ରାଜ୍ୟରେ ଦିଆଗଲାଣି ୪ଲକ୍ଷ ୫୨ହଜାର ପ୍ରିକସନ୍ ଟିକା
ଭୁୁବନେଶ୍ୱର : କୋଭିସିଲ୍ଡ଼ ଟିକାର ଷ୍ଟକ୍ ସରିଆସିଲାଣି । କାରଣ ରାଜ୍ୟରେ ମୁଖ୍ୟତଃ କୋଭିସିଲ୍ଡ଼ ଟିକା ଅଧିକ ବ୍ୟବହାର ହେଉଛି । ଭୁବନେଶ୍ୱର, କଟକ, ଗଞ୍ଜାମ, ସମ୍ବଲପୁର ଓ ବାଲେଶ୍ୱର ଜିଲ୍ଲା ବ୍ୟତୀତ ଅନ୍ୟ ସବୁ ସ୍ଥାନରେ ଆରମ୍ଭରୁ କୋଭିସିଲ୍ଡ଼ ଟିକା ହିଁ ଦିଆଯାଉଥିଲା । ତେଣୁ ସେମାନଙ୍କର ପ୍ରିକସନ ଡୋଜ୍ ନେବା ପାଇଁ ସମୟ ହୋଇଗଲାଣି । ସେଥିପାଇଁ କୋଭିସିଲ୍ଡ଼ ଟିକା ଅଧିକ ଦରକାର ପଡୁଛି । ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ସୋମବାର ସୁଦ୍ଧା ମାତ୍ର ୨ ଲକ୍ଷ ୨୧ ହଜାର କୋଭିସିଲ୍ଡ ଟିକା ଷ୍ଟକରେ ଅଛି । ତେଣୁ ଆଉ ୨ ଦିନ ପର୍ଯ୍ୟନ୍ତ ହିଁ ଟିକାକରଣ ହୋଇପାରିବ । କିନ୍ତୁ କୋଭାକ୍ସିନ୍ ଟିକା ୭ ଲକ୍ଷରୁ ଅଧିକ ଡୋଜ୍ ଅଛି । ଯେଉଁଠି କୋଭାକ୍ସିନ୍ ଦରକାର ହେଉଛି ସେଠାରେ ଟିକାକରଣ ଜାରି ରହିବ । କୋଭିସିଲ୍ଡ଼ ଓ କୋଭାକ୍ସିନ୍ ଟିକା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି । କେନ୍ଦ୍ର ସରକାର ଠିକ୍ ସମୟରେ ଟିକା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।ତେଣୁ ଟିକା ସରିବା ପୂର୍ବରୁ କେନ୍ଦ୍ର ସରକାରଙ୍କ ତରଫରୁ ଟିକା ମିଳିଯିବ ବୋଲି ଆଶା ପ୍ରକାଶ କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ।
୧୮ରୁ ୫୯ ବର୍ଷ ବୟସ୍କ ଲୋକଙ୍କୁ ଜୁଲାଇ ୧୫ ତାରିଖରୁ ମାଗଣାରେ ପ୍ରିକସନ୍ ଡୋଜ୍ ଦିଆଯାଉଛି । ୧୫ ତାରିଖ ପର୍ଯ୍ୟନ୍ତ ୧ ଲକ୍ଷ ୫୨ ହଜାର ପ୍ରିକସନ୍ ଡୋଜ୍ ଦିଆଯାଇଥିଲା । ତେବେ ଏହି ୩ ଦିନ ଭିତରେ ପାଖାପାଖି ୩ ଲକ୍ଷ ପ୍ରିକସନ୍ ଡୋଜ୍ ଦିଆଯାଇଛି । ତେଣୁ ଏବେ ସୁଦ୍ଧା ମୋଟ୍ ୪ ଲକ୍ଷ ୫୨ ହଜାର ପ୍ରିକସନ୍ ଟିକା ଦିଆଗଲାଣି ।
