ରାଜ୍ୟରେ ସମବାୟ ନିର୍ବାଚନ ପାଇଁ ତାରିଖ ଘୋଷଣା, ଜାଣନ୍ତୁ କେବେଠୁ
ଭୁବନେଶ୍ବର : ରାଜ୍ୟରେ ଲଗାତର ଗୋଟିଏ ପରେ ଗୋଟିଏ ନିର୍ବାଚନ ଅନୁଷ୍ଠିତ ହେଉଛି। ପଞ୍ଚାୟତ ଓ ପୌର ନିର୍ବାଚନ ଶେଷ ହେବା ପରେ ଏବେ ସମବାୟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି।ସମବାୟ ସମିତିର କାର୍ୟ୍ୟକାଳ ୨୦୨୦ରେ ଶେଷ ହୋଇଥିଲା ବେଳେ କରୋନା କାରଣରୁ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ରାଜ୍ୟ ସମବାୟ ନିର୍ବାଚନ କମିଶନରଙ୍କ ସୁପାରିସ କ୍ରମେ ରାଜ୍ୟରେ ଆସନ୍ତା ଜୁନ ୧୯ ଓ ୨୬ ତାରିଖରେ ପ୍ରାଥମିକ ସମବାୟ ସୋସାଇଟିରେ ନିର୍ବାଚନ ନିମନ୍ତେ ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
କିଛି ଦିନ ମଧ୍ୟରେ ରାଜ୍ୟ ସମବାୟ ନିର୍ବାଚନ କମିଶନର ଏହି ନିର୍ବାଚନ ପାଇଁ ବିସ୍ତୃତ କାର୍ୟ୍ୟସୂଚୀ ଘୋଷଣା କରିବେ ବୋଲି କୁହାଯାଉଛି। ରାଜ୍ୟ ସମବାୟ ବିଭାଗର ପ୍ରମୁଖ ସଚିବ ବୀର ବିକ୍ରମ ଯାଦବ ପ୍ରକାଶ କରିଥିବା ବିଜ୍ଞପ୍ତି ଅନୁସାରେ ପ୍ରାଥମିକ ସମବାୟ ସୋସାଇଟିଗୁଡ଼ିକର ପରିଚାଳନା କମିଟି କର୍ମକର୍ତ୍ତା ଚୟନ ନିମନ୍ତେ ଜୁନ ୧୯ ଓ ୨୬ ତାରିଖରେ ନିର୍ବାଚନ କରିବା ପାଇଁ ରାଜ୍ୟ ସମବାୟ ନିର୍ବାଚନ କମିଶନର ମାର୍ଚ୍ଚ ୩୦ ତାରିଖରେ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ। ପ୍ରଥମ ପର୍ୟ୍ୟାୟରେ ଜୁନ ୧୯ ଓ ୨୬ ତାରିଖରେ ରାଜ୍ୟର ସମସ୍ତ ପ୍ରାଥମିକ ସମବାୟ ସୋସାଇଟିରେ ନିର୍ବାଚନ ଅନୁଷ୍ଟିତ ହେବ।
ସମବାୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ପ୍ରାଥମିକ ସମବାୟ ସଂସ୍ଥାଗୁଡ଼ିକର କାର୍ୟ୍ୟକାଳ ୨୦୨୦ ମସିହାରୁ ଶେଷ ହୋଇସାରଥିବା ବେଳେ କୋରନା କାରଣରୁ ସମବାୟ ନିର୍ବାଚନ ହୋଇପାରିନାହିଁ । ରାଜ୍ୟର ୭,୦୭୬ଟି ପ୍ରାଥମିକ ସମବାୟ ସଂସ୍ଥାରେ ନିର୍ବାଚନ ହେବ। ଏସବୁ ପ୍ରାଥମିକ ସମବାୟ ସଂସ୍ଥାରେ ପ୍ରାୟ ୩୦ଲକ୍ଷ ସଦସ୍ୟ ଅଛନ୍ତି ଓ ସେମାନେ ନିଜର ମତାଧିକାର ସାବ୍ୟସ୍ତ କରିବେ। ଏହାପରେ କେନ୍ଦ୍ରୀୟ ସମବାୟ ଓ ଶୀର୍ଷ ସମବାୟ ସଂସ୍ଥାରେ ନିର୍ବାଚନ ପ୍ରକ୍ରିୟା ହେବ। ତେବେ ଆସନ୍ତା ସାଧାରଣ ନିର୍ବାଚନକୁ କିଛି ଦିନ ବାକି ରହିଛି । ସେଥିପାଇଁ ଏହି ସମବାୟ ନିର୍ବାଚନର ଗୁରୁତ୍ବ ରହିଛି।
