୭୧ତମ ସର୍ବଭାରତୀୟ ପୋଲିସ ହକିରେ ଓଡିଶା ପୋଲିସର ସଫଳତା
କଟକ : ୭୧ ତମ ସର୍ବଭାରତୀୟ ପୋଲିସ ହକି ଚମ୍ପିୟାନସିପରେ ଓଡିଶା ପୋଲିସର ପୁରୁଷ ଓ ମହିଳା ଦଳ ଉତ୍ତମ ପ୍ରଦର୍ଶନ କରି ବ୍ରୋଂଜ ପଦକ ହାସଲ କରିଛନ୍ତି । ଓଡିଶା ପୋଲିସର ପୁରୁଷ ଟିମ୍ ସିଆଇଏସଏଫକୁ ୬-୪ ଗୋଲରେ ପରାସ୍ତ କରି ୩ୟ ସ୍ଥାନ ଅଧିକାର କରିଥିବା ବେଳେ ମହିଳା ବିଭାଗରେ ତାମିଲନାଡୁକୁ ୪-୨ ଗୋଲରେ ପରାସ୍ତ କରି ଓଡିଶା ପୋଲିସ ବ୍ରୋଞ୍ଜ ପଦକ ହାସଲ କରିଛି । ଏହି ଅବସରରେ ପୁରୁଷ ଟିମ୍ର ଅଧିନାୟକ ଅଲିମ୍ପିୟାନ ବୀରେନ୍ଦ୍ର ଲାକ୍ରା ଓ ଟିମ୍ ମ୍ୟାନେଜର ସଂଜୀବ କୁମାର ଲାକ୍ରା ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କୁ ସୈାଜନ୍ୟମୂଳକ ସାକ୍ଷାତ କରିଥିଲେ । ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବଂଶଲ କ୍ରିଡାବିତମାନଙ୍କ ସାଫଲ୍ୟରେ ସନ୍ତୋଷ ବ୍ୟକ୍ତି କରିବା ସହିତ ଭବିଷ୍ୟତରେ କଠିନ ପରିଶ୍ରମ କରି ରାଜ୍ୟ ପୋଲିସ ପାଇଁ ଅଧିକ ସଫଳତା ଆଣିବାକୁ ପରାମର୍ଶ ଦେଇଥିଲେ । ଏହି ସାକ୍ଷାତ ସମୟରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଆଇନ ଓ ଶୃଙ୍ଖଳା ଆର କେ ଶର୍ମା ମଧ୍ୟ ଉପସ୍ଥିତ ଥିଲେ ।
