ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଦକ୍ଷତାକୁ ଅଧିକ ଦୃଢ଼ିଭୁତ କରାଯିବ : ମୁଖ୍ୟ ଶାସନ ସଚିବ
ବନ୍ୟା ପ୍ରବଣ ଅଂଚଳରେ ନିର୍ମାଣହେବ ଅଧିକ ବନ୍ୟା-ଆଶ୍ରୟସ୍ଥଳୀ
ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ମୁକାବିଲା ସମ୍ବନ୍ଧିତ ରାଜ୍ୟସ୍ତରୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକ ଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡ୍ ରେ ଅନୁଷ୍ଠିତ ହୋଇଛି । ଦୃତ ପରିବର୍ତନଶୀଳ ଜଳବାୟୁ ପରିପ୍ରେକ୍ଷୀରେ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଦକ୍ଷତାକୁ ଅଧିକ ଦୃଢ଼ ଓ ଶାଣିତ କରିବା ନିମନ୍ତେ ବୈଠକରେ ସ୍ଥିର ହୋଇଥିଲା । ଏଥି ପାଇଁ ଓଡ଼୍ରାଫ୍, ଅଗ୍ନିଶମ ସେବା ୟୁନିଟ୍, ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ୟୁନିଟ୍ ଗୁଡିକୁ ଅତ୍ୟାଧୂନିକ ଯନ୍ତ୍ରପାତି ଓ ଉପକରଣ ଯୋଗାଇ ଦିଆଯିବ ।
ନିୟମିତ ବ୍ୟବଧାନରେ ତାଲିମ ଦିଆଯାଇ ସେମାନଙ୍କ ଦକ୍ଷତା ବୃଦ୍ଧି କରାଯିବ । ସମ୍ଭାବ୍ୟ ସହରାଂଚଳ ବନ୍ୟା ନିୟନ୍ତ୍ରଣ ନିମନ୍ତେ ବଡ଼ ବଡ଼ ସହରମାନଙ୍କରେ ଥିବା ଡ୍ରେନ୍ ଓ ଜଳ ନିଷ୍କାସନ ବ୍ୟବସ୍ଥାକୁ ସଠିକ୍ ଭାବେ ସଂଯୋଜିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗୃହ ଓ ନଗର ଉନ୍ନୟନ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଡ୍ରେନ୍ ଗୁଡିକ ଉପରୁ ଜବର ଦଖଲ ହଟାଇବା, ଡ୍ରେନ୍ ପ୍ରଶସ୍ତିକରଣ ଏବଂ ସଂଯୋଗୀକରଣ କାର୍ଯ୍ୟକୁ ଅଗ୍ରାଧିକାର ଭିତିରେ କରିବା ପାଇଁ କୁହାଯାଇଥିଲା । ବନ୍ୟାରେ ପ୍ରଭାବିତ ହେଉଥିବା ଏବଂ ଆବଶ୍ୟକ ପରିମାଣର ଆଶ୍ରୟସ୍ଥଳୀ ନଥିବା ଗ୍ରାମମାନଙ୍କୁ ଚିହ୍ନଟ କରି ସେଠାରେ ବନ୍ୟା-ଆଶ୍ରୟସ୍ଥଳୀ ନିର୍ମାଣ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ବରି, ଧାମନଗର, ଗୋପ ଆଦି ବନ୍ୟା ପ୍ରବଣ ଅଂଚଳର ବନ୍ୟା ଘେରିବନ୍ଧକୁ ଅଧିକ ଉଚ୍ଚ ଓ ଦୃଢ଼ କରିବା ପାଇଁ ମଧ୍ୟ ବୈଠକରେ ନିଷ୍ପତି ହୋଇଥିଲା ।
ବିପର୍ଯ୍ୟୟ ପରିଚାଳନା ଦକ୍ଷତା ଅବିବୃଦ୍ଧି ବାବଦରେ ପ୍ରାୟ ୪୦୦ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ବୈଠକର ଆଲୋଚନାରୁ ଜଣାପଡିଥିଲା । ଜରୁରୀ ରିଲିଫ୍, ମରାମତି, ପୁନଃ ସ୍ଥାପନ ଏବଂ ପ୍ରଭାବିତ ଲୋକଙ୍କୁ ବିଭିନ୍ନ ପ୍ରକାର ସହାୟତା ବଂଟନ ଆଦି ବାବଦରେ ବିଭାଗମାନଙ୍କୁ ଦିଆଯାଇଥିବା ଅନୁଦାନର ବିନିଯୋଗ ପ୍ରମାଣପତ୍ର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦାଖଲ କରିବା ପାଇଁ ମଧ୍ୟ ଉନ୍ନୟନ କମିଶନର ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ ।
ଗତ ଅଗଷ୍ଟ ମାସରେ ହୋଇଥିବା ପ୍ରବଳ ବର୍ଷା ଏବଂ ବନ୍ୟାର ବିପର୍ଯ୍ୟୟ ପରବର୍ତୀ ଆବଶ୍ୟକତା ଆକଳନ (ପି.ଡ଼ି.ଏନ୍.ଏ) କରିବା ପାଇଁ ନିଷ୍ପତି ହୋଇଥିଲା । ଆସନ୍ତା ୧ ମାସ ମଧ୍ୟରେ ଏହି କାମ ସଂପୂର୍ଣ୍ଣ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ପୋଲିସ୍ ମହାନିର୍ଦ୍ଦେଶକ ସୁନିଲ୍ କୁମାର ବଂଶଲ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ସ୍ୱତନ୍ତ୍ର ରିଲିଫ୍ କିମଶନର ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜଳ ସଂପଦ ଶ୍ରୀମତୀ ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ଗ୍ରାମ ଉନ୍ନୟନ ଏବଂ ସୂଚନା ଓ ଲୋକସେବା ସଂପର୍କ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ପଂଚାୟତି ରାଜ ଏବଂ ପାନୀୟ ଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ସୁଶିଲ୍ କୁମାର ଲୋହାନିଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
