିଜର ସମସ୍ତ ସମ୍ପତ୍ତି କଲେ ବୃଦ୍ଧା, ଜାଣନ୍ତୁ ଏହି ନିଷ୍ପତ୍ତି ପଛର କାରଣ
ଡେରାଡୁନ: ଉତ୍ତରାଖଣ୍ଡର ରାଜଧାନୀ ଦେରାଡୁନ ସ୍ଥିତ ଡାଲାନୱାଲା ନେହେରୁ ରୋଡରେ ବାସ କରୁଥିବା ଜଣେ ବୃଦ୍ଧା ମହିଳା ନିଜ ସମ୍ପତ୍ତିର ମାଲିକାନା ଅଧିକାର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ବାୟନାଡ ସାଂସଦ ରାହୁଲ ଗାନ୍ଧୀଙ୍କ ନାମରେ କରିଦେଇଛନ୍ତି । ଏନେଇ ମହିଳା ଦ୍ୱାରା କୋର୍ଟରେ ଏକ ଦଲିଲ ଉପସ୍ଥାପନ କରାଯାଇଛି । ମହାନଗର ନିଗମର ଅଧ୍ୟକ୍ଷ ଲାଲଚାନ୍ଦ ଶର୍ମା କହିଛନ୍ତି ଯେ, ବୃଦ୍ଧ ମହିଳା ଜଣକ ପୂର୍ବତନ ରାଜ୍ୟ ସଭାପତି ପ୍ରୀତମ ସିଂଙ୍କୁ ତାଙ୍କ ଯମୁନା କଲୋନୀ ନିବାସରେ ଆସି ରାହୁଲ ଗାନ୍ଧୀଙ୍କ ନାମରେ କରିଥିବା ନିଜ ସମ୍ପତ୍ତିର ଦଲିଲ ହସ୍ତାନ୍ତରିତ କରିଛନ୍ତି । ଏହି ଅବସରରେ ୭୮ ବର୍ଷୀୟ ପୁଷ୍ପା ମୁଞ୍ଜିଆଲ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ଚିନ୍ତାଧାରା ତାଙ୍କୁ ବହୁତ ପ୍ରଭାବିତ କରିଛି ।
ବୃଦ୍ଧ ମହିଳା କହିଛନ୍ତି ଯେ, ତାଙ୍କ (ରାହୁଲ) ପରିବାର ଦେଶର ସ୍ୱାଧୀନତା ଠାରୁ ଆଜି ପର୍ଯ୍ୟନ୍ତ ଆଗକୁ ବଢ଼ି ଦେଶ ପାଇଁ ସର୍ବଦା ସର୍ବୋଚ୍ଚ ବଳିଦାନ ଦେଇଛନ୍ତି । ଶ୍ରୀମତୀ ଇନ୍ଦିରା ଗାନ୍ଧୀ ହୁଅନ୍ତୁ କିମ୍ବା ରାଜୀବ ଗାନ୍ଧୀ ହୁଅନ୍ତୁ, ଦୁହେଁ ଏହି ଦେଶର ଏକତା ଓ ଅଖଣ୍ଡତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି । ଏଭଳି ପରିସ୍ଥିତିରେ ସେ ରାହୁଲ ଗାନ୍ଧୀଙ୍କୁ ତାଙ୍କ ସମ୍ପତ୍ତି ପାଇଁ ସବୁଠାରୁ ଉପଯୁକ୍ତ ମନେ କରନ୍ତି ।
ଉତ୍ତରାଖଣ୍ଡ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବିରୋଧୀ ଦଳର ନେତା ପ୍ରୀତମ ସିଂ ପୁଷ୍ପା ମୁଞ୍ଜିଆଲଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ପ୍ରୀତମ ସିଂ କହିଛନ୍ତି ଯେ ମହିଳାଙ୍କର କଂଗ୍ରେସ ଓ ଗାନ୍ଧୀ ପରିବାର ପ୍ରତି ଗଭୀର ଭଲ ପାଇବା ରହିଛି, ଏହି କାରଣରୁ ସେ ତାଙ୍କ ସମ୍ପତ୍ତି ରାହୁଲ ଗାନ୍ଧୀଙ୍କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୂଚନା ଯେ, ଆଜିର ଯୁଗରେ ଯେଉଁଠାରେ ଲୋକମାନେ ସମ୍ପତ୍ତି ବିବାଦରେ ଛନ୍ଦି ହୋଇଥାନ୍ତି, ପୁଷ୍ପା ମୁଞ୍ଜିଆଲଙ୍କ ଏହି ପଦକ୍ଷେପ ଅତ୍ୟନ୍ତ ଚକିତକର । ଆପଣଙ୍କୁ କହି ରଖୁଛୁ ଯେ ଉକ୍ତ ସମ୍ପତ୍ତି ରାଜଧାନୀର ଏକ ଅତି ସୁନ୍ଦର ଅଞ୍ଚଳରେ ଅବସ୍ଥିତ ଓ ଏହାର ବହୁମୂଲ୍ୟ ମଧ୍ୟ ପ୍ରାୟ ୧ କୋଟି ହେବ ।
