ଓଡ଼ିଶା ଜୀବିକା ମିଶନ ଏବଂ ମିଶନ ଶକ୍ତି ଯୋଗାଇଛି ଜୀବିକା, ଧୂପକାଠି ଦେଉଛି ମହିଳାଙ୍କୁ ରୋଜଗାର
ମାଲକାନଗିରି : ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଓଡ଼ିଶା ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଏଥିପାଇଁ ମିଶନ ଶକ୍ତି ଗଠନ କରାଯାଇ ଗ୍ରାମାଚଂଳରେ ରହୁଥିବା ଅଶିକ୍ଷିତ ମହିଳାମାନଙ୍କୁ ରୋଜଗାର ଦେବାକୁ ଓଡ଼ିଶା ଜୀବିକା ମିଶନ କାମ କରୁଛି । ଓଡ଼ିଶା ଜୀବିକା ମିଶନ ଏବଂ ମିଶନ ଶକ୍ତି ସହାୟତାରେ କାଲିମେଳା ବ୍ଲକର ବଦଲି ପଂଚାୟତ ଏମଭି- ୩୯ ଗ୍ରାମର ମହିଳାମାନେ ଏକ ସ୍ୱୟଂ ସହାୟକ ଗୋଷ୍ଠୀ କରିଛନ୍ତି । ଏସ୍ଏଚ୍ଜି ର ସଦସ୍ୟମାନେ ଧୂପକାଠି ତିଆରି କରି ସ୍ୱାବଲମ୍ବୀ ହେବା ସହ ରୋଜଗାର କରି ପରିବାର ପ୍ରତିପୋଷଣ କରୁଛନ୍ତି । ଏହି ଏମଭି- ୩୯ ଗ୍ରାମରେ ରହିଛି ଜୟ ମା ’ କାଳୀସ୍ୱୟଂ ସହାୟକ ଗୋଷ୍ଠୀ । ଏହି ଏସ୍ଏଚ୍ଜି ରେ ୧୦ ଜଣ ମହିଳା ରହିଥିବା ବେଳେ ଓଡ଼ିଶା ଜୀବିକା ମିଶନ ସହାୟତାରେ ବ୍ୟାଙ୍କରୁ ୧ ଲକ୍ଷ ଟଙ୍କା ଋଣ ଆଣି ଆରମ୍ଭ କରିଛନ୍ତି ଧୂପକାଠି ବ୍ୟବସାୟ । ଏହି ଅର୍ଥରେ ଏକ ଧୂପକାଠି ତିଆରି ମେସିନ୍ କିଣିବା ସହିତ ଭୁବନେଶ୍ୱର ଓ ବ୍ରହ୍ମପୁରରୁ କଂଚାମାଲ ସହ ବିଭିନ୍ନ କିସମର ଜରି ପ୍ୟାକିଙ୍ଗ, ବାଉଁଶ କାଠି କିଣି ଏଥିରେ ଧୂପକାଠି ତିଆରି କରୁଛନ୍ତି । ଏଥିସହ ପ୍ରିମିକ୍ସିଂ ପାଉଡ଼ର, ବିଭିନ୍ନ ଅତର ଆଦି କିଣି ଧୂପକାଠି ତିଆରିରେ ବ୍ୟବହାର କରାଯାଉଛି । ୧୦ ଜଣ ସଦସ୍ୟାଙ୍କ ମଧ୍ୟରୁ କିଏ ମେସିନରେ ବସି ଧୂପକାଠି ତିଆରି କରୁଛନ୍ତି ତ ଆଉ କିଏ ଧୂପକାଠି ଗଣି ପ୍ୟାକିଙ୍ଗ କରିବାରେ ବ୍ୟସ୍ତ । ଘରେ ବସିବା ଅପେକ୍ଷା ଧୂପକାଠି ତିଆରି ନିଜ ପରିବାର ଚଳାଇ ପାରୁଛୁ ବୋଲି ମହିଳାମାନେ କହିଛନ୍ତି । ଏଠାରେ ୫ ଟଙ୍କା ଠାରୁ ଆରମ୍ଭ କରି ୧୨୦ ଟଙ୍କା ପର୍ଯ୍ୟନ୍ତ ଧୂପକାଠି ମିଳେ । ପାଇନ୍ ଆପୁଲ, ସାମ୍ବାଲ, ମୋଗରା, ଗୁଲାବ ଭଳି ପ୍ରାୟ ୨୦ କିସମର ବିଭିନ୍ନ ସୁଗନ୍ଧଯୁକ୍ତ ଧୂପକାଠି ପ୍ରସ୍ତୁତ କରାଯାଉଛି । ବଜାର ଅପେକ୍ଷା ଏହି ଧୂପକାଠିର ଦର ଟିକିଏ କମ୍ ରହୁଥିବାରୁ ବ୍ୟବସାୟୀମାନେ ଏଠାରୁ ଧୂପକାଠି କିଣି ଦୋକାନରେ ବିକ୍ରି କରିବାକୁ ପସନ୍ଦ କରୁଥିବା ସ୍ଥାନୀୟ ଜଣେ ବ୍ୟବସାୟୀ କହିଛନ୍ତି । ତେବେ ନିଜସ୍ୱ ବ୍ରାଣ୍ଡ ନଥିବାରୁ ମହିଳାମାନେ ବିଭିନ୍ନ ଲୋକାଲ ପ୍ଯାକେଟ୍ ସେଥିରେ ବ୍ରାଣ୍ଡର ଆଣି ଧୂପକାଠି ପ୍ୟାକିଙ୍ଗ କରି ବଜାରକୁ ଛାଡ଼ୁଛନ୍ତି । ଯଦି ନିଜସ୍ୱ ବ୍ରାଣ୍ଡ ମିଳେ ତେବେ ଏହା ଜିଲ୍ଲା ତଥା ଜିଲ୍ଲା ବାହାରେ ବେଶ ଆଦୃତ ହୋଇପାରିଥାନ୍ତା ଏବଂ ବର୍ତମାନ ବିଶାଖା ରାଣୀଙ୍କ ଘରେ ଏହି ଉଦ୍ୟୋଗ ଅସ୍ଥାୟୀ ଭାବେ ଚାଲିଥିବା ବେଳେ ଏଥିପାଇଁ ଏକ ସ୍ଥାୟୀ ଘରର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସ୍ୱୟଂସହାୟକ ଗୋଷ୍ଠୀର ସଂପାଦିକା ବିଶାଖା ରାଣୀ ସରକାର । ତେବେ ଏହି ଧୂପକାଠି ଉଦ୍ୟୋଗକୁ ଆଗକୁ ବଢ଼ାଇବା ପାଇଁ ଯଦି ଆର୍ôଥକ କିମ୍ବା ବୈଷୟିକ ସହାୟତା ଆବଶ୍ୟକ ପଡ଼େ ତେବେ ଓଡ଼ିଶା ଜୀବିକା ମିଶନ ତରଫରୁ ଆମେ ଯଥା ସମ୍ଭବ ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ଓଏଲଏମ୍ କାଲିମେଳା ବ୍ଳକର ସଂଯୋଜକ ରତନ ଗୋଲଦାର । ତେବେ ଦେଖିବାକୁ ବାକି ରହିଲା ସରକାର ଏହି ଧୂପକାଠି ଉଦ୍ୟୋଗକୁ କେବେ ସହାୟତର ହାତ ବଢ଼େଇବେ ।
