କୋଟିଆ ଦେଉଛି ଭୋଟ୍
କୋରାପୁଟ : କୋଟିଆରେ ମଧ୍ୟ ଆଜି ଭୋଟ ନିଆଯାଉଛି । ଗୋଟିଏ ଜିଲା ପରିଷଦ ଜୋନ୍ରେ ଲଢ଼ୁଛନ୍ତି ୨ ପ୍ରାର୍ଥୀ । ସରପଞ୍ଚ ପଦ ପାଇଁ ମୈଦାନରେ ଅଛନ୍ତି ୭ ଆଶାୟୀ । ୧୩ଟି ବୁଥରେ ୫ ହଜାରରୁ ଅଧିକ ଭୋଟର ମତଦାନ କରିବେ ।
ଏଥିନିମନ୍ତେ ୨୪ଘଣ୍ଟା ପୂର୍ବରୁ କୋଟିଆରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିଲା । କୌଣସି ପ୍ରକାର ବିଶୃଙ୍ଖଳା ଏବଂ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସ୍ବତନ୍ତ୍ର ଦୃଷ୍ଟି ରଖିଛି ଜିଲା ପ୍ରଶାସନ। ସୀମାକୁ ସିଲ୍ କରାଯାଇଥିବା ବେଳେ ପ୍ରତ୍ୟେକ ଗତିବିଧି ଉପରେ ନଜର ରଖାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ମୋଟ ତିନି ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଆର୍ଜୁବଲସା ଓ ତାଡ଼ିବଲସା ବୁଥ୍ର ସୁରକ୍ଷା ନିମନ୍ତେ ଗୋଟିଏ ପ୍ଲାଟୁନ୍ ପୁଲିସ ଫୋର୍ସକୁ ଦାୟିତ୍ବ ଦିଆଯାଇଛି। ମାଡ଼କାର ବୁଥ୍ ପାଇଁ ମଧ୍ୟ ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସ ଓ ଫଗୁଣସିନେରୀ ବୁଥ ପାଇଁ ମଧ୍ୟ ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଭୋଟରେ ବାଧା ଦେବାଲାଗି ଆନ୍ଧ୍ର ପ୍ରଶାସନ ଓ କିଛି ଏଜେଣ୍ଟ ଉଦ୍ୟମ କରୁଥିବାରୁ ଏହାର ମୁକାବିଲା ଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
