୧୪ରୁ ସୁପ୍ରିମକୋର୍ଟରେ ଅଫଲାଇନ ଶୁଣାଣି
ନୂଆଦିଲ୍ଲୀ: କ୍ରମଶଃ ଦୁର୍ବଳ ହେଉଛି କୋରୋନା ତୃତୀୟ ଲହର । ଦୈନିକ ସଂକ୍ରମଣ ଲକ୍ଷେ ତଳେ ରହୁଛି । ତୃତୀୟ ଲହର କାରଣରୁ ସୁପ୍ରିମକୋର୍ଟରେ ଅନଲାଇନ ଶୁଣାଣି ଜାରି ରହିଥିଲା ମାତ୍ର ଏଥିରେ ପରିବର୍ତନ ହୋଇଛି । ଆସନ୍ତା ଫେବୃଆରୀ ୧୪ରୁ ପୁଣି ଥରେ ପୂର୍ବଭଳି ସ୍ୱାଭାବିକ ଶୁଣାଣି ଆରମ୍ଭ ହେବ ବୋଲି ନିଷ୍ପତି ହୋଇଛି ।
ଜାରି ହୋଇଥିବା ଏସଓପି ଅନୁସାରେ ସପ୍ତାହକୁ ଦୁଇ ଦିନ ଅଫଲାଇନ ଶୁଣାଣି ହେବ । ବୁଧବାର ଓ ଗୁରୁବାର ସ୍ୱାଭାବିକ ଶୁଣାଣି ହେବ । ମଙ୍ଗଳବାର ଉଭୟ ସ୍ୱାଭାବିକ ଓ ଅଫଲାଇନ ଶୁଣାଣି ହେବ । ସୋମବାର ଓ ଶୁକ୍ରବାର କେବଳ ଭିଡିଓ କନଫରେନ୍ସିଂ ଯୋଗେ ଅନଲାଇନ ଶୁଣାଣି କରାଯିବ । କୋରୋନା ଦ୍ୱିତୀୟ ଲହର ପରେ ଅଫଲାଇନ ଶୁଣାଣି ଆରମ୍ଭ ହେବା ବେଳେ ମଧ୍ୟ ସମାନ ମାର୍ଗଦର୍ଶିକା ଜାରି କରାଯାଇ ଥିଲା । ପ୍ରକାଶଥାଉ କି, ଜାନୁଆରୀରୁ ସଂକ୍ରମଣ ହୁ ହୁ ବଢିବାରେ ଲାଗିଥିଲା । ଏ ନେଇ ଜାନୁଆରୀ ୩ରୁ ସମସ୍ତ ମାମଲାର ଶୁଣାଣି ଭର୍ଚୁଆଲ ମୋଡରେ କରାଯିବାକୁ ନିଷ୍ପତି ହୋଇଥିଲା ।
