ଆଉ ଏକ ସଫଳତା : ଆନ୍ତଃରାଜ୍ୟ ପର୍ଯ୍ୟଟନ ତାଲିକାରେ ଓଡ଼ିଶା ଶ୍ରେଷ୍ଠ, ମୟୂରଭଞ୍ଜ ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀ
ଭୁବନେଶ୍ୱର : ଓଡ଼ିଶାକୁ ଆଉ ଏକ ସଫଳତା। ଆନ୍ତଃରାଜ୍ୟ ପର୍ଯ୍ୟଟନ ତାଲିକାର ଶ୍ରେଷ୍ଠ ସ୍ଥାନରେ ଓଡିଶା। ଟ୍ରାଭେଲ + ଲେଇଶୁର ଇଣ୍ଡିଆ ମାଗାଜିନର ୧୦ମ ସଂସ୍କରଣର ସର୍ବେକ୍ଷଣ ଅନୁସାରେ ପର୍ଯ୍ୟଟନ ସମ୍ଭାର ଓ ଭିତ୍ତିଭୂମି ତାଲିକାରେ ଯୁଗ୍ମ ଭାବେ ଓଡ଼ିଶା ଓ ରାଜସ୍ଥାନ ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ସ୍ଥାନିତ ହୋଇଛନ୍ତି।
ସର୍ବେକ୍ଷଣ ଅନୁସାରେ, ପର୍ଯ୍ୟଟନ ସମ୍ଭାର ଓ ଭିତ୍ତିଭୂମିରେ ଓଡ଼ିଶା ଏକ ଆଶ୍ଚର୍ଯ୍ୟଜନକ ଭଣ୍ଡାର ସଦୃଶ । ଓଡିଶାର ବିଭିନ୍ନ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଧଉଳିଗିରି, ଲଳିତଗିରି ଏବଂ ଉଦୟଗିରିର ପ୍ରମୁଖ ସ୍ଥାନ ବୌଦ୍ଧ କୀର୍ତ୍ତିରାଜିର ଗୌରବ ବହନ କରୁଛି। ସେହିପରି କେବଳ ଐତିହାସିକ କୀର୍ତ୍ତିରାଜି ନୁହେଁ ବରଂ ପ୍ରାକୃତିକ ସମ୍ଭାରରେ ମଧ୍ୟ ଓଡିଶାର ସ୍ଥାନ ଅଦ୍ବିତୀୟ। ଚିଲିକା ହ୍ରଦର ଡଲଫିନ୍ ଏବଂ ପ୍ରତିବର୍ଷ ଗହିରମାଥା ବେଳାଭୂମିରେ ଅଣ୍ଡାଦାନ ପାଇଁ ଏକାଠି ହେଉଥିବା ଲକ୍ଷାଧିକ ବିରଳ ତଥା ସାମୁଦ୍ରିକ ଅଲିଭ ରିଡଲେ କଇଁଛ ବିଶ୍ବବ୍ୟାପୀ ପ୍ରକୃତିପ୍ରେମୀ ଓ ପରିବେଶବିତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ସେହିପରି ଓଡିଶାର ଆଦିବାସୀ ଲୋକକଳା ଏବଂ ହସ୍ତଶିଳ୍ପ, ପିପିଲିର ପ୍ରସିଦ୍ଧ ଚାନ୍ଦୁଆ କାରିଗରୀ ମଧ୍ୟ ଓଡିଶାକୁ ଭିନ୍ନ ପରିଚୟ ଦେଇଛି। ବିଶ୍ବ ପ୍ରସିଦ୍ଧ ପୁରୀର ଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିର ସମେତ ଅନ୍ୟ କିଛି ମନ୍ଦିରର ବିଷ୍ମୟ କଳାକୃତ୍ତି ଓଡିଶାର ମହାନ ଭାସ୍କର୍ଯ୍ୟ କଳାର ପରିଚୟ ବହନ କରେ। ଓଡ଼ିଶାର ୪୮୦ କିଲୋମିଟର ସୁଦୀର୍ଘ ବେଳାଭୂମି ସାମୁଦ୍ରିକ ପର୍ଯ୍ୟଟନ କ୍ଷେତ୍ରରେ ଓଡିଶାକୁ ଏକ ଭିନ୍ନ ପରିଚୟ ଦେଇଥିବା ଉକ୍ତ ପତ୍ରିକାର ସର୍ଭେରେ ଦର୍ଶାଯାଇଛି। ସେହିପରି ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ଭିତ୍ତିଭୂମି ମଧ୍ୟରେ ମୟୂରଭଞ୍ଜ ଜିଲା ସର୍ବୋତ୍ତୋମ ସ୍ଥାନରେ ରହିଛି।
Congratulations @odisha_tourism as #Odisha has been adjudged the Best State for most outstanding domestic destinations & #Mayurbhanj voted as Best Offbeat Destination at India's Best Awards 2021 by @TNLIndia. There has been sustained efforts to promote #IndiasBestKeptSecret. https://t.co/l81QnpZPdn
— CMO Odisha (@CMO_Odisha) December 7, 2021
ଜୈବ ବିବିଦ୍ଧତା, ବନ୍ୟଜନ୍ତୁ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି ମୟୂରଭଞ୍ଜ ଜିଲା। ୨,୭୫୦ ବର୍ଗ କିଲୋମିଟର ବିସ୍ତୃତ ଶିମିଳିପାଳ ଜୈବମଣ୍ଡଳ ଅନ୍ତର୍ଗତ ଟାଇଗର ରିଜର୍ଭ ପ୍ରୋଜେକ୍ଟ ଏବଂ ଜାତୀୟ ଉଦ୍ୟାନ ସମଗ୍ର ଦେଶର ପର୍ଯ୍ୟଟନ ମାନଚିତ୍ରରେ ଓଡିଶାକୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି, ଯାହା ବିଶ୍ବବ୍ୟାପୀ ପ୍ରକୃତିପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଥାଏ ବୋଲି କହିଛି ସର୍ବେକ୍ଷଣକାରୀ ପତ୍ରିକା। ଏହା ବ୍ୟତୀତ ରାଜ୍ୟର ଅନ୍ୟ କିଛି ପ୍ରମୁଖ ପର୍ଯ୍ୟଟନସ୍ଥଳୀ, ପ୍ରାଚୀନ ଐତିହ୍ୟ, ମଠ, ମନ୍ଦିର ଓ କିମ୍ବଦନ୍ତୀ ପାରମ୍ପାରିକ ଖାଦ୍ୟକୁ ମଧ୍ୟ ସର୍ବେକ୍ଷଣରେ ପରିସରଭୁକ୍ତ କରିବା ସହ ଓଡିଶାକୁ ରାଜସ୍ଥାନ ସହ ଯୁଗ୍ମ ଭାବେ ଶ୍ରେଷ୍ଠ ସ୍ଥାନରେ ସ୍ଥାନିତ କରିଛି ଉକ୍ତ ପତ୍ରିକା ।

