ଓଡ଼ିଶା କ୍ରିକେଟ ଆସୋସିଏସନର ଆଗାମୀ ସିଜିନ ପାଇଁ ନୂଆ ଜର୍ସି ଉନ୍ମୋଚନ
କଟକ : ଓଡ଼ିଶା କ୍ରିକେଟ ଆସୋସିଏସନର ଆଗାମୀ ସିଜିନ ପାଇଁ ନୂଆ ଜର୍ସି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଛି । ଓଡିଶା କ୍ରିକେଟର ମୁଖ୍ୟ କୋଚ ୱାସିମ ଜାଫର ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜର୍ସି ଉନ୍ମୋଚନ କରିଥିଲେ। ଓସିଏ ସଂପାଦକ ସଂଜୟ ବେହେରା ଓ ସଭାପତି ପଙ୍କଜ ଲୋଚନ ମହାନ୍ତି ଏହି ଉତ୍ସବରେ ଉପସ୍ଥିତ ଥିଲେ । ଏମଜିଏମ ମିନରାଲ୍ସ ଗୋଟିଏ ବର୍ଷ ପାଇଁ ଜର୍ସି ଓ ପୋଷାକ ଦେବ । ଆଗକୁ ବଡ ବଡ କର୍ପୋରେଟ ହାଉସ ଓଡିଶା କ୍ରିକେଟକୁ ପ୍ରୋତ୍ସାହନ ଦେବାକୁ ଆଗେଇ ଆସିବେ ବୋଲି ୱାସିମ ଜାଫର ଓ ଓସିଏ ସଂପାଦକ ସଂଜୟ ବେହେରା ଆଶା ରଖିଛନ୍ତି ।
ଉନ୍ମୋଚନ କାର୍ଯ୍ୟକ୍ରମ ପରେ ମୁଖ୍ୟ ପ୍ରଶିକ୍ଷକ ଵାସିମ୍ ଜାଫର କହିଛନ୍ତି ଯେ ଓଡ଼ିଶା କ୍ରିକେଟ୍ର ଉନ୍ନତି ପାଇଁ କର୍ପୋରେଟ ସ˚ସ୍ଥାମାନେ ଆଗେଇ ଆସିବା ଦରକାର। ଏମ୍ଜିଏମ୍ ଆସିବା ଦ୍ବାରା ଓଡ଼ିଶା କ୍ରିକେଟ ଆଗକୁ ଯିବାକୁ ଅଧିକ ସୁଯୋଗ ପାଇବ। ଗତବର୍ଷ ଅପେକ୍ଷା ଓଡ଼ିଶା ଦଳର ପ୍ରଦର୍ଶନରେ ଉନ୍ନତି ଆସିଛି। ପୂର୍ଣ୍ଣମାତ୍ରାରେ ଉନ୍ନତି ଆସିବାକୁ କିଛି ସମୟ ଲାଗିବ। ତଥାପି ଆମେ ଦଳଠୁ ଯେତିକି ଆଶା ରଖିଥିଲୁ ସେହି ଅନୁଯାୟୀ ଫଳ ମିଳିପାରିନି। ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପୂର୍ବରୁ ଛତିଶଗଡ଼ ସହିତ ଅଭ୍ୟାସ ମ୍ୟାଚ୍ ଖେଳିଥିଲୁ, ଏବେ ବିଜୟ ହଜାରେ ଟ୍ରଫି ପୂର୍ବରୁ ମଧ୍ୟପ୍ରଦେଶ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳିବୁ। ଏଭଳି ଭାବେ ଅଧିକ ଅଭ୍ୟାସ ମ୍ୟାଚ୍ ମିଳିଲେ ଖେଳାଳିଙ୍କ ପ୍ରଦର୍ଶନରେ ଉନ୍ନତି ଆସିବ। ଆଗକୁ ସମସ୍ତଙ୍କ ପାଇଁ ଅନେକ ସୁଯୋଗ ରହିଛି। ତେଣୁ ରଣଜୀ ଟ୍ରଫି ବେଳକୁ ଭଲ ପ୍ରଦର୍ଶନ ଦେବୁ ବୋଲି ଜାଫର ଆଶା ରଖିଛନ୍ତି। ସମ୍ପାଦକ ସ˚ଜୟ ବେହେରାଙ୍କ ମତରେ କର୍ପୋରେଟ୍ ସ˚ସ୍ଥାମାନଙ୍କୁ କ୍ରିକେଟ ସହିତ ଜଡ଼ିତ କରିବା ପାଇଁ ଏହା ହେଉଛି ପ୍ରଥମ ପାହାଚ। ଆଗକୁ ବିଭିନ୍ନ ପର୍ଯ୍ୟାୟରେ କର୍ପୋରେଟ୍ ସ˚ସ୍ଥାମାନେ ଓସିଏ ସହିତ ହାତ ମିଶାଇଲେ ଆସନ୍ତାବର୍ଷଠୁ କର୍ପୋରେଟ ଲିଗ୍ ଆୟୋଜନ କରାଯାଇପାରିବ। ଏନେଇ ପ୍ରାଥମିକ ପର୍ଯ୍ୟାୟ ଆଲୋଚନା ଚାଲିଥିଲା ବେଳେ ସାଧାରଣ ବୈଠକ ଓ ଆପେକ୍ସ କାଉନସିଲ ବୈଠକରେ ପ୍ରସ୍ତାବ ରଖାଯିବ। ସମସ୍ତେ ରାଜି ହେଲେ ଟ୍ବେଣ୍ଟି-୨୦ କିମ୍ବା ଟେନ୍-୧୦ ଭାବେ ପ୍ରତିଯୋଗିତା ଆୟୋଜନ କରାଯିବ। ଷ୍ଟାଡିୟମର ବିଭିନ୍ନ ଷ୍ଟାଣ୍ତକୁ କର୍ପୋରେଟ ସ˚ସ୍ଥାଙ୍କ ନାମରେ ନାମିତ କରାଯିବ। ପୂର୍ବତନ ଆନ୍ତର୍ଜାତିକ ଖେଳାଳିମାନଙ୍କୁ ଏଥିରେ ସାମିଲ କରାଯିବ ବୋଲି ଚିନ୍ତା କରାଯାଇଥିବା ସ˚ଜୟ କହିଛନ୍ତି। ଏଥିସହ ଆଇପିଏଲ୍ରେ ଓଡ଼ିଶା ଖେଳାଳିମାନେ କିପରି ସୁଯୋଗ ପାଇବେ ସେଥିପାଇଁ କର୍ପୋରେଟ୍ ସ˚ସ୍ଥାମାନଙ୍କ ସହଯୋଗର ଆବଶ୍ୟକତା ରହିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା କ୍ରିକେଟ ଲିଗ୍ (ଓସିଏଲ୍)ର ଦ୍ବିତୀୟ ସ˚ସ୍କରଣ ଚଳିତ ବର୍ଷ ଆୟୋଜନ କରିବା ସମ୍ଭାବନା କମ୍। ତେବେ ଆସନ୍ତାବର୍ଷଠୁ କଳାହାଣ୍ତି କପ୍ର ଟ୍ବେଣ୍ଟି-୨୦ ପର୍ଯ୍ୟାୟକୁ ଓସିଏଲ୍ ସହିତ ମିଶ୍ରଣ କରାଯିବାକୁ ଚିନ୍ତା କରାଯାଉଛି। ଯେଉଁ ସ˚ସ୍ଥା ସହିତ ଚୁକ୍ତି କରାଯାଇଛି ତାଙ୍କ ଅଧିକାରୀଙ୍କ ସହିତ ଆଲୋଚନା କରିବା ପରେ ଓସିଏର ବାର୍ଷିକ କ୍ୟାଲେଣ୍ତର ଭିତରୁ ସୁହାଇବା ଭଳି ସମୟ ବାହାର କରିବାକୁ ହେବ ବୋଲି ସ˚ଜୟ ସୂଚନା ଦେଇଛନ୍ତି।
