ଓଡ଼ିଶା-ପଶ୍ଚିମବଙ୍ଗ ମୁହାଁମୁହିଁ, ଅଶାନ୍ତ ହେଉଛି ସୀମାନ୍ତ
ବାଲେଶ୍ୱର : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଉଦୟପୁର ବେଳାଭୂମିକୁ ନେଇ ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ପୁଣି ବିବାଦ ଘନୀଭୂତ ହେବାରେ ଲାଗିଛି । ଉଦୟପୁର ବେଳାଭୂମି ୧୪୪ ଧାରା ଲାଗିଥିବାବେଳେ ଏହି ଆଇନ୍କୁ ବେଖାତିର କରି ମଙ୍ଗଳବାର ପୁଣି ପଶ୍ଚିମବଙ୍ଗ ସେଚ ବିଭାଗ ପାଚେରୀ ନିର୍ମାଣ କରୁଥିବା ବେଳେ ସୀମାନ୍ତବାସୀ ଭୋଗରାଇ ତହସିଲଦାରଙ୍କୁ ସୂଚନା ଦେଇଥିଲେ । ତହସିଲଦାରଙ୍କ ସହିତ ତାଳସାରୀ ମେରାଇନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ôଚ ଓଡ଼ିଶା ମଧ୍ୟକୁ ଉକ୍ତ କାର୍ଯ୍ୟ ବନ୍ଦ ପାଇଁ ତାଗିଦ୍ କରିଥିବା ବେଳେ ପଶ୍ଚିମବଙ୍ଗ ବିଭାଗୀୟଙ୍କ ସହିତ ବେଶ୍ କିଚି ସମୟ କଥା କଟାକଟି ହୋଇଥିଲା । ପ୍ରଶାସନର କଡ଼ା ଆଭିମୁଖ୍ୟରେ ପଶ୍ଚିମବଙ୍ଗ ବିଭାଗୀୟ କର୍ମଚାରୀମାନେ ପାଚେରି ନିର୍ମାଣ ବନ୍ଦ କରିଥିଲେ । ଏହି ଘଟଣାରେ ଭୋଗରାଇ ତହସିଲଦାର, ପଶ୍ଚିମବଙ୍ଗ ରାଜସ୍ୱ, ସେଚବିଭାଗକୁ ଭୋଗରାଇ ତହସିଲ ପରିସରରେ ମଙ୍ଗଳବାର ଏକ ଆଲୋଚନା ବୈଠକ କରିବାକୁ ଆମନ୍ତ୍ରଣ କରିଥିବା ବେଳେ ଖବର ଲେଖାକୁ କେହି ଆସିନଥିଲେ । ସୂଚନା ଯେ, ଗତ ୭ ତାରିଖରେ ଉଦୟପୁର ବେଳାଭୂମିରେ ପଶ୍ଚିମବଙ୍ଗ ସେଚ ବିଭାଗ ଓ ଦୀଘା-ଶଙ୍କରପୁର ଉନ୍ନୟନ ପରିଷଦ ଓଡ଼ିଶା ସୀମାର ୩୦ ଫୁଟ୍ ଭିତରକୁ ପଶି ବେଳାଭୂମି ସୁରକ୍ଷା କଂକ୍ରିଟ୍ ପାଚେରୀ ନିମାଣ କରୁଥିବା ବେଳେ ବାଲେଶ୍ୱର ଜିଲା ପ୍ରଶାସନ ଏହି କାର୍ଯ୍ୟ ବେଆଇନ୍ କହି କାର୍ଯ୍ୟ ବନ୍ଦ କରିଥିଲେ । ଉଦୟପୁର ବେଳାଭୂମି ଓଡ଼ିଶାର ବୋଲି ପ୍ରଶାସନ ପଶ୍ଚିମବଙ୍ଗ ବିଭାଗୀୟଙ୍କୁ କହିବା ପରେ ସେଠାରେ ୧୪୪ ଧାରା ଜାରି କରାଯାଇ ନାଲି ପତାକା ପୋତା ଯାଇଥିଲା ।
ସୂଚନା ଯେ, ପଶ୍ଚିମବଙ୍ଗର ପୂର୍ବ ବାମଫ୍ରଣ୍ଟ ଓ ପରବର୍ତ୍ତୀ ତୃଣମୂଳ କଂଗ୍ରେସ ସରକାର ୧୯୭୮ ମସିହାରୁ ଓଡ଼ିଶା ମଧ୍ୟକୁ ସାତଥର ସୀମାଲଘଂନ କରିଚି । ୧୯୭୮ ମସିହାରେ ସାହାବାଜିପୁର-ଉଦୟପୁର ରାସ୍ତାକୁ ପଶ୍ଚିମବଙ୍ଗର ବୋଲି ଦାବି କରିବା, ୧୯୮୨ରେ ସାହାବାଜିପୁର ଠାରେ ନିର୍ମିତ ଓଡ଼ିଶାର ଜଳ ସେଚନ ବିଭାଗ ପକ୍ଷରୁ ନିର୍ମିତ ବାତ୍ୟା ସୂଚନା କେନ୍ଦ୍ରକୁ ଭାଙ୍ଗିବା, ୧୯୮୯ରେ ଲ୍ୟାଣ୍ଡ ଓ ରେକର୍ଡ଼ସ ସୀମା ଖୁଣ୍ଟି ଭାଙ୍ଗିବା, ୨୦୦୪ରେ ତାଳସାରୀ ସାମୁଦ୍ରିକ ଥାନା ଭିତ୍ତିପ୍ରସ୍ତରକୁ ତିନିଥର ଭାଙ୍ଗିବା, ୨୦୧୫ ଉଦୟପୁର ଫରେଷ୍ଟ ଗେଟ୍ ଭାଙ୍ଗିବା, ୨୦୧୮ରେ ପଶ୍ଚିମବଙ୍ଗ ସେଚ ବିଭାଗ ପକ୍ଷରୁ ଓଡ଼ିଶା ରାସ୍ତାରେ ସ୍ଥାୟୀ ହୋଡ଼ିଂ ଲଗାଇବା ସହ ୨୦୨୦ରେ ସାହାବାଜିପୁର ଜାଗାକୁ ଜେସିବି ଲଗାଇ ଧସେଇ ପଶିବା, ୭ ।୯ ।୨୦୨୧ରେ ଉଦୟପୁର ବେଳାଭୂମିରେ ପୁଣି ୩୦ଫୁଟ୍ କଂକ୍ରିଟ୍ ପାଚେରୀ ନିର୍ମାଣ ପରେ ମଙ୍ଗଳବାର ପୁଣି ବନ୍ଦଥିବା କାର୍ଯ୍ୟକୁ କରିବା ନିମନ୍ତେ ଉଦ୍ୟମ ଚଳାଇଛନ୍ତି । ଉଦୟପୁର ବେଳାଭୂମିରେ ୧୪୪ ଧାରା ବଳବତ୍ତର ରହିଥିବା ବେଳେ ମେରାଇନ୍ ଥାନା ପୋଲିସ ସେଠାରେ ଜଗିଛନ୍ତି । ସୀମା ବିବାଦ ସ୍ଥାୟୀ ସମାଧାନ ହେଉନଥିବା ବେଳେ ଉଭୟ ରାଜ୍ୟ ପ୍ରଶାସନ ଓ ସୀମାନ୍ତବାସୀ ମୁହାଁମୁହିଁ ହୋଇଥିବାରୁ ସୀମାନ୍ତ ଅଶାନ୍ତ ହୋଇଛି ।
