ଦିନିକିଆ ବିଶ୍ୱକପ୍ ୨୦୨୩ ଚୂଡାନ୍ତ କ୍ରୀଡାସୂଚୀ ଫାଇନାଲ, ଖୁବଶୀଘ୍ର ଘୋଷଣା କରିବ ଆଇସିସି
ମୁମ୍ବାଇ : ଦିନିକିଆ କ୍ରିକେଟ୍ ବିଶ୍ୱକପ୍-୨୦୨୩ । ଏନେଇ ଚୂଡାନ୍ତ କ୍ରୀଡାସୂଚୀ ଫାଇନାଲ ହୋଇଥିବା ବେଳେ ଖୁବଶୀଘ୍ର ଆଇସିସି ଘୋଷଣା କରିବ ବୋଲି ଜଣାପଡିଛି ।
କ୍ରିକ୍ଇନଫୋର ରିପୋର୍ଟ ଅନୁସାରେ, ଅକ୍ଟୋବର ୫ ତାରିଖରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚ୍ ଖେଳିବେ । ସେହିପରି ଭାରତ ଅକ୍ଟୋବର ୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ । ଆଗାମୀ ବିଶ୍ୱକପ୍ ନେଇ ଆଇସିସିକୁ କ୍ରୀଡ଼ାସୂଚୀ ପ୍ରଦାନ କରିଛି ବିସିସିଆଇ । ଏହାପରେ ଆଇସିସି ଏହି କ୍ରିଡାସୂଚୀକୁ ଅଂଶଗ୍ରହଣକାରୀ କ୍ରିକେଟ୍ ବୋର୍ଡ ଗୁଡ଼ିକୁ ପଠାଇବ । ସର୍ବସମ୍ମତି ପରେ ଚୂଡାନ୍ତ ସୂଚୀ ଘୋଷଣା କରାଯିବ । ଯଦି କିଛି ସମସ୍ୟା ଥାଏ ତାହେଲେ ସୂଚୀରେ ପରିବର୍ତ୍ତନ କରାଯିବ ।
ବିସିସିଆଇ ଦେଶର ୯ଟି ଯାକ ଭେନ୍ୟୁରେ ଲିଗ୍ ମ୍ୟାଚ୍ ଖେଳିବ । ଅକ୍ଟୋବର ୮ରେ ଚେନ୍ନାଇରେ ଅଷ୍ଟ୍ରେଲିଆକୁ, ୧୧ରେ ଦିଲ୍ଲୀରେ ଆଫଗାନିସ୍ତାନକୁ, ୧୫ରେ ଅହମ୍ମଦାବାଦରେ ପାକିସ୍ତାନକୁ, ୧୯ରେ ପୁନେରେ ବାଂଲାଦେଶକୁ, ୨୨ରେ ଧର୍ମଶାଳାରେ ନ୍ୟୁଜିଲାଣ୍ଡକୁ, ୨୯ରେ ଲକ୍ଷ୍ନୌରେ ଇଂଲଣ୍ଡକୁ, ନଭେମ୍ବର ୨ରେ ମୁମ୍ବାଇରେ ଯୋଗ୍ୟତା ପର୍ଯ୍ୟାୟରୁ ଉନ୍ନୀତ ଦଳକୁ, ୫ରେ କୋଲକାତାରେ ଦକ୍ଷିଣ ଆଫ୍ରିକାକୁ ଏବଂ ୧୧ରେ ବେଙ୍ଗାଲୁରୁରେ ଯୋଗ୍ୟତା ପର୍ଯ୍ୟାୟରୁ ଉନ୍ନୀତ ଦଳକୁ ଭେଟିବ ବୋଲି ପ୍ରାଥମିକ ଖସଡ଼ାରେ ସ୍ଥିର ହୋଇଛି । ତେବେ ଆଇସିସିର ଚୂଡାନ୍ତ ନିଷ୍ପତ୍ତି ପରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ ।
